Explore

Search

September 28, 2026 9:31 pm

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ସ୍ଥଗିତ : ଖୋଲିଲା ସମସ୍ତ ବ୍ୟାଙ୍କ

ନୂଆଦିଲ୍ଲୀ : ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ବ୍ୟାଙ୍କ କର୍ମଚାରୀ ସଂଗଠନ ଗୁଡ଼ିକ ପକ୍ଷରୁ ଘୋଷଣା କରାଯାଇଥିବା ତିନି ଦିନିଆ ଦେଶବ୍ୟାପୀ ଧର୍ମଘଟକୁ ସ୍ଥଗିତ କରାଯାଇଛି । ଏହା ଫଳରେ ଆଜି ବ୍ୟାଙ୍କ ଗୁଡ଼ିକରେ ସାଧାରଣ କାର୍ଯ୍ୟକଳାପ ଜାରି ରହିଛି ।

ବ୍ୟାଙ୍କ କର୍ମଚାରୀଙ୍କ ବିଭିନ୍ନ ଦାବିକୁ ନେଇ United Forum of Bank Unions (UFBU) ତିନି ଦିନିଆ ଆନ୍ଦୋଳନର ଡାକରା ଦେଇଥିଲା । ଏହା ମଧ୍ୟରେ ସପ୍ତାହକୁ ୫ ଦିନ ବ୍ୟାଙ୍କ କାର୍ଯ୍ୟ ବ୍ୟବସ୍ଥା ଲାଗୁ କରିବା ସହ ଅନ୍ୟାନ୍ୟ ପ୍ରସଙ୍ଗ ରହିଥିଲା । ତେବେ Indian Banks’ Association (IBA) ପକ୍ଷରୁ ଦାବି ଗୁଡ଼ିକ ଉପରେ ଆଲୋଚନା ଓ ପଦକ୍ଷେପ ନେବା ନେଇ ଆଶ୍ୱାସନ ମିଳିବା ପରେ ଧର୍ମଘଟ ସ୍ଥଗିତ କରିବାକୁ ୟୁନିଅନଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି।

୫ ଦିନିଆ କାର୍ଯ୍ୟ ସପ୍ତାହ ନେଇ ଆଲୋଚନା

UFBU ପକ୍ଷରୁ କୁହାଯାଇଛି ଯେ ଶନିବାର ଛୁଟି ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ପାଇଁ IBA ଓ UFBUର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି ବିଭିନ୍ନ ବିକଳ୍ପ ଉପରେ ବିଚାର କରିବ। ବ୍ୟାଙ୍କ କର୍ମଚାରୀଙ୍କ ସହ ଗ୍ରାହକ ଏବଂ ଅନ୍ୟ ସମସ୍ତ ଅଂଶୀଦାରଙ୍କ ହିତକୁ ଧ୍ୟାନରେ ରଖି ଏକ ସମାଧାନ ଖୋଜାଯିବ ବୋଲି ଜଣାପଡ଼ିଛି। ଏହା ଦ୍ୱାରା ପ୍ରତି ସପ୍ତାହରେ ଦୁଇ ଦିନ ଛୁଟି ଦେବା ପ୍ରସ୍ତାବ ନେଇ ଆଗାମୀ ଦିନରେ ଆଲୋଚନା ହେବ।

PLI ଯୋଜନାରେ ପରିବର୍ତ୍ତନ ନେଇ ଚର୍ଚ୍ଚା

ବ୍ୟାଙ୍କ ଅଧିକାରୀଙ୍କ Performance Linked Incentive ବା PLI ଯୋଜନା ମଧ୍ୟ ଆଲୋଚନାର ଅନ୍ୟତମ ବିଷୟ ହେବ। ବିଶେଷକରି ସ୍କେଲ୍-IV ଏବଂ ତା’ଠାରୁ ଉପର ସ୍ତରର ଅଧିକାରୀଙ୍କ PLI ବ୍ୟବସ୍ଥାରେ ସମ୍ଭାବ୍ୟ ପରିବର୍ତ୍ତନ ନେଇ IBA ଓ UFBU ମଧ୍ୟରେ ଆଲୋଚନା ହେବ।

ଏହାସହ ୮ ମାର୍ଚ୍ଚ ୨୦୨୪ରେ ହୋଇଥିବା ଆଲୋଚନାରେ ଉଲ୍ଲେଖ ଥିବା ଅନ୍ୟ ବକେୟା ପ୍ରସଙ୍ଗ ଗୁଡ଼ିକର ସମାଧାନ ନେଇ ମଧ୍ୟ ଚର୍ଚ୍ଚା କରାଯିବ।

କାହିଁକି ଡାକରା ଦିଆଯାଇଥିଲା ଧର୍ମଘଟ?

ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଗଠନ ଗୁଡ଼ିକ ଦୀର୍ଘଦିନ ଧରି ୫ ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରୁଛନ୍ତି। ଏହା ଅନୁସାରେ ଶନିବାର ଓ ରବିବାରକୁ ସାପ୍ତାହିକ ଛୁଟି ଦେବା ପ୍ରସ୍ତାବ ରହିଛି । ଏହା ବ୍ୟତୀତ PLI ଯୋଜନାରେ ହୋଇଥିବା ପରିବର୍ତ୍ତନ ଉପରେ ମଧ୍ୟ ବ୍ୟାଙ୍କ ୟୁନିଅନ ଗୁଡ଼ିକ ଆପତ୍ତି ଜଣାଇଛନ୍ତି। କାର୍ଯ୍ୟଦକ୍ଷତା ଆଧାରିତ ପ୍ରୋତ୍ସାହନ ବ୍ୟବସ୍ଥାର ନୂଆ ନିୟମ ନେଇ ପୁନର୍ବିଚାର କରିବାକୁ ସେମାନେ ଦାବି କରିଛନ୍ତି।

ପେନସନ ନେଇ ମଧ୍ୟ ଦାବି

ପେନସନ ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ବ୍ୟାଙ୍କ କର୍ମଚାରୀଙ୍କ ଦାବି ତାଲିକାରେ ରହିଛି। ପେନସନ ସମ୍ପର୍କିତ ପ୍ରକ୍ରିୟାକୁ ସରଳ ଓ ଶୀଘ୍ର କରିବା ସହ ପୁରୁଣା ପେନସନ ବ୍ୟବସ୍ଥା (OPS) ସମ୍ପର୍କିତ ଦାବି ମଧ୍ୟ ଉଠାଯାଇଛି। ପୂର୍ବରୁ ମଧ୍ୟ UFBU ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ କରାଯାଇଥିଲା । ଏବେ IBA ସହ ଆଲୋଚନା ଏବଂ ମିଳିଥିବା ଆଶ୍ୱାସନ ପରେ ପ୍ରସ୍ତାବିତ ଆନ୍ଦୋଳନକୁ ଅସ୍ଥାୟୀ ଭାବେ ରୋକାଯାଇଛି । ତେଣୁ ଆଜି ବ୍ୟାଙ୍କ ଶାଖା ଗୁଡ଼ିକ ସାଧାରଣ ଭାବେ ଖୋଲିଛି ଏବଂ ଗ୍ରାହକମାନେ ନିୟମିତ ବ୍ୟାଙ୍କି ସେବା ପାଇପାରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score