Explore

Search

May 25, 2026 9:49 pm

ଯୁବପୀଢିଙ୍କୁ ପାଗଳ କରୁଛି ରିଲସ

ଭୁବନେଶ୍ୱର : ଯୁବପୀଢିଙ୍କ ପାଇଁ ଭୟଙ୍କର ରୂପ ନେଉଛି ରିଲ୍ସ ନିଶା । ଲାଇକ୍, ସେୟାର ଓ ଭ୍ୟୁର ଆକର୍ଷଣରେ ଅନେକେ ଜୀବନକୁ ବିପଦରେ ପକାଇଦେଉଛନ୍ତି। କେବେ ଚଳନ୍ତା ଟ୍ରେନ୍‌ ଆଗରେ ଷ୍ଟଣ୍ଟ, କେବେ ଟ୍ରେନ୍‌ ବଗି ଉପରେ ଚଢି ଭିଡିଓ ସୁଟିଂ, ତ କେବେ ନଦୀ ଓ ଜଳପ୍ରପାତ ମଧ୍ୟରେ ଦୁଃସାହସିକ ରିଲ୍ସ । ସବୁ କିଛି ଏବେ ଜୀବନଘାତୀ ଖେଳରେ ପରିଣତ ହେଉଛି ।

ଏହି ରିଲ୍ସ ନିଶାର ଆଉ ଏକ ଦୁଃଖଦ ଘଟଣା ଭୁବନେଶ୍ୱରର ମଞ୍ଚେଶ୍ୱର ଷ୍ଟେସନରେ ଦେଖିବାକୁ ମିଳିଛି। ରାଜସ୍ଥାନର ଚିତ୍ତୋରଗଡ଼ ଅଞ୍ଚଳର ଯୁବକ ରାମେଶ୍ୱର ଦାଶୋରା ସାଙ୍ଗମାନଙ୍କ ସହ ଟ୍ରେନରେ ଭୁବନେଶ୍ୱର ଆସିଥିଲେ। ଟ୍ରେନ୍‌ କିଛି ସମୟ ପାଇଁ ମଞ୍ଚେଶ୍ୱର ଷ୍ଟେସନ ନିକଟରେ ଅଟକିଥିବା ବେଳେ ସେ ଟ୍ରେନ୍‌ ବଗି ଉପରକୁ ଚଢି ରିଲ୍ସ ସୁଟ୍ କରୁଥିଲେ। ଆଉ ସେତେବେଳେ ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ରାମେଶ୍ୱରଙ୍କ ଶରୀରର ଅଧାରୁ ଅଧିକ ଅଂଶ ପୋଡ଼ିଗଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ରେଳବାଇ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି।

ଏଭଳି ଘଟଣା ଏବେ ପ୍ରାୟ ସାଧାରଣ ହୋଇପଡ଼ିଛି। ଢେଙ୍କାନାଳରେ ବ୍ରାହ୍ମଣୀ ପୋଲ ଉପରେ ଭିଡିଓ କରିବା ବେଳେ ଯୁବତୀ ନଦୀକୁ ଖସିପଡ଼ିଥିଲେ। ଭଦ୍ରକରେ ରିଲ୍ସ କରିବା ନିଶାରେ ଯୁବକ ନଦୀକୁ ଡେଇଁ ପଡ଼ି ଜୀବନ ହାରିଥିଲେ। କୋରାପୁଟ ଡୁଡୁମା ଜଳପ୍ରପାତରେ ଭିଡିଓ ସୁଟିଂ ସମୟରେ ଜଣେ ୟୁଟ୍ୟୁବର ପାଣି ସ୍ରୋତରେ ଭାସିଯାଇଥିଲେ। ପୁରୀରେ ଟ୍ରେନ୍‌ ଆଗରେ ଭିଡିଓ କରିବା ବେଳେ ମଧ୍ୟ ଜଣେ ଯୁବକଙ୍କ ଜୀବନ ଯାଇଥିଲା।

ସୋସିଆଲ ମିଡିଆରେ ଭ୍ୟୁ ଓ ଫଲୋଅର ବଢ଼ାଇବା ଆକାଂକ୍ଷା ଆଜି ଅନେକଙ୍କୁ ବିପଦମୁଖୀ କରୁଛି। କିନ୍ତୁ କେବଳ ଦୁଃସାହସିକ ଷ୍ଟଣ୍ଟ କଲେ ମାତ୍ର ସଫଳତା ମିଳେନାହିଁ। ଭଲ ଓ ସୃଜନଶୀଳ କଣ୍ଟେଣ୍ଟ ଥିଲେ ନିଶ୍ଚୟ ଦର୍ଶକଙ୍କ ଭଲପାଇବା ମିଳିବ। ଜୀବନ ଅମୂଲ୍ୟ , କେବଳ କିଛି ଲାଇକ୍ କିମ୍ବା ଭ୍ୟୁ ପାଇଁ ଏହାକୁ ବାଜି ଲଗାଇବା କେବେ ମଧ୍ୟ ଠିକ୍ ନୁହେଁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score