Explore

Search

September 1, 2026 8:50 pm

ବନ୍ୟା କାଦୁଅରେ ପୋତି ହୋଇଗଲା କୋଟି କୋଟି ଟଙ୍କାର ସମ୍ପତ୍ତି ଓ ଗହଣା

କାଠମାଣ୍ଡୁ : ନେପାଳରେ ପ୍ରକୃତିର ଭୟଙ୍କର ତାଣ୍ଡବ ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଭୟଙ୍କର ବନ୍ୟା ଓ କାଦୁଅରେ ସବୁକିଛି ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ବେଳେ ଏକ ବ୍ୟାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି କାଦୁଅ ତଳେ ପୋତି ହୋଇ ରହିଥିଲା। ଦୀର୍ଘ ୮ ଘଣ୍ଟାର କଠିନ ଉଦ୍ଧାର ଅଭିଯାନ ପରେ ନେପାଳ ପୋଲିସ ଓ ଉଦ୍ଧାରକାରୀ ଦଳ ବିପୁଳ ପରିମାଣର ସୁନା, ନଗଦ ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ ଦଲିଲ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ, ନେପାଳର ନୁଆକୋଟ ଜିଲ୍ଲାରେ ଅବସ୍ଥିତ କୃଷି ବିକାଶ ବ୍ୟାଙ୍କର ତ୍ରିଶୂଳୀ-ଢୁଙ୍ଗେ ଶାଖା ଭୟଙ୍କର ବନ୍ୟାରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା। ବନ୍ୟା ପାଣି ସହ କାଦୁଅ ଓ ମାଟି ବ୍ୟାଙ୍କ ପରିସରରେ ଜମି ଯାଇଥିବାରୁ ଲକର ଓ ଅନ୍ୟାନ୍ୟ ସୁରକ୍ଷିତ ସ୍ଥାନକୁ ପହଞ୍ଚିବା ଉଦ୍ଧାରକାରୀ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଥିଲା।

ତଥାପି ହାର ନମାନି ପୋଲିସ, ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଲଗାତାର ଅଭିଯାନ ଚଳାଇଥିଲେ। ପ୍ରାୟ ୮ ଘଣ୍ଟାର କଠିନ ପରିଶ୍ରମ ପରେ ବ୍ୟାଙ୍କ ଭିତରୁ ପ୍ରାୟ ୫୦ କୋଟି ଟଙ୍କାର ସୁନା ଏବଂ ୧.୫ କୋଟି ଟଙ୍କାର ନଗଦ ଅର୍ଥ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ବନ୍ୟା କାଦୁଅରେ ଭିଜି ଓ ପୋତି ହୋଇଥିବା ଟଙ୍କା ବିଡ଼ା ଏବଂ ସୁନା ଗହଣାକୁ ସତର୍କତାର ସହ ବାହାର କରାଯାଇଛି।

କେବଳ ସୁନା ଓ ନଗଦ ଟଙ୍କା ନୁହେଁ, ବ୍ୟାଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଦଲିଲ ମଧ୍ୟ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ବାହାର କରିବାରେ ସଫଳ ହୋଇଛନ୍ତି । ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ପ୍ରକୃତିର ଭୟଙ୍କର ରୂପ ସମ୍ମୁଖରେ ସବୁକିଛି ଧ୍ୱଂସ ହୋଇପାରେ, କିନ୍ତୁ ସମୟୋଚିତ ପଦକ୍ଷେପ, ସାହସ ଓ ସମନ୍ୱିତ ଉଦ୍ଧାର ଅଭିଯାନ ମାଧ୍ୟମରେ ବଡ଼ କ୍ଷତିକୁ ମଧ୍ୟ ଅନେକାଂଶରେ ରୋକାଯାଇପାରେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score