Explore

Search

May 29, 2026 11:02 pm

୯ ଦିନ ଧରି ଭକ୍ତିରେ ମଗ୍ନ ହେବ ମହେନ୍ଦ୍ରଗିରି : ଜୁନ୍ ୧ରୁ ଦୁଲକିବ ‘ମହେନ୍ଦ୍ର ମେଳା’

ଗଜପତି : ପବିତ୍ର ପୁରୁଷୋତ୍ତମ ମାସ ଅବସରରେ ଆସନ୍ତା ଜୁନ ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତରେ ଐତିହାସିକ ‘ମହେନ୍ଦ୍ର ମେଳା’ ଅନୁଷ୍ଠିତ ହେବାକୁ ଯାଉଅଛି । ଦୀର୍ଘ ୯ଦିନ ଧରି ଚାଲିବାକୁ ଥିବା ଏହି ଆଧ୍ୟାତ୍ମିକ ମହାସମାଗମକୁ ନେଇ ସମଗ୍ର ଗଜପତି ଜିଲ୍ଲା ସହ ପଡୋଶୀ ଗଞ୍ଜାମ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ପୁରୁଷୋତ୍ତମ ମାସରେ ଏପରି ଭବ୍ୟ ଯଜ୍ଞ ଓ ମେଳାର ଆୟୋଜନ ହେଉଥିବାରୁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଛି ।

ଏହି ମହେନ୍ଦ୍ର ମେଳାରେ ଭାଗବତ ଗୀତା ପାରାୟଣ, ରାମଚରିତ ମାନସ ପାଠ, ଘୃତ ଯଜ୍ଞ, ନାମ ଯଜ୍ଞ, ହୋମ, ପୂଜାର୍ଚ୍ଚନା ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେବ । ପ୍ରତିଦିନ ସନ୍ଧ୍ୟାରେ ଭଜନ, କୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ଯୋଜନା ହୋଇଛି ।

ଏହି ମହୋତ୍ସବରେ ପ୍ରାୟ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେବେ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ଏହାସହ ଭାରତର ସମସ୍ତ ତୀର୍ଥକ୍ଷେତ୍ରରୁ ବିଶିଷ୍ଟ ସାଧୁସନ୍ଥ ପଣ୍ଡିତ ଓ ଆଚାର୍ଯ୍ୟବୃନ୍ଦ ଯୋଗଦେବାର ଆୟୋଜନ ରହିଛି । ମେଳାର ସଫଳ ଆୟୋଜନ ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ମହେନ୍ଦ୍ରଗିରି ଅଞ୍ଚଳରେ ପ୍ରାୟ ୫ ହଜାର ଲୋକ ରହିପାରିବା ପାଇଁ ଟେଣ୍ଟ ବ୍ୟବସ୍ଥା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଆଲୋକୀକରଣ, ସୁରକ୍ଷା ଓ ପରିଷ୍କାର-ପରିଚ୍ଛନ୍ନତା ବ୍ୟବସ୍ଥାକୁ ମଜବୁତ କରାଯାଇଛି । ମେଳାରେ ଯୋଗଦେବାକୁ ଆସୁଥିବା ଭକ୍ତମାନଙ୍କ ସୁବିଧା ପାଇଁ ବୁରଖତ ଅଞ୍ଚଳରେ ବଡ଼ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ସେଠାରୁ ମେଳା ସ୍ଥଳ ପର୍ଯ୍ୟନ୍ତ ବ୍ୟାଟେରୀ ଚାଳିତ ଯାନ ସେବା ମଧ୍ୟ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

ମହେନ୍ଦ୍ର ମେଳାର ଶେଷ ପ୍ରସ୍ତୁତି ବୈଠକରେ ଯୋଗଦେଇ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ସମସ୍ତ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସେ କହିଥିଲେ ଯେ, ମେଳାକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ସୁରକ୍ଷା, ସୁବିଧା ଓ ଶୃଙ୍ଖଳିତ ଯାତାୟାତକୁ ପ୍ରାଥମିକତା ଦିଆଯାଇଛି । ପ୍ରଶାସନ, ପୋଲିସ ଓ ସ୍ଥାନୀୟ ସ୍ୱୟଂସେବୀମାନେ ମିଳିତ ଭାବେ ଏହି ଆଧ୍ୟାତ୍ମିକ ମହାଉତ୍ସବକୁ ସଫଳ କରିବା ପାଇଁ ଚେଷ୍ଟା କରୁଛନ୍ତି ।

ପୁରୁଷୋତ୍ତମ ମାସ ହିନ୍ଦୁ ଧର୍ମରେ ଏକ ପବିତ୍ର ଓ କଲ୍ୟାଣମୟ ମାସ ଭାବେ ପରିଗଣିତ । ଏହି ସମୟରେ ମହେନ୍ଦ୍ରଗିରି ଭଳି ପବିତ୍ର ଧର୍ମକ୍ଷେତ୍ରରେ ଯଜ୍ଞ ଓ ଧାର୍ମିକ ଅନୁଷ୍ଠାନ ଆୟୋଜନ ସାରା ବିଶ୍ୱର ଶାନ୍ତି ଓ କଲ୍ୟାଣ ପାଇଁ ମଙ୍ଗଳମୟ ବୋଲି ପୂଜକମାନେ ମତ ପ୍ରକାଶ କରିଛନ୍ତି ।

ସ୍ଥାନୀୟ ଲୋକମାନେ ମଧ୍ୟ ଏହି ମହାଆୟୋଜନକୁ ନେଇ ଅତ୍ୟନ୍ତ ଉତ୍ସାହିତ ଥିବା ବେଳେ ଶ୍ରଦ୍ଧାଳୁମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଓ ସୁବିଧା ଯୋଗାଇଦେବାକୁ ସେମାନେ ପ୍ରସ୍ତୁତ ବୋଲି କହିଛନ୍ତି । ଧାର୍ମିକ ଭାବନା, ଆଧ୍ୟାତ୍ମିକ ପରିବେଶ ଓ ସାଂସ୍କୃତିକ ଐତିହ୍ୟର ଏକ ଅନନ୍ୟ ସମନ୍ୱୟ ଭାବେ ଚଳିତ ବର୍ଷର ମହେନ୍ଦ୍ର ମେଳା ସମଗ୍ର ଅଞ୍ଚଳରେ ଭକ୍ତି ଓ ଆନନ୍ଦର ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score