Explore

Search

April 16, 2026 9:27 pm

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ପୁଅଙ୍କୁ ଟପିଲେ ଝିଅ

ଭୁବନେଶ୍ୱର : ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ । ପୁଅଙ୍କୁ ଟପିଲେ ଝିଅ। ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳ ୫୦୦ ରୁ ୫୦୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଯେତେବେଳେ ଆମେ ‘ନାରୀଶକ୍ତି’କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ, ସେତିକିବେଳେ ଓଡ଼ିଶାର ଝିଅମାନଙ୍କର ଏହି ଅସାଧାରଣ ସଫଳତା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଏହି ସଫଳତା ପ୍ରମାଣ କରୁଛି ଯେ ସୁଯୋଗ ମିଳିଲେ ଆମ ଝିଅମାନେ ଆକାଶ ଛୁଇଁପାରିବେ। ଏହା ହିଁ ‘ନାରୀଶକ୍ତି ବନ୍ଦନ’ର ପ୍ରକୃତ ପ୍ରତିଫଳନ। ଉଭୟ କୃତୀ ଛାତ୍ରୀଙ୍କ ସମେତ ସମସ୍ତ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।

ସାରା ଦେଶରେ ଛାତ୍ରଛାତ୍ରୀଙ୍କ ପରିଣାମ ପୂର୍ବବର୍ଷ ତୁଳନାରେ ହଳୁକ ଭାବେ ଉନ୍ନତି ପ୍ରଦର୍ଶନ କରିଛି । ଜାତୀୟ ସ୍ତରରେ ଦଶମ ଶ୍ରେଣୀର ସମୁଦାୟ ପାସ୍‌ହାର ୯୩.୭୦% ରେ ପହଞ୍ଚିଛି । ଯାହା ୨୦୨୫ ମସିହା ତୁଳନାରେ ୪% ଅଧିକ। ଏହି ବର୍ଷ ପରୀକ୍ଷା ପାଇଁ ମୋଟ ୨୪,୮୩,୪୭୯ ଜଣ ଛାତ୍ରଛାତ୍ରୀ ଉପସ୍ଥିତଥିଲେ। ସେଥିରୁ ୨୪,୭୧,୭୭୭ ଜଣ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ ଓ ୨୩,୧୬,୦୦୮ ଜଣ ସଫଳତା ହାସଲ କରିଛନ୍ତି।

ଓଡ଼ିଶାର ପରିସ୍ଥିତିକୁ ଦେଖିଲେ, ୭୪୧ଟି ବିଦ୍ୟାଳୟରୁ ୬୫,୨୦୪ ଜଣ ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୪,୯୦୦ ଜଣ ପରୀକ୍ଷା ଦେଇଥିବା ବେଳେ ୬୦,୭୮୮ ଜଣ ସଫଳ ହୋଇଛନ୍ତି। ଏଠାରେ ପାସ୍‌ହାର ୯୩.୬୬% ରେ ରହିଛି।

ତେବେ ଛାତ୍ରମାନଙ୍କର ସମୁଦାୟ ପାସ୍‌ ହାର ୯୨.୬୦% ରହିଥିବା ବେଳେ ଛାତ୍ରୀମାନଙ୍କର ପାସ୍‌ ହାର ୯୪.୮୩% ରେକର୍ଡ ହୋଇଛି। ଏହିବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରମାନଙ୍କୁ ପଛରେ ପକେଇ ଉତ୍କୃଷ୍ଟ ଫଳାଫଳ ଦେଖାଇଛନ୍ତି। ସରକାରୀ ବିଦ୍ୟାଳୟରୁ ପରୀକ୍ଷା ଦେଇଥିବା ୧୯,୨୬୦ ଜଣ ମଧ୍ୟରୁ ୧୮,୧୫୧ ଜଣ ସଫଳ ହୋଇ ୯୪.୨୪% ପାସ୍‌ ହାର ହାସଲ କରିଛନ୍ତି । ଏପଟେ ବେସରକାରୀ ବିଦ୍ୟାଳୟର ୩୭,୮୭୧ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୩୪,୯୮୫ ଜଣ ଉତ୍ତୀର୍ଣ୍ଣ ହୋଇ ୯୨.୩୮% ପାସ୍‌ ହାର ଦର୍ଶାଇଛନ୍ତି।

ଏହାସହିତ, ସିବିଏସଇ ଦଶମ ଶ୍ରେଣୀର ଦ୍ବିତୀୟ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷାର୍ଥୀମାନେ ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ନିଜର ଆବେଦନ ପୂରଣ କରିପାରିବେ। ନିର୍ଦ୍ଧାରିତ ସମୟ ପରେ ୨୧ ଓ ୨୨ ତାରିଖରେ ଜରିମାନା ସହିତ ଫର୍ମ ଦେବାର ସୁଯୋଗ ମିଳିବ। ଏହିବର୍ଷ ସିବିଏସଇ ଦୁଇଟି ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା ଆୟୋଜନ କରୁଛି। ପ୍ରଥମ ପରୀକ୍ଷାର ଫଳ ଆଶାନୁସାରେ ନହେଲେ, ଛାତ୍ରଛାତ୍ରୀମାନେ ଇଚ୍ଛାମତେ ଦ୍ବିତୀୟ ପରୀକ୍ଷା ଦେଇପାରିବେ । ଯାହା କି ବାଧ୍ୟତାମୂଳକ ନୁହେଁ। ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ଓ ମାତୃଭାଷା ମଧ୍ୟରୁ ଯେକୌଣସି ୩ଟି ବିଷୟ ଚୟନ କରି ପରୀକ୍ଷା ଦେବା ସୁବିଧା ରହିଛି। ଦ୍ବିତୀୟ ପରୀକ୍ଷା ମେ’ ମାସରେ ହେବାକୁ ଥିବା ସୂଚନା ମିଳିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score