Explore

Search

May 21, 2026 10:38 pm

ୟୁକ୍ରେନ ଡ୍ରୋନ୍ ଆକ୍ରମଣରେ ଗଞ୍ଜାମର ଦୁଇ ଭାଇ ଗୁରୁତର : ଦେଶକୁ ଫେରାଇ ଆଣିବାକୁ ପରିବାରର ଅନୁରୋଧ

ବ୍ରହ୍ମପୁର : ଋଷ–ୟୁକ୍ରେନ ସଂଘର୍ଷର ଭୟଙ୍କର ପରିସ୍ଥିତିର ପ୍ରଭାବ ଏବେ ଗଞ୍ଜାମ ଜିଲ୍ଲାର ଗାଁ ଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚିଛି । ଯୁଦ୍ଧକ୍ଷେତ୍ରରେ ଡ୍ରୋନ୍ ଓ ଗୁଳିର ଶବ୍ଦ ମଧ୍ୟରେ ଗଞ୍ଜାମର ଅନେକ ପ୍ରବାସୀ ଶ୍ରମିକ ଅସୁରକ୍ଷାରେ ରହୁଥିବା ନେଇ ଚିନ୍ତା ବଢ଼ାଇଛି।

ଚିକିଟି ବ୍ଲକ ମାଧବନ୍ଧ ଗାଁର ୨୩ ବର୍ଷୀୟ ଏ. ରାମେୟାଙ୍କ ଡ୍ରୋନ୍ ଆକ୍ରମଣରେ ମୃତ୍ୟୁ ଘଟିବା ପରେ ସମଗ୍ର ଗାଁରେ ଶୋକର ଛାୟା ପଡ଼ିଛି । ଏହାପରେ ରଙ୍ଗେଇଲୁଣ୍ଡା ବ୍ଲକର ଜି. ତେଜେଶ୍ୱର ରେଡି ଏବଂ ଜି. କ୍ଷେତ୍ରବାସୀ ରେଡି ଗୁରୁତର ଆହତ ହୋଇଥିବା ଖବର ଆସିବା ପରେ ପରିବାର ଓ ଅଞ୍ଚଳବାସୀଙ୍କ ଆଶଙ୍କା ଆହୁରି ବଢ଼ିଛି।

ଅଧିକ ଆୟର ଆଶାରେ ଗଞ୍ଜାମର ବହୁ ଯୁବକ ଯୁଦ୍ଧପୀଡ଼ିତ ଦେଶ ଗୁଡ଼ିକରେ କାମ କରିବାକୁ ଯାଉଛନ୍ତି। ବେକାରି, ଦାରିଦ୍ର୍ୟ ଏବଂ ପରିବାରର ଭବିଷ୍ୟତ ସୁଧାରିବାର ସ୍ୱପ୍ନ ତାଙ୍କୁ ବିଦେଶମୁଖୀ କରୁଛି। କିନ୍ତୁ ଯୁଦ୍ଧ ମଧ୍ୟରେ କାମ କରିବା ସମୟରେ ପ୍ରତିକ୍ଷଣରେ ଜୀବନ ବିପଦରେ ରହୁଛି।

ଗାଁରେ ଥିବା ପରିବାର ଲୋକେ ଦିନରାତି ଫୋନ୍ ଓ ଭିଡିଓ କଲରେ ପୁଅମାନଙ୍କ ସୁରକ୍ଷା ଖବର ଅପେକ୍ଷା କରୁଛନ୍ତି। ରାମେୟାଙ୍କ ମୃତ୍ୟୁ ଓ ତେଜେଶ୍ୱରଙ୍କ ଆହତ ଘଟଣା ପରେ ବିଦେଶକୁ ଯାଉଥିବା ଶ୍ରମିକଙ୍କ ସୁରକ୍ଷା ନେଇ ଗମ୍ଭୀର ପ୍ରଶ୍ନ ଉଠିଛି।

ସୂଚନା ଅନୁଯାୟୀ, ଋଷର ଏକ ହସ୍ପିଟାଲରେ ଦୁଇ ଗୁରୁତର ଶ୍ରମିକଙ୍କୁ ଚିକିତ୍ସା ଦିଆଯାଉଛି । ସ୍ଥାନୀୟ ସହଯୋଗୀ ଏବଂ ଉଦ୍ଧାର ଦଳ ମିଶି ସେମାନଙ୍କୁ ଉଦ୍ଧାର କରି ଭର୍ତ୍ତି କରିଛନ୍ତି। ଏହି ଦୁଇଜଣ ରଙ୍ଗେଇଲୁଣ୍ଡା ବ୍ଲକ କୁଠାରସିଂଗି ପଞ୍ଚାୟତର ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି । ଏହା ଜାଣିବା ପରେ ପରିବାରରେ ଆତଙ୍କର ପରିବେଶ ତିଆରି ହୋଇଛି।

କ୍ଷେତ୍ରବାସୀଙ୍କ ପତ୍ନୀ କହିଛନ୍ତି ଯେ ସେ ଗତ କିଛି ଦିନ ପୂର୍ବରୁ ଛୁଟିରେ ଘରକୁ ଆସିଥିଲେ ଏବଂ ପୁଣି କାମକୁ ଫେରିଯାଇଥିଲେ । ବର୍ତ୍ତମାନ ତାଙ୍କ ସୁସ୍ଥତା ପାଇଁ ପରିବାର ପ୍ରାର୍ଥନା କରୁଛି।

ମାଧବନ୍ଧ ଗାଁର ମୋଟ ୧୨ ଜଣ ଯୁବକ ଏବେ ଋଷରେ ଅସ୍ଥାୟୀ ଠିକା ଶ୍ରମିକ ଭାବେ କାମ କରୁଛନ୍ତି। ସରକାରଙ୍କ ତୁରନ୍ତ ହସ୍ତକ୍ଷେପ କରି ଆହତ ଶ୍ରମିକଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ତାଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇବାକୁ ପରିବାର ଓ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score