ଭୁବନେଶ୍ୱର : ବଳ ଗୋଟାଉଛି ଲଘୁଚାପ। ସମଗ୍ର ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ। ଏହାର ପ୍ରଭାବରେ ଆଗାମୀ କିଛି ଦିନ ଧରି ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି । ତେବେ ପାଣିପାଗ ବିଶେଷଜ୍ଞମାନଙ୍କ ମତାନୁସାରେ, ଜୁଲାଇ ପ୍ରଥମ ସପ୍ତାହରେ ଓଡ଼ିଶାରେ ବର୍ଷା ହେବ ।
ଅନ୍ୟପକ୍ଷରେ ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ଲଗାତାର ବର୍ଷା ହୋଇଛି । ଦୀର୍ଘଦିନ ଧରି ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଲୋକମାନେ ଆଜି ଲଗାଣ ବର୍ଷାରେ କିଛିଟା ଆଶ୍ୱସ୍ତ ହୋଇଥିବା ବେଳେ, ଅନେକ ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ଦେଖାଦେଇଛି । ସହରର ବିଭିନ୍ନ ରାସ୍ତାରେ ପାଣି ଜମି ଯାତାୟାତରେ ମଧ୍ୟ ବାଧା ସୃଷ୍ଟି ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ବଳୟ କ୍ରମେ ଶକ୍ତିଶାଳୀ ହେଉଛି। ଏହାର ପ୍ରଭାବରେ ସମୁଦ୍ରରୁ ପ୍ରଚୁର ପରିମାଣର ଜଳୀୟବାଷ୍ପ ଓଡ଼ିଶାକୁ ପ୍ରବେଶ କରୁଛି, ଯାହା ବର୍ଷାକୁ ଆହୁରି ସକ୍ରିୟ କରିବ । ଜୁଲାଇ ୧ରୁ ୭ ତାରିଖ ମଧ୍ୟରେ ପ୍ରଥମେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଭାରି ବର୍ଷା ହେବାର ସମ୍ଭାବନା ଥିବା ବେଳେ, ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ ବଢ଼ିପାରେ।
ଘଡ଼ଘଡ଼ି, ବିଜୁଳି ଓ ପ୍ରବଳ ବର୍ଷାକୁ ନଜରରେ ରଖି ଆଜି ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରାଜ୍ୟର ଅନ୍ୟ ୨୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରି ସତର୍କ ରହିବାକୁ କୁହାଯାଇଛି। ବିଶେଷକରି ଜୁଲାଇ ୧ରୁ ୪ ତାରିଖ ମଧ୍ୟରେ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ଆକଳନ କରିଛି। ଏହି ସମୟରେ ନଦୀ, ନାଳ ଓ ଜଳାଶୟ ଗୁଡ଼ିକର ଜଳସ୍ତର ବଢ଼ିବା ସହ କିଛି ଅଞ୍ଚଳରେ ସ୍ଥାନୀୟ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ।
ଅନ୍ୟପଟେ, ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ମଧ୍ୟ ରହିଛି। ତେଣୁ ଲୋକମାନଙ୍କୁ ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରକୁ ନଯିବାକୁ ପ୍ରଶାସନ ପରାମର୍ଶ ଦେଇଛି। ବିଜୁଳି ଘଡ଼ଘଡ଼ି ସମୟରେ ଖୋଲା ସ୍ଥାନ, ବଡ଼ ଗଛ ତଳେ କିମ୍ବା ଜଳାଶୟ ନିକଟରେ ରହିବାକୁ ମନା କରାଯାଇଛି।
ସମୁଦ୍ର ଉତ୍ତାଳ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ନଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଜାରି ହୋଇଛି। ସମୁଦ୍ରତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଥିବା ବେଳେ ଜରୁରୀ ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
