Explore

Search

September 19, 2026 10:23 am

ରୋଜଗାର ଯୋଗାଉଛି ପୀତାମ୍ବର ହଳଦୀ ଚାଷ : ବଢ଼ୁଛି ଚାଷୀଙ୍କ ଆଗ୍ରହ

କୋରାପୁଟ : କୋରାପୁଟ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଏବେ ଏକ ନୂଆ କିସମର ହଳଦୀ ଚାଷ ଚାଷୀଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ପଟ୍ଟାଙ୍ଗି ବ୍ଲକର ବିଭିନ୍ନ ଗାଁରେ ‘ପୀତାମ୍ବର’ କିସମର ହଳଦୀ ଚାଷ ଧୀରେ ଧୀରେ ବିସ୍ତାର ହେଉଛି । ଅଧିକ କର୍କ୍ୟୁମିନ୍‌ ଥିବା ଏହି କିସମ ଚାଷରୁ ଭଲ ଆୟର ସମ୍ଭାବନା ଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି ।

୨୦୨୩ ମସିହାରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ଚାଷ ଏବେ ତିନି ବର୍ଷ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ ଚାଷୀଙ୍କ ସଂଖ୍ୟା ସହ ଚାଷ ହେଉଥିବା ଜମିର ପରିମାଣ ମଧ୍ୟ ବଢ଼ିଛି । ୨୦୨୬-୨୭ ଚାଷ ବର୍ଷରେ ପ୍ରାୟ ୪୦ ଜଣ ଚାଷୀ ପୀତାମ୍ବର ହଳଦୀ ଚାଷରେ ସାମିଲ ହୋଇଛନ୍ତି।

ପଟ୍ଟାଙ୍ଗି ବ୍ଲକର ମାଳିପୁଟ ପଞ୍ଚାୟତର ସିପାଇପୁଟ, ଗୋଲୁର ପଞ୍ଚାୟତର ଏକଗୋଲୁର, କଟୁବ, କାରିବେଡ଼ା ଓ ମୁନୁଙ୍ଗବାଲସା, କୋଟିଆ ପଞ୍ଚାୟତର ଉପରସେମ୍ବି ଓ ଜାନିଗୁଡ଼ା ଏବଂ ଗାଙ୍ଗରାଜପୁର ପଞ୍ଚାୟତର ଗାଙ୍ଗରାଜପୁର ଅଞ୍ଚଳରେ ଏହି ଚାଷ ଚାଲିଛି। ଗୋଲୁର ଅଞ୍ଚଳରେ ସର୍ବାଧିକ ୧୯ ଜଣ ଚାଷୀ ପ୍ରାୟ ୫ ଏକର ଜମିରେ ପୀତାମ୍ବର ହଳଦୀ ଚାଷ କରୁଛନ୍ତି। ଚଳିତ ବର୍ଷ ଗାଙ୍ଗରାଜପୁରର ଆଉ ୪ ଜଣ ଚାଷୀ ଏହି ପ୍ରକଳ୍ପ ସହ ଯୋଡ଼ି ହୋଇଛନ୍ତି।

ଏହି ଚାଷର ଆରମ୍ଭ ସିପାଇପୁଟ ଗାଁର ଚାଷୀଙ୍କ ହାତରେ ହୋଇଥିଲା। ୨୦୨୩ରେ ପ୍ରଥମେ ପୀତାମ୍ବର କିସମର ହଳଦୀ ଚାଷ କରିଥିଲେ। ତାଙ୍କ ଚାଷର ଫଳାଫଳ ଦେଖି ପରବର୍ତ୍ତୀ ସମୟରେ ଅନ୍ୟ ଚାଷୀମାନେ ମଧ୍ୟ ଏଥିପ୍ରତି ଆଗ୍ରହୀ ହୋଇଥିଲେ। ୨୦୨୩-୨୪ରେ ଜଣେ ଚାଷୀ ୦.୩୦ ଏକରରେ ଚାଷ କରିଥିବା ବେଳେ ୨୦୨୪-୨୫ରେ ଦୁଇଜଣ ଚାଷୀ ୦.୮୦ ଏକର ଜମିରେ ଚାଷ କରିଥିଲେ। ୨୦୨୫-୨୬ରେ ଦୁଇଜଣ ଚାଷୀ ଏକ ଏକର ଜମିରେ ଏହି ହଳଦୀ ଚାଷ କରିଥିଲେ।

ପୀତାମ୍ବର ହଳଦୀକୁ ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧିତ ଉଦ୍ଭିଦ ଗବେଷଣା ସଂସ୍ଥାନ ବିକଶିତ କରିଛି। ଉପଲବ୍ଧ ସୂଚନା ଅନୁସାରେ ଏହି କିସମରେ ପ୍ରାୟ ୬.୫ରୁ ୮ ପ୍ରତିଶତ କର୍କ୍ୟୁମିନ୍‌ ରହିଥାଏ। ଏହି କାରଣରୁ ଔଷଧୀୟ ବ୍ୟବହାର ସହ ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ଏହାର ଚାହିଦା ବଢ଼ିବାର ସମ୍ଭାବନା ରହିଛି।

ଏକ ହେକ୍ଟର ଜମିରୁ ପ୍ରାୟ ୧୫ ଟନ୍‌ ପର୍ଯ୍ୟନ୍ତ ଉତ୍ପାଦନ ମିଳିପାରେ। ଏହାର ପତ୍ରରୁ ମଧ୍ୟ ତେଲ ଉତ୍ପାଦନ କରିବାର ସୁଯୋଗ ରହିଛି। ପତ୍ର ପାଚିବା ପରେ ସେଗୁଡ଼ିକୁ ସଂଗ୍ରହ କରି ତେଲ ଉତ୍ପାଦନ କରିବାର ଯୋଜନା ରହିଛି। ଏକ ଲିଟର ତେଲର ମୂଲ୍ୟ ପ୍ରାୟ ହଜାର ଟଙ୍କା ହୋଇଥିବାରୁ ଏଥିରୁ ଚାଷୀମାନେ ଅତିରିକ୍ତ ଆୟ ପାଇପାରିବେ।

ଏକ ହେକ୍ଟର ଜମିରେ ପୀତାମ୍ବର ହଳଦୀ ଚାଷ ପାଇଁ ବାର୍ଷିକ ପ୍ରାୟ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଆକଳନ କରାଯାଇଛି। ଉତ୍ପାଦନରୁ ପ୍ରାୟ ୬ ଲକ୍ଷ ଟଙ୍କା ଆୟ ହୋଇପାରେ ଏବଂ ଖର୍ଚ୍ଚ ବାଦ ଦେଲେ ପ୍ରାୟ ୪.୫ ଲକ୍ଷ ଟଙ୍କା ଲାଭ ମିଳିପାରିବ ବୋଲି କୁହାଯାଉଛି।

ବର୍ତ୍ତମାନ ପର୍ଯ୍ୟାୟରେ ଚାଷୀମାନେ ମୁଖ୍ୟତଃ ବିହନ ବୃଦ୍ଧି ଓ ଯୋଗାଣ ଉଦ୍ଦେଶ୍ୟରେ ଏହି ଚାଷ କରୁଛନ୍ତି। ଆଗାମୀ ଦିନରେ ହଳଦୀକୁ ପ୍ରକ୍ରିୟାକରଣ କରି ଗୁଣ୍ଡ, ଔଷଧୀୟ ସାମଗ୍ରୀ ଏବଂ ବିଭିନ୍ନ ମୂଲ୍ୟଯୁକ୍ତ ଉତ୍ପାଦ ବଜାରକୁ ଆଣିବା ଯୋଜନା ରହିଛି।

ଜିଲ୍ଲା ଖଣିଜ ପାଣ୍ଠିର ସହଯୋଗ ସହ ଲକ୍ଷ୍ନୌସ୍ଥିତ କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧିତ ଉଦ୍ଭିଦ ଗବେଷଣା ସଂସ୍ଥାନର ବୈଜ୍ଞାନିକ ପରାମର୍ଶରେ ଏହି ପ୍ରକଳ୍ପକୁ ଆଗକୁ ନିଆଯାଉଛି। ବରିଷ୍ଠ ବୈଜ୍ଞାନିକ ଡ. ପ୍ରଶାନ୍ତ ରାଉତଙ୍କ ମତରେ, ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା ସହ ଠିକ୍‌ ଭାବେ ପ୍ରକ୍ରିୟାକରଣ କରାଗଲେ ପୀତାମ୍ବର ହଳଦୀ ଚାଷୀଙ୍କ ପାଇଁ ଲାଭଦାୟକ ଫସଲ ହୋଇପାରିବ।

ସେହିପରି ପଟ୍ଟାଙ୍ଗି କୃଷି ଉତ୍ପାଦ ଗୋଷ୍ଠୀ କମ୍ପାନିର ସିଇଓ ଜିତାଲୀ ହନ୍ତାଳ କହିଛନ୍ତି ଯେ ଏବେ ବିହନ ଉତ୍ପାଦନ ଉପରେ ଗୁରୁତ୍ୱ ରହିଛି। ପରବର୍ତ୍ତୀ ସମୟରେ ପ୍ରକ୍ରିୟାକରଣ କରି ଏହି ଉତ୍ପାଦକୁ ବଜାରରେ ପହଞ୍ଚାଇବାକୁ ଯୋଜନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score