Explore

Search

September 9, 2026 3:34 am

ରାବଣ ଟିଜରରେ ଅନୁଭବଙ୍କ ଦମଦାର ଅବତାର : ୨ ଦିନରେ ୨୦ ଲକ୍ଷ ଭ୍ୟୁ

ହାଇଦ୍ରାବାଦ : ଓଲିଉଡ୍‌ର ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କ ଆଗାମୀ ଫିଲ୍ମ ‘ରାବଣ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଫିଲ୍ମ ଘୋଷଣା ହେବା ପରଠାରୁ ଅପେକ୍ଷା କରିଥିବା ଫ୍ୟାନ୍ସଙ୍କ ପାଇଁ ନିର୍ମାତାଙ୍କ ପକ୍ଷରୁ ଟିଜର ରିଲିଜ୍ କରାଯାଇଛି। ସେପ୍ଟେମ୍ବର ୫ରେ ସାମ୍ନାକୁ ଆସିଥିବା ଏହି ଟିଜର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।
ମାତ୍ର ଦୁଇ ଦିନ ମଧ୍ୟରେ ଟିଜରଟି ପ୍ରାୟ ୨୦ ଲକ୍ଷ ଭ୍ୟୁ ହାସଲ କରିଥିବା ଦାବି କରାଯାଉଛି। ଅନୁଭବଙ୍କ ଦମଦାର ଲୁକ୍‌, ଆକ୍ସନ ଦୃଶ୍ୟ ଏବଂ ଜବରଦସ୍ତ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍‌ ଦର୍ଶକଙ୍କ ଧ୍ୟାନ ଆକର୍ଷଣ କରିଛି। ଟିଜର ଦେଖିବା ପରେ ଫିଲ୍ମଟି ବଡ଼ ସଫଳତା ହାସଲ କରିବ ବୋଲି ଅନେକ ପ୍ରଶଂସକ ଆଶା ପ୍ରକାଶ କରିଛନ୍ତି।
ଯୁଦ୍ଧ ଓ ପ୍ରତିଶୋଧର କାହାଣୀର ଝଲକ
୨ ମିନିଟ୍‌ ୩୬ ସେକେଣ୍ଡର ଟିଜରରେ ଅନୁଭବଙ୍କ ଏକ ଶକ୍ତିଶାଳୀ ଚରିତ୍ରର ଝଲକ ମିଳିଛି। ତାଙ୍କ ସ୍ୱରରୁ ଆରମ୍ଭ ହେଉଥିବା ଟିଜରରେ ଅଧର୍ମ ବିରୋଧରେ ଯୁଦ୍ଧ, ନ୍ୟାୟ ପାଇଁ ଲଢ଼େଇ ଏବଂ ଜଣେ ଯୋଦ୍ଧାର ପ୍ରତିଜ୍ଞାକୁ ଗୁରୁତ୍ୱ ଦିଆଯାଇଛି।
ଅନ୍ଧକାର ବିରୋଧରେ ଲଢ଼ିବାକୁ ଆସୁଥିବା ଜଣେ ଯୋଦ୍ଧାଙ୍କ ଯାତ୍ରାକୁ ଟିଜରରେ ରୋମାଞ୍ଚକର ଭାବେ ଦେଖାଯାଇଛି। ଶେଷ ଲଢ଼େଇ, ପ୍ରତିଶୋଧ ଓ ବିନାଶର ସଙ୍କେତ ଦେଇ ଟିଜରଟି ଦର୍ଶକଙ୍କ ମନରେ ଫିଲ୍ମକୁ ନେଇ ଉତ୍ସୁକତା ବଢ଼ାଇଛି।
ଟିଜରରେ ଅନେକ ଷ୍ଟାରକାଷ୍ଟଙ୍କ ଝଲକ ସହ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ରଙ୍କ ଆକ୍ସନ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ଦର୍ଶକଙ୍କ ପ୍ରତିକ୍ରିୟା ମଧ୍ୟ ଜୋରଦାର ରହିଛି। କେହି ଟିଜରର ଭିଜୁଆଲ୍‌ ଓ BGMକୁ ପ୍ରଶଂସା କରିଥିବା ବେଳେ ଆଉ କେହି ଏହାକୁ ଓଡ଼ିଆ ସିନେମାରେ ଏକ ନୂଆ ପ୍ରୟାସ ବୋଲି କହିଛନ୍ତି।
ଏହି ଭୂମିକାରେ ନଜର ଆସିବେ ଷ୍ଟାରକାଷ୍ଟ
‘ରାବଣ’ରେ ଅନୁଭବ ମହାନ୍ତିଙ୍କ ସହ ସୂର୍ଯ୍ୟମୟୀ ମହାପାତ୍ର ଏବଂ ସୁସ୍ମିତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରେ ଅନୁଭବ ‘ଭୀମ’ ଚରିତ୍ରରେ ଅଭିନୟ କରୁଥିବା ବେଳେ ସୂର୍ଯ୍ୟମୟୀ ‘ଦେବିକା’ ଏବଂ ସୁସ୍ମିତା ‘ନିଶା’ ଭୂମିକାରେ ନଜର ଆସିବେ।
ଜାଗୃତି ଅନୁଭବ ମହାନ୍ତି ଓ ହିମାଦ୍ରି ତନୟା ଦାସ ଫିଲ୍ମର ପ୍ରଯୋଜନା କରିଛନ୍ତି। କାହାଣୀ ରଚନା ମଧ୍ୟ ଜାଗୃତି ଅନୁଭବ ମହାନ୍ତି କରିଛନ୍ତି।
ଟିଜରକୁ ମିଳୁଥିବା ପ୍ରତିକ୍ରିୟା ପରେ ଏବେ ‘ରାବଣ’ର ରିଲିଜ୍‌କୁ ନେଇ ଦର୍ଶକଙ୍କ ଅପେକ୍ଷା ଆହୁରି ବଢ଼ିଯାଇଛି। ଫିଲ୍ମରେ ଅନୁଭବଙ୍କ ଚରିତ୍ର କିପରି ଧର୍ମ ଓ ନ୍ୟାୟ ପାଇଁ ଲଢ଼େଇ କରୁଛି, ତାହା ପରଦାରେ ଦେଖିବାକୁ ମିଳିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score