Explore

Search

September 1, 2026 8:21 pm

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୯୭ କଳାକାର

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆଦିବାସୀ କଳାକାରଙ୍କ ପାଇଁ ଆଜି ଥିଲା ଏକ ଐତିହାସିକ ଓ ସ୍ମରଣୀୟ ଦିନ। ରାଷ୍ଟ୍ରପତି ଭବନର ସ୍ୱତନ୍ତ୍ର ନିମନ୍ତ୍ରଣରେ ଦିଲ୍ଲୀ ଯାଇଥିବା ଗଞ୍ଜାମର ୫ଟି ଆଦିବାସୀ ନୃତ୍ୟ ଦଳର ମୋଟ ୯୭ ଜଣ କଳାକାର ଆଜି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି।

ଗଞ୍ଜାମର ପାରମ୍ପରିକ ଆଦିବାସୀ କଳା ଓ ସଂସ୍କୃତିକୁ ଦେଶର ସର୍ବୋଚ୍ଚ ସ୍ତରରେ ସମ୍ମାନ ମିଳିଥିବାରୁ କଳାକାରମାନଙ୍କ ମଧ୍ୟରେ ଦେଖାଦେଇଛି ଅପାର ଖୁସି। ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବା ସହ କଳାକାରମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାସହ ରାଷ୍ଟ୍ରପତି ଭବନରେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ସ୍ୱାଗତ ମଧ୍ୟ କରାଯାଇଥିଲା ।

ସୂଚନା ଅନୁସାରେ ନିକଟରେ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତପ୍ତପାଣି ଯାଇଥିଲେ। ସେହି ସମୟରେ ସେଠାରେ ପାଞ୍ଚଟି ଆଦିବାସୀ ନୃତ୍ୟ ଦଳ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ। ନୃତ୍ୟର ତାଳ, ପାରମ୍ପରିକ ପୋଷାକ ଓ ଆଦିବାସୀ ସଂସ୍କୃତିର ଅନନ୍ୟ ଝଲକ ରାଷ୍ଟ୍ରପତିଙ୍କ ମନକୁ ବେଶ୍ ଛୁଇଁଥିଲା।

ବିଶେଷ କରି ଲାଞ୍ଜିଆ ସୌରା ନୃତ୍ୟ ଦେଖି ମହାମହିମ ବେଶ ପ୍ରଭାବିତ ହୋଇଥିଲେ । ଗଞ୍ଜାମ ଗସ୍ତ ପରେ ଦିଲ୍ଲୀ ଫେରି ଏହି ନୃତ୍ୟ ଦଳ ଗୁଡ଼ିକୁ ରାଷ୍ଟ୍ରପତି ଭବନକୁ ଆସିବା ପାଇଁ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଥିଲା। ଏହି ନିମନ୍ତ୍ରଣ ପାଇ ୫ଟି ଦଳର ୯୭ ଜଣ କଳାକାର ଦିଲ୍ଲୀ ଯାତ୍ରା କରିଛନ୍ତି । ସେଥିମଧ୍ୟରୁ ତିନୋଟି ଦଳ ସାନଖେମୁଣ୍ଡି ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇଟି ଦଳ ସୋରଡା ଓ ବ୍ରହ୍ମପୁର ଅଞ୍ଚଳର।

ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କଳାକାରମାନଙ୍କୁ ପ୍ରଥମେ ବସ୍‌ ଯୋଗେ ଭୁବନେଶ୍ୱର ନିଆଯାଇଥିଲା। ସେଠାରୁ ପୋଲିସ କର୍ମଚାରୀ, ପ୍ରଶାସନର ସଂଯୋଜନା ଅଧିକାରୀ ଓ ମେଡିକାଲ ଟିମ୍‌ଙ୍କ ସହଯୋଗରେ ସେମାନେ ଟ୍ରେନ୍‌ ଯୋଗେ ଦିଲ୍ଲୀ ଯାଇଥିଲେ।

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ, ଅତିରିକ୍ତ ଉପଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଥିବା ନୀଳମାଧବ ଗ୍ରୁପ୍‌-ଖେମୁଣ୍ଡିଖୋଲର ମୁଖ୍ୟ ପରିଚାଳକ ଡମ୍ବରୁଧର ମଣ୍ଡଳଙ୍କ କହିବା ଅନୁସାରେ, ଏହି ସମ୍ମାନ ଦଳର ସମସ୍ତ କଳାକାରଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାର ସୁଯୋଗ ସେମାନଙ୍କ ଜୀବନରେ ଏକ ଅଭୁଲା ଅନୁଭୂତି ହୋଇ ରହିବ।

ଗଞ୍ଜାମର ଆଦିବାସୀ ସମ୍ପ୍ରଦାୟର ଏହି ପାରମ୍ପରିକ ନୃତ୍ୟ ଆବାହମାନ କାଳରୁ ଚାଲିଆସୁଛି। ବିଶେଷକରି ଧାଙ୍ଗିଡି ଓ ସୌରା ନୃତ୍ୟ ବିବାହ ଏବଂ ବିଭିନ୍ନ ପର୍ବପର୍ବାଣୀରେ ପରିବେଷଣ କରାଯାଇଥାଏ। ଆଧୁନିକତାର ପ୍ରଭାବରେ ଧୀରେଧୀରେ ଲୋପ ପାଉଥିବା ଏହି ପ୍ରାଚୀନ କଳାକୁ ରାଷ୍ଟ୍ରପତି ଭବନରେ ମିଳିଥିବା ଏଭଳି ସମ୍ମାନ ନୂଆ ପରିଚୟ ଓ ଉତ୍ସାହ ଦେଇଛି।

ଗଞ୍ଜାମର ୯୭ ଜଣ କଳାକାରଙ୍କ ପାଇଁ ଆଜିର ଏହି ଦିନ ସେମାନଙ୍କ ଜୀବନର ଏକ ସ୍ମରଣୀୟ ଅଧ୍ୟାୟ ହୋଇ ରହିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score