Explore

Search

June 24, 2026 9:42 pm

ମିଶନ ଶକ୍ତିର ବଡ଼ ପଦକ୍ଷେପ : SHG ଗୋଷ୍ଠୀଙ୍କୁ କୋଟି କୋଟି ଟଙ୍କାର ଆର୍ଥିକ ସହଯୋଗ

ଭୁବନେଶ୍ୱର : ଭୁବନେଶ୍ୱରର ମିଶନ ଶକ୍ତି ଭବନରେ ରାଜ୍ୟସ୍ତରୀୟ ‘ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ’ ସଫଳତାର ସହ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ୩୦ ଜିଲ୍ଲାରୁ ପ୍ରାୟ ୩୩୦ ଜଣ ମହିଳା ନେତୃତ୍ୱ ଓ ମହାସଂଘ ପ୍ରତିନିଧି ଯୋଗଦେଇଥିଲେ।

ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ୨,୮୮,୧୯୮ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧୪୭.୭୬ କୋଟି ଟଙ୍କାର ସୁଧ ଫେରସ୍ତ ରାଶି ବଣ୍ଟନ କରିଥିଲେ। ଏହା ସହିତ RF, CIF ଓ VRF ଅଧୀନରେ ମୋଟ ୨୪୪.୯୩ କୋଟି ଟଙ୍କା ସହାୟତା ମଧ୍ୟ ଦିଆଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ମହିଳାମାନଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ସୁଧ ଫେରସ୍ତ ବ୍ୟବସ୍ଥା ଏକ ବଡ଼ ଭୂମିକା ନିଭାଇଛି। ଏହା ଫଳରେ ଅନେକ ସଦସ୍ୟା ବ୍ୟାଙ୍କ ଋଣ ପରିଶୋଧ କରି ନିଜସ୍ୱ ରୋଜଗାର କ୍ଷେତ୍ରକୁ ଆହୁରି ବିସ୍ତାର କରିପାରିଛନ୍ତି।

ଏହି ଅବସରରେ ୨୬ଟି ଜିଲ୍ଲାର ୨୩,୫୩୬ଟି ଗୋଷ୍ଠୀଙ୍କୁ ୪୫.୭୧ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି (RF) ପ୍ରଦାନ କରାଯାଇଥିଲା। ସେହିପରି ୨୭ଟି ଜିଲ୍ଲାର ୬୨୪ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘଙ୍କୁ ୧୮୯.୫୭ କୋଟି ଟଙ୍କାର କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ (CIF) ଯୋଗାଇ ଦିଆଯାଇଛି। ଏହାଛଡ଼ା ୧୫ଟି ଜିଲ୍ଲାର ୬୫୬ଟି ଆଞ୍ଚଳିକ ମହାସଂଘଙ୍କ ପାଇଁ ୯.୬୪ କୋଟି ଟଙ୍କାର ନିରାପତ୍ତା ପାଣ୍ଠି (VRF) ମଞ୍ଜୁର କରାଯାଇଛି।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ ଅର୍ଥନୈତିକ ରାଜ୍ୟରେ ପରିଣତ କରିବା ପାଇଁ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ଲକ୍ଷ୍ୟ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବା।

ସେ ଆହୁରି କହିଥିଲେ ଯେ, ୨୦୨୭ ସୁଦ୍ଧା ୩୦ ଲକ୍ଷ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାର ଲକ୍ଷ୍ୟ ରହିଥିବାବେଳେ, ନିର୍ଦ୍ଧାରିତ ସମୟର ଏକ ବର୍ଷ ପୂର୍ବରୁ ରାଜ୍ୟରେ ୨୬.୩୯ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଗଢ଼ି ଉଠିଛନ୍ତି। ଏହା ମହିଳା ସଶକ୍ତିକରଣ ଦିଗରେ ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ ମତ ପ୍ରକାଶ କରିଥିଲେ।

ବିଭାଗର ଅଧିକାରୀମାନଙ୍କ ମତରେ, ଏହି ଆର୍ଥିକ ସହଯୋଗ ମହିଳା ଉଦ୍ୟୋଗୀମାନଙ୍କୁ ନୂଆ ସୁଯୋଗ ଦେବା ସହ ସେମାନଙ୍କ ବ୍ୟବସାୟ ବୃଦ୍ଧି, ଆୟ ବୃଦ୍ଧି ଏବଂ ସ୍ୱାବଲମ୍ବନର ପଥକୁ ଆହୁରି ସୁଦୃଢ଼ କରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score