Explore

Search

June 24, 2026 9:57 pm

ଶେୟାର ବଜାରରେ ବଡ଼ ହ୍ରାସ, ନିବେଶକଙ୍କୁ ଭାରି କ୍ଷତି

ନୂଆଦିଲ୍ଲୀ : ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ପତନ ଦେଖିବାକୁ ମିଳିଛି। ବଜାରରେ ଭାରି ବିକ୍ରି ଚାପ ଯୋଗୁଁ ନିବେଶକମାନେ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀମାନଙ୍କର ମୋଟ ବଜାର ମୂଲ୍ୟ ମଧ୍ୟ ୫.୭୭ ଲକ୍ଷ କୋଟି ଟଙ୍କା କମିଯାଇଛି।

କାରବାର ଶେଷ ବେଳକୁ ବଜାରର ଦୁଇ ପ୍ରମୁଖ ସୂଚକାଙ୍କ ହ୍ରାସ ସହ ବନ୍ଦ ହୋଇଥିଲା। ସେନ୍ସେକ୍ସ ୮୯୩ ପଏଣ୍ଟ ଖସି ୭୬,୨୦୦ ସ୍ତରରେ ପହଞ୍ଚିଥିବା ବେଳେ ନିଫ୍ଟି ୨୭୯ ପଏଣ୍ଟ କମି ୨୩,୦୮୨ ସ୍ତରରେ କାରବାର ଶେଷ କରିଥିଲା।

ଆଜିର ପତନରେ ଆଇଟି, ଧାତୁ ଏବଂ ବଡ଼ କମ୍ପାନୀଗୁଡ଼ିକର ସେୟାର ଅଧିକ ପ୍ରଭାବିତ ହୋଇଥିଲା। ଟିସିଏସ୍, ଟାଟା ଷ୍ଟିଲ୍, ବିଇଏଲ୍ ଓ ଆଦାନୀ ପୋର୍ଟସ ଭଳି କମ୍ପାନୀର ସେୟାର ଦରରେ ୩ ପ୍ରତିଶତରୁ ଅଧିକ ହ୍ରାସ ଦେଖାଯାଇଥିଲା।

ବିଶେଷଜ୍ଞଙ୍କ କହିବା ଅନୁସାରେ, ବିଶ୍ୱ ବଜାରରୁ ମିଳିଥିବା ଦୁର୍ବଳ ସଙ୍କେତ ଏହି ପତନର ଏକ ପ୍ରମୁଖ କାରଣ। ଏସିଆ ସମେତ ବିଶ୍ୱର ଅନେକ ଶେୟାର ବଜାରରେ ହ୍ରାସ ଦେଖାଯାଇଥିଲା, ଯାହାର ପ୍ରଭାବ ଭାରତୀୟ ବଜାର ଉପରେ ମଧ୍ୟ ପଡ଼ିଥିଲା।

ସେହିପରି ଆଇଟି କ୍ଷେତ୍ରରେ ଭାରି ବିକ୍ରି ଚାପ ମଧ୍ୟ ବଜାରକୁ ତଳକୁ ନେଇଥିଲା। ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀର ସେୟାର ଦର କମିବାରୁ ସୂଚକାଙ୍କ ଉପରେ ଚାପ ବଢ଼ିଥିଲା।

ମଧ୍ୟପ୍ରାଚ୍ୟରେ ଚାଲିଥିବା ଅସ୍ଥିରତା ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଏହା ଭାରତ ଭଳି ତୈଳ ଆମଦାନୀ କରୁଥିବା ଦେଶ ପାଇଁ ଚିନ୍ତା ବଢ଼ାଇଛି ଏବଂ ମୁଦ୍ରାସ୍ଫୀତି ବୃଦ୍ଧିର ଆଶଙ୍କା ସୃଷ୍ଟି କରିଛି।

ଏହାସହ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ଆଗାମୀ ଦିନରେ ସୁଧହାର ବଢ଼ାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହି ଆଶଙ୍କା ଯୋଗୁଁ ବିଦେଶୀ ନିବେଶକମାନେ ସତର୍କ ହୋଇ ପୁଞ୍ଜି ନିବେଶ କମାଇବା ଆରମ୍ଭ କରିଛନ୍ତି।

ବଜାର ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ବିଶ୍ୱ ଆର୍ଥିକ ପରିସ୍ଥିତି ଏବଂ ତୈଳ ଦରର ଗତିବିଧି ଉପରେ ବଜାରର ଦିଗ ନିର୍ଭର କରିବ। ତେଣୁ ନିବେଶକମାନଙ୍କୁ ବର୍ତ୍ତମାନ ସମୟରେ ସତର୍କ ରହି ଦୀର୍ଘମିଆଦି ଯୋଜନା ଅନୁସାରେ ନିବେଶ କରିବାକୁ ପରାମର୍ଶ ଦିଆଯାଇଛି। ବିଶ୍ୱ ବଜାରରେ ସ୍ଥିରତା ନଆସିବା ପର୍ଯ୍ୟନ୍ତ ଶେୟାର ବଜାରରେ ଉତ୍ଥାନ-ପତନ ଜାରି ରହିପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score