ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୀବନ ଓ ମହିମାକୁ ଆଧାର କରି ନିର୍ମିତ ଆନିମେଟେଡ୍ ଚଳଚ୍ଚିତ୍ର “ମହାପ୍ରଭୁ ଜଗନ୍ନାଥ”କୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରର ପ୍ରଥମ ସେବକ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ଫିଲ୍ମର ବିଷୟବସ୍ତୁ ଉପରେ ଗୁରୁତର ଆପତ୍ତି ଉଠାଇଛନ୍ତି ।
ଗଜପତି ମହାରାଜାଙ୍କ କହିବା ଅନୁଯାୟୀ, ଫିଲ୍ମର ଟ୍ରେଲର ବର୍ତ୍ତମାନ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରସାରିତ ହେଉଛି । ଟ୍ରେଲରରେ ଦେଖାଯାଇଥିବା ଅନେକ ଘଟଣା ଓ କାହାଣୀ ଶାସ୍ତ୍ରସମ୍ମତ ବର୍ଣ୍ଣନା ସହ ମେଳ ଖାଉନଥିବା ବେଳେ ସେଗୁଡ଼ିକ କାଳ୍ପନିକ ଉପସ୍ଥାପନା ବୋଲି ସେ ମତ ଦେଇଛନ୍ତି ।
ମହାପ୍ରଭୁଙ୍କ ଇତିହାସ, ପରମ୍ପରା ଓ ମହିମା ସମ୍ବନ୍ଧୀୟ କୌଣସି ଚିତ୍ରଣ ଶାସ୍ତ୍ର ଓ ପ୍ରାଚୀନ ଧାର୍ମିକ ପ୍ରମାଣ ଆଧାରିତ ହେବା ଆବଶ୍ୟକ ବୋଲି ସେ ଜୋର ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଯଦି ମହାପ୍ରଭୁଙ୍କ ଚରିତ୍ର କିମ୍ବା ଲୀଳାକୁ ବିକୃତ ଭାବେ ପ୍ରଦର୍ଶନ କରାଯାଏ, ତେବେ ଦେଶ ଓ ବିଦେଶରେ ଥିବା କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନା ପ୍ରଭାବିତ ହୋଇପାରେ ।
ଏହାକୁ ଦୃଷ୍ଟିରେ ରଖି ସେ ଫିଲ୍ମର ନିର୍ମାତା ଓ ପ୍ରଯୋଜକମାନଙ୍କୁ ଅନୁରୋଧ କରିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନୋନୀତ ବିଶେଷଜ୍ଞ କମିଟି ଫିଲ୍ମର ସମ୍ପୂର୍ଣ୍ଣ ବିଷୟବସ୍ତୁ ଯାଞ୍ଚ ନ କରିବା ପର୍ଯ୍ୟନ୍ତ ଏହାକୁ ମୁକ୍ତିଲାଭ କରାଯିବ ନାହିଁ।
ଗଜପତିଙ୍କ ମତାମତ ପରେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି। ଅନ୍ୟପଟେ, ପ୍ରଯୋଜନା ସଂସ୍ଥା ପକ୍ଷରୁ ଫିଲ୍ମଟି ଆସନ୍ତା ୧୦ ଜୁଲାଇରେ ମୁକ୍ତିଲାଭ କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଛି। ତେବେ ଗଜପତି ମହାରାଜାଙ୍କ ଉଠାଇଥିବା ଆପତ୍ତି ଓ ପ୍ରସ୍ତାବ ସମ୍ପର୍କରେ ଫିଲ୍ମ ପ୍ରଯୋଜକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।
ଏହି ପ୍ରସଙ୍ଗ ଏବେ ଭକ୍ତମହଲ, ସାଂସ୍କୃତିକ ସଂଗଠନ ଓ ଧାର୍ମିକ ମଣ୍ଡଳୀମାନଙ୍କ ମଧ୍ୟରେ ବ୍ୟାପକ ଆଲୋଚନାର ବିଷୟ ପାଲଟିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
