ଭୁବନେସ୍ଵଶ୍ୱର : ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ । ଆସନ୍ତା ପୌର ଓ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟର୍ ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ରାଜ୍ୟ ନିର୍ବାଚନ ଆୟୋଗ ଅଧିକ ସୁସଂଗଠିତ ଓ ସ୍ୱଚ୍ଛ ଭାବେ ଆଗେଇ ନେବାକୁ ନୂତନ ନିର୍ଦ୍ଦେଶ ଜାରି କରିଛି । ଏହି ନିର୍ଦ୍ଦେଶ ଅନୁସାରେ ଭୋଟର୍ ତାଲିକାର ପ୍ରସ୍ତୁତି, ସଂଶୋଧନ ଏବଂ ଅଦ୍ୟତନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ଏବଂ ପ୍ରତ୍ୟେକ ସ୍ତରରେ ଦାୟିତ୍ୱକୁ ସ୍ପଷ୍ଟ ଭାବରେ ପୁନଃବିନ୍ୟାସ କରାଯାଇଛି ।
ନୂତନ ବ୍ୟବସ୍ଥା ଅନୁଯାୟୀ, ପ୍ରତ୍ୟେକ ଉପଜିଲ୍ଲାପାଳଙ୍କୁ ତାଙ୍କ ଉପଖଣ୍ଡ ଅଞ୍ଚଳର ଭୋଟର୍ ପଞ୍ଜୀକରଣ ଅଧିକାରୀ (Electoral Registration Officer – ERO) ଭାବେ ଦାୟିତ୍ୱ ଦିଆଯାଇଛି। ସେହିପରି ବ୍ଲକ ଅଧିକାରୀ (ବିଡିଓ)ମାନେ ନିଜ ଅଞ୍ଚଳରେ ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀ (Assistant ERO – AERO) ଭାବେ କାର୍ଯ୍ୟ କରିବେ। ଏହା ଫଳରେ ଭୋଟର ତାଲିକା ସମ୍ପର୍କିତ କାର୍ଯ୍ୟକଳାପ ଅଧିକ ସଂଗଠିତ ଓ ସ୍ଥାନୀୟସ୍ତରରେ ସୁବିଧାଜନକ ହେବ ବୋଲି ଆୟୋଗ ଆଶା ବ୍ୟକ୍ତ କରିଛି।
ଭୋଟର ତାଲିକାରେ ନାମ ଯୋଗ, ବିଲୋପ କିମ୍ବା ସଂଶୋଧନ ସମ୍ପର୍କିତ ସମସ୍ତ ଆବେଦନ ଓ ଅଭିଯୋଗ ଗୁଡ଼ିକୁ ପ୍ରଥମେ ଉପଜିଲ୍ଲାପାଳଙ୍କ ସ୍ତରରେ ବିଚାର କରାଯିବ। ERO କିମ୍ବା AEROଙ୍କ ନିଷ୍ପତ୍ତିରେ ଯଦି କୌଣସି ବ୍ୟକ୍ତି ସନ୍ତୁଷ୍ଟ ନହୋଇଥାଏ, ତେବେ ସେ ଜିଲ୍ଲାପାଳଙ୍କ ନିକଟରେ ଆପିଲ୍ କରି ପୁନଃବିଚାର ପାଇଁ ଆବେଦନ କରିପାରିବେ।
ପୂର୍ବରୁ ଏହି ସମସ୍ତ କାର୍ଯ୍ୟ ମୁଖ୍ୟତଃ ଜିଲ୍ଲାପାଳ କିମ୍ବା ତାଙ୍କ ଅଧିକୃତ କର୍ମଚାରୀଙ୍କ ମାଧ୍ୟମରେ ପରିଚାଳିତ ହେଉଥିଲା। ନୂତନ ବ୍ୟବସ୍ଥାରେ ଦାୟିତ୍ୱକୁ ଅଧିକ ବିକେନ୍ଦ୍ରୀକୃତ କରାଯାଇଥିବାରୁ ପ୍ରଶାସନିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ସହରାଞ୍ଚଳ ପରିଚାଳନା ବ୍ୟବସ୍ଥାରେ ମଧ୍ୟ ନୂଆ ଭୂମିକା ନିର୍ଦ୍ଧାରଣ କରାଯାଇଛି । ମହାନଗର ନିଗମ ଅଞ୍ଚଳରେ ଅତିରିକ୍ତ କମିଶନରଙ୍କୁ ERO ଭାବେ ଓ ଜୋନାଲ ଡେପୁଟି କମିଶନରଙ୍କୁ AERO ଭାବେ ଦାୟିତ୍ୱ ଦିଆଯିବ। ସେହିପରି ମ୍ୟୁନିସିପାଲିଟି ଓ ଏନଏସି ଅଞ୍ଚଳରେ ସମ୍ପୃକ୍ତ ଜିଲ୍ଲାର ଉପଜିଲ୍ଲାପାଳ ERO ଏବଂ ନିର୍ବାହୀ ଅଧିକାରୀ AERO ଭାବେ କାର୍ଯ୍ୟ କରିବେ।
ଏହି ନୂତନ ପ୍ରଶାସନିକ ବ୍ୟବସ୍ଥା ଫଳରେ ଭୋଟର୍ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଅଧିକ ସଠିକ, ଦ୍ରୁତ ଓ ସ୍ୱଚ୍ଛ ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଆଶା ବ୍ୟକ୍ତ କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
