ମାଲକାନଗିରି : ଗଣତନ୍ତ୍ରର ମୂଳ ଆଧାର ହେଉଛି ଏକ ସଠିକ ଏବଂ ଅଦ୍ୟତନ ଭୋଟର ତାଲିକା। ଏହି ଲକ୍ଷ୍ୟକୁ ସାମ୍ନାରେ ରଖି ଓଡ଼ିଶାରେ ଆଜିଠାରୁ ଆରମ୍ଭ ହୋଇଛି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ୨୦୨୬ କାର୍ଯ୍ୟକ୍ରମ। ମାଲକାନଗିରି ଜିଲ୍ଲାରେ ମଧ୍ୟ ଏହି ବ୍ୟାପକ ଅଭିଯାନର ଶୁଭାରମ୍ଭ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନେ ଘରକୁ ଘର ବୁଲି ଭୋଟରଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ ଏବଂ ଭୋଟର ତାଲିକାରେ ଆବଶ୍ୟକ ସଂଶୋଧନ ପ୍ରକ୍ରିୟାକୁ ଆଗେଇ ନେବେ।
ଏନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ସୂଚନା ଦେଇ କହିଛନ୍ତି ଯେ, ୨୦୨୬ ମସିହାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ନିର୍ଭୁଲ, ସ୍ୱଚ୍ଛ ଓ ଅଦ୍ୟତନ କରାଯିବ। ନୂତନ ଭୋଟରଙ୍କ ନାମ ଅନ୍ତର୍ଭୁକ୍ତି ପାଇଁ ୦୧ ଜୁଲାଇ ୨୦୨୬ କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଯେଉଁମାନେ ଭୋଟଦାନ ପାଇଁ ଯୋଗ୍ୟ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭୋଟର ତାଲିକାରେ ସାମିଲ ହୋଇ ନାହାଁନ୍ତି, ସେମାନଙ୍କୁ ଏହି ଅଭିଯାନ ମାଧ୍ୟମରେ ସୁଯୋଗ ମିଳିବ। ସେ କହିଛନ୍ତି ଯେ, କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ବାଦ୍ ପଡ଼ିବେ ନାହିଁ, ତାହା ସୁନିଶ୍ଚିତ କରିବା ହେଉଛି ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ।
ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ—ମାଲକାନଗିରି ଓ ଚିତ୍ରକୋଣ୍ଡାରେ ମୋଟ ୫୪୯ ଜଣ ବିଏଲଓ ଏହି ଅଭିଯାନରେ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ମାଲକାନଗିରି ନିର୍ବାଚନମଣ୍ଡଳୀରେ ୩୦୨ ଜଣ ଏବଂ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ ୨୪୭ ଜଣ ବିଏଲଓ କାର୍ଯ୍ୟରତ ରହିବେ। ସେମାନେ ଘରକୁ ଘର ଯାଇ ଭୋଟରଙ୍କୁ ପରିଗଣନା ଫର୍ମ ପ୍ରଦାନ କରିବା ସହ ଫର୍ମ ପୂରଣରେ ମାର୍ଗଦର୍ଶନ କରିବେ ଏବଂ ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ସଂଗ୍ରହ କରିବେ।
ଜିଲ୍ଲାରେ ବର୍ତ୍ତମାନ ମାଲକାନଗିରି ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୫୨ ହଜାର ୬୯୧ ଜଣ ଏବଂ ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୯ ହଜାର ୪୮୦ ଜଣ ଭୋଟର ଅଛନ୍ତି। ସେମାନଙ୍କୁ ଦୁଇଟି ଲେଖାଏଁ ପରିଗଣନା ଫର୍ମ ବଣ୍ଟନ କରାଯିବ। ଏହାସହ ଭୋଟରମାନଙ୍କ ନାମ, ଠିକଣା, ବୟସ, ପରିଚୟ ଏବଂ ଅନ୍ୟାନ୍ୟ ତଥ୍ୟର ଯାଞ୍ଚ ମଧ୍ୟ କରାଯିବ, ଯାହାଦ୍ୱାରା ଭୋଟର ତାଲିକାରେ କୌଣସି ତ୍ରୁଟି ନ ରହେ।
ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ମାଲକାନଗିରି ନିର୍ବାଚନମଣ୍ଡଳୀର ୯୩.୪୩ ପ୍ରତିଶତ ଏବଂ ଚିତ୍ରକୋଣ୍ଡାର ୯୫.୩୫ ପ୍ରତିଶତ ଭୋଟରଙ୍କ ତଥ୍ୟ ୨୦୦୨ ମସିହାର ଭୋଟର ତାଲିକା ସହ ମ୍ୟାପିଂ କରାଯାଇସାରିଛି। ଅବଶିଷ୍ଟ ଭୋଟରମାନଙ୍କୁ ଆବଶ୍ୟକୀୟ ଦସ୍ତାବିଜ ସହ ପରିଗଣନା ଫର୍ମ ପୂରଣ କରି ବିଏଲଓଙ୍କୁ ପ୍ରଦାନ କରିବାକୁ କୁହାଯାଇଛି।
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟସୂଚୀ ଅନୁଯାୟୀ, ୩୦ ମେ’ରୁ ୨୮ ଜୁନ୍ ୨୦୨୬ ପର୍ଯ୍ୟନ୍ତ ପରିଗଣନା ଫର୍ମ ସଂଗ୍ରହ ଓ ତଥ୍ୟ ଯାଞ୍ଚ କାର୍ଯ୍ୟ ଚାଲିବ। ପରବର୍ତ୍ତୀ ପର୍ଯ୍ୟାୟରେ ୦୫ ଜୁଲାଇ ୨୦୨୬ ରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାଖଲ ହୋଇଥିବା ଦାବି ଓ ଆପତ୍ତିଗୁଡ଼ିକର ଶୁଣାଣି ଓ ନିଷ୍ପତ୍ତି ପରେ ୦୬ ସେପ୍ଟେମ୍ବର ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
