ଖୋର୍ଦ୍ଧା : ବର୍ଷେ ନୁହେଁ କି ୫ ବର୍ଷ । ଆଜିକୁ ୨୬ ବର୍ଷ ହେବ କାଳିଆ ସାଆନ୍ତଙ୍କ ସେବାରେ ଏକ ପରିବାର । ଶ୍ରୀକ୍ଷେତ୍ରର ଐତିହାସିକ ରଥଯାତ୍ରାକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଆଗମନ ପାଇଁ ତିନି ରଥ ସଜ୍ଜିତ ହେଉଥିବା ବେଳେ ସେଗୁଡ଼ିକର ସୌନ୍ଦର୍ଯ୍ୟ ବଢ଼ାଇବାରେ ଲାଗିଛନ୍ତି କାରିଗରମାନେ । ଏହି ସାଜସଜ୍ଜା ମଧ୍ୟରେ ସୋଲ ଫୁଲର ଆକର୍ଷଣ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଅଞ୍ଚଳର ଏକ ପରିବାର ତିନି ରଥ ପାଇଁ ସୋଲରେ ନିର୍ମିତ କଦମ୍ବ ଓ ସେବତୀ ଫୁଲ ପ୍ରସ୍ତୁତ କରିଛନ୍ତି।
ଦୀର୍ଘ ବର୍ଷ ଧରି ଏହି ପରିବାର ଭକ୍ତି ଓ ନିଷ୍ଠାର ସହ ରଥ ସଜା କାମରେ ନିୟୋଜିତ ରହିଆସିଛନ୍ତି। ପରିବାରର ସମସ୍ତ ସଦସ୍ୟ ମିଳିତ ଭାବେ ହାତରେ ତିଆରି କରୁଥିବା ଏହି ଫୁଲ ରଥର ସୌନ୍ଦର୍ଯ୍ୟକୁ ଅନେକ ଗୁଣ ବଢ଼ାଇ ଦେଇଥାଏ। ସୋଲରେ ନିର୍ମିତ ପ୍ରତ୍ୟେକ ଫୁଲ ପଛରେ ରହିଛି ମାସ ମାସ ଧରି ଚାଲିଥିବା ପରିଶ୍ରମ ଓ ଅର୍ପଣର କାହାଣୀ।
ସୋଲ ସଂଗ୍ରହ ପାଇଁ ପରିବାର ସଦସ୍ୟମାନେ ବିଭିନ୍ନ ଜଳାଶୟ ଓ ଆର୍ଦ୍ର ଅଞ୍ଚଳକୁ ଯାଇଥାନ୍ତି। ସଂଗ୍ରହ କରାଯାଇଥିବା ସୋଲକୁ ଶୁଖାଇ ସଂରକ୍ଷଣ କରାଯାଏ ଏବଂ ପରେ ସେଥିରୁ ଫୁଲ ତିଆରି ହୁଏ। ଅକ୍ଷୟ ତୃତୀୟା ଦିନଠାରୁ ଏହି କାର୍ଯ୍ୟ ଆରମ୍ଭ ହୋଇ ନେତ୍ରୋତ୍ସବ ପର୍ଯ୍ୟନ୍ତ ଜାରି ରହିଥାଏ।
ଏହି ସମୟ ମଧ୍ୟରେ ପରିବାରର ସମସ୍ତେ ନିୟମ ଓ ନିଷ୍ଠା ପାଳନ କରିଥାନ୍ତି। ନିରାମିଷ ଭୋଜନ ସହ ଭକ୍ତିଭାବରେ ମହାପ୍ରଭୁଙ୍କ ସେବା କରି ସେମାନେ ସୋଲରେ ସୁନ୍ଦର ଫୁଲ ଗଢ଼ନ୍ତି। ଫୁଲ ଗୁଡ଼ିକୁ ଆହୁରି ଆକର୍ଷଣୀୟ କରିବା ପାଇଁ ତାହାର ମଧ୍ୟଭାଗରେ ଚୁମୁକି ଓ ଅନ୍ୟାନ୍ୟ ସଜା ସାମଗ୍ରୀ ବ୍ୟବହାର କରାଯାଏ।
ନେତ୍ରୋତ୍ସବ ପୂର୍ବରୁ ପ୍ରସ୍ତୁତ ସମସ୍ତ ସୋଲ ଫୁଲ ଶ୍ରୀମନ୍ଦିର ପ୍ରଶାସନଙ୍କୁ ହସ୍ତାନ୍ତର କରାଯାଏ। ପରେ ସେଗୁଡ଼ିକୁ ତିନି ରଥରେ ସଜାଯାଇ ରଥଯାତ୍ରାର ଶୋଭାକୁ ଆହୁରି ବଢ଼ାଯାଏ।
ବିଶେଷ କଥା ହେଉଛି, ଏହି ସେବା ପାଇଁ ପରିବାର ପକ୍ଷରୁ ବ୍ୟାପକ ଅର୍ଥ ଓ ସମୟ ବ୍ୟୟ ହେଉଥିଲେ ମଧ୍ୟ ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ କେବଳ ମହାପ୍ରଭୁଙ୍କ ସେବା। ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହି ପବିତ୍ର କାର୍ଯ୍ୟରେ ସାମିଲ ହୋଇ ଭକ୍ତି ଓ ପରମ୍ପରାର ଏକ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରୁଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
