Explore

Search

September 2, 2026 8:45 pm

ପାହାଡ଼ ଉପରେ ମହକୁଛି ତୁଳସୀ : ସ୍ୱାବଲମ୍ବୀ ହେଲେ କୋଟିଆର ୩୩ ମହିଳା ଚାଷୀ

କୋରାପୁଟ : ଦିନେ ପାଖରେ ୧ ଟଙ୍କା ବି ନଥିଲା। ଆଜି ନିଜ ବଳରେ ହେଲେ ସ୍ୱାବଲମ୍ବୀ। କୋଟିଆର ୩୩ ଜଣ ମହିଳା ଚାଷୀଙ୍କୁ ରୋଜଗାରକ୍ଷମ କରିଛି ତୁଳସୀ। ଯେଉଁ ପାହାଡ଼ ଦିନେ ଅଣଦେଖା ହୋଇ ରହିଥିଲା ଆଜି ସେଇ ପାହାଡ଼ ଉପରେ ଚାଷ କରି କୋଟିଆ ମହିଳା ନିଜ ପରିଚୟ ତିଆରି କରିପାରିଛନ୍ତି ।

ମିଣ୍ଟ ଚାଷରେ ସଫଳତାର ସ୍ୱାଦ ଚାଖିବା ପରେ ଏବେ ଔଷଧୀୟ ଓ ସୁଗନ୍ଧିତ ଫସଲ ଚାଷ ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ଅଞ୍ଚଳର ମହିଳା ଚାଷୀମାନେ। ପାରମ୍ପରିକ ଚାଷ ପଦ୍ଧତିରୁ ଆଗକୁ ବଢ଼ି ଏବେ ସେମାନେ ଆପଣାଇଛନ୍ତି ତୁଳସୀ ଚାଷ । ଏହି ନୂଆ ପ୍ରୟାସ କେବଳ କୃଷି କ୍ଷେତ୍ରରେ ଏକ ପରିବର୍ତ୍ତନ ନୁହେଁ, ବରଂ କୋଟିଆ ଅଞ୍ଚଳର ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବାର ଏକ ନୂଆ ଆଶା ସୃଷ୍ଟି କରିଛି ।

ଗୁମେଲପଦର, ଫୁଲପଦର, ଡୋଳିଆମ୍ବ ଓ ଜାନିଗୁଡ଼ା ଅଞ୍ଚଳର ପ୍ରାୟ ୧୦ ଏକର ଜମିରେ ତୁଳସୀ ଚାଷ ଆରମ୍ଭ ହୋଇଛି । ଏହି ଚାଷ କାର୍ଯ୍ୟରେ ପ୍ରାୟ ୩୩ ଜଣ ମହିଳା ଚାଷୀ ସାମିଲ ହୋଇଛନ୍ତି । ମିଣ୍ଟ ଚାଷରୁ ମିଳିଥିବା ଅଭିଜ୍ଞତା ଓ ସଫଳତା ପରେ ଏବେ ତୁଳସୀ ଚାଷକୁ ନେଇ ମହିଳା ଚାଷୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି।

ଏହି ତୁଳସୀ ଚାଷର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଚାରା ରୋପଣର ମାତ୍ର ତିନି ମାସ ମଧ୍ୟରେ ଫସଲ ଅମଳ ଯୋଗ୍ୟ ହୋଇପାରିବ । ପ୍ରାୟ ଏକ ମାସ ତଳେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆଉ ଦୁଇ ମାସ ପରେ ଏହି ତୁଳସୀ ବିକ୍ରି ଓ ପ୍ରକ୍ରିୟାକରଣ ପାଇଁ ପ୍ରସ୍ତୁତ ହୋଇଯିବ । ଅମଳ ପରେ ତୁଳସୀରୁ ଅତ୍ୟାବଶ୍ୟକ ସୁଗନ୍ଧିତ ତେଲ ବାହାର କରାଯିବ, ଯାହା ବଜାରରେ ଭଲ ଦରରେ ବିକ୍ରି ହେବାର ସମ୍ଭାବନା ରହିଛି ।

ତୁଳସୀ ଚାଷ ପାଇଁ ଲକ୍ଷ୍ନୌ ସ୍ଥିତ କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧିତ ଉଦ୍ଭିଦ ଗବେଷଣା ସଂସ୍ଥାନ (ସିମାପ୍) ପକ୍ଷରୁ ଉନ୍ନତମାନର ବିହନ ଯୋଗାଇ ଦିଆଯାଇଛି । ଏହା ଫଳରେ ଚାଷୀମାନେ ବୈଜ୍ଞାନିକ ପଦ୍ଧତିରେ ଉନ୍ନତ କିସମର ତୁଳସୀ ଚାଷ କରିପାରୁଛନ୍ତି । ଏଥିସହ ପଟ୍ଟାଙ୍ଗି କୃଷି ଉତ୍ପାଦକ କମ୍ପାନୀ ମହିଳା ଚାଷୀମାନଙ୍କୁ ବିହନ ଯୋଗାଣ, ଚାଷ ପାଇଁ ଆବଶ୍ୟକ ପରାମର୍ଶ ଓ ଉତ୍ପାଦର ବଜାର ବ୍ୟବସ୍ଥା କରି ସହଯୋଗ କରୁଛି ।

ଚାଷୀମାନଙ୍କ ପାଇଁ କେବଳ ଫସଲ ଉତ୍ପାଦନ କରିବା ନୁହେଁ, ବରଂ ଉତ୍ପାଦକୁ ଉଚିତ ବଜାରରେ ପହଞ୍ଚାଇବା ମଧ୍ୟ ଏହି ଯୋଜନାର ଏକ ପ୍ରମୁଖ ଅଂଶ। ପଟ୍ଟାଙ୍ଗି କୃଷି ଉତ୍ପାଦକ କମ୍ପାନୀ ଚାଷୀମାନଙ୍କଠାରୁ ଉତ୍ପାଦ ସଂଗ୍ରହ କରି ବାହାର ରାଜ୍ୟର ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରୁଛି । ଫଳରେ ମହିଳା ଚାଷୀମାନଙ୍କୁ ବଜାର ଖୋଜିବା ନେଇ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ।

କୋଟିଆର ଗୁମେଲପଦର ଗ୍ରାମର ବାସନ୍ତୀ ମାରି ଓ କୁନି ଗେମେଲ, ଫୁଲପଦରର ରାଧା ତାଡ଼ିଙ୍ଗି ଓ ଜିନିମା ବେନ୍ତକରଙ୍କ ସମେତ ଅନେକ ମହିଳା ଚାଷୀ ଏହି ନୂଆ ପ୍ରୟାସରେ ଯୋଗ ଦେଇଛନ୍ତି । ସେମାନେ ଦଳଗତ ଭାବେ ଚାଷ କାର୍ଯ୍ୟ କରୁଥିବାରୁ ପରସ୍ପରକୁ ସହଯୋଗ କରିବା ସହ କୃଷି କ୍ଷେତ୍ରରେ ନୂଆ ଅନୁଭବ ହାସଲ କରୁଛନ୍ତି ।
ପଟ୍ଟାଙ୍ଗି କୃଷି ଉତ୍ପାଦକ ଗୋଷ୍ଠୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେତାଲି ହନ୍ତାଳଙ୍କ ସୂଚନା ଅନୁଯାୟୀ, ଜାନିଗୁଡ଼ା ଅଞ୍ଚଳରେ ପ୍ରଥମେ ତୁଳସୀ ଚାରା ପ୍ରସ୍ତୁତ ପାଇଁ ନର୍ସରୀ କରାଯାଇଥିଲା।

ଏକର ପିଛା ପ୍ରାୟ ୨୫୦ରୁ ୩୦୦ ଗ୍ରାମ ବିହନ ବ୍ୟବହାର କରି ଚାରା ପ୍ରସ୍ତୁତ କରାଯାଇଛି। ପରେ ସେହି ଚାରାଗୁଡ଼ିକୁ ଚାଷ ଜମିରେ ରୋପଣ କରାଯାଇଛି।

କୋଟିଆ ଅଞ୍ଚଳରେ ବର୍ତ୍ତମାନ ବାବୁଲି ତୁଳସୀର ଉନ୍ନତ କିସମ ‘ସୌମ୍ୟା’ ଚାଷ କରାଯାଉଛି। ଏହି କିସମରୁ ଭଲ ପରିମାଣର ବାୟୋମାସ୍ ଓ ତେଲ ଉତ୍ପାଦନ ହେବାର ଆଶା ରହିଛି। ଏକ ହେକ୍ଟର ଜମିରୁ ପ୍ରାୟ ୨୦୦ କ୍ୱିଣ୍ଟାଲ ସବୁଜ ବାୟୋମାସ୍ ମିଳିପାରିବା ସହ ପ୍ରାୟ ୧୦୦ରୁ ୧୨୦ କିଲୋଗ୍ରାମ ପର୍ଯ୍ୟନ୍ତ ତୁଳସୀ ତେଲ ଉତ୍ପାଦନ ହେବାର ସମ୍ଭାବନା ରହିଛି ।

ଅମଳ ହୋଇଥିବା ତୁଳସୀରୁ ତେଲ ବାହାର କରିବା ପାଇଁ ସିପାଇପୁଟରେ ଥିବା ମିଣ୍ଟ ତେଲ ଉତ୍ପାଦନ କେନ୍ଦ୍ରକୁ ବ୍ୟବହାର କରାଯିବ । ମିଣ୍ଟ ଚାଷ ସମୟରେ ଗଢ଼ିଉଠିଥିବା ଏହି ପ୍ରକ୍ରିୟାକରଣ ବ୍ୟବସ୍ଥା ଏବେ ତୁଳସୀ ଚାଷୀମାନଙ୍କ ପାଇଁ ମଧ୍ୟ ବଡ଼ ସହାୟକ ହେବ । ଏହା ଫଳରେ କଞ୍ଚା ଉତ୍ପାଦ ବିକ୍ରି କରିବା ପରିବର୍ତ୍ତେ ତେଲ ଭଳି ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତ କରି ଅଧିକ ଲାଭ ପାଇବାର ସୁଯୋଗ ସୃଷ୍ଟି ହେବ।

ତୁଳସୀ ତେଲର ଚାହିଦା ଔଷଧ ଓ ସୁଗନ୍ଧି ଶିଳ୍ପରେ ରହିଛି। ଏହି ତେଲକୁ ଔଷଧ, ସାବୁନ, ପ୍ରସାଧନ ସାମଗ୍ରୀ, ସୁଗନ୍ଧି ଓ ଆରୋମାଥେରାପି ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଏ। ବଜାରରେ ତୁଳସୀ ତେଲର ଲିଟର ପିଛା ଦର ପ୍ରାୟ ୧୫୦୦ରୁ ୨୦୦୦ ଟଙ୍କା ରହିଥିବାରୁ ଏହି ଚାଷ ଚାଷୀମାନଙ୍କ ପାଇଁ ଲାଭଜନକ ହୋଇପାରିବ।

ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ଏହି ଚାଷ ମହିଳା ଚାଷୀମାନଙ୍କ ପାଇଁ ଆଶା ସୃଷ୍ଟି କରିଛି। ହେକ୍ଟର ପିଛା ତୁଳସୀ ଚାଷ ପାଇଁ ପ୍ରାୟ ୪୦ ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଉତ୍ପାଦନରୁ ପ୍ରାୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ହେବାର ସମ୍ଭାବନା ରହିଛି। ଅର୍ଥାତ୍ ଖର୍ଚ୍ଚ ବାଦ ଦେଲେ ହେକ୍ଟର ପିଛା ପ୍ରାୟ ୬୦ ହଜାର ଟଙ୍କା ଲାଭ ମିଳିପାରିବ।

କୃଷି ବୈଜ୍ଞାନିକଙ୍କ ମତରେ, କୋରାପୁଟ ଜିଲ୍ଲାର ଜଳବାୟୁ ଓ ଭୌଗୋଳିକ ପରିସ୍ଥିତି ତୁଳସୀ ଭଳି ଔଷଧୀୟ ଓ ସୁଗନ୍ଧିତ ଫସଲ ଚାଷ ପାଇଁ ଅନୁକୂଳ। ଜିଲ୍ଲାରେ ଏହି ଚାଷର ବ୍ୟାପକ ସମ୍ଭାବନା ରହିଛି। କୋଟିଆର ମହିଳା ଚାଷୀମାନେ ଏହି ନୂଆ କ୍ଷେତ୍ରରେ ଆଗକୁ ଆସିବା ଅନ୍ୟ ଚାଷୀମାନଙ୍କ ପାଇଁ ମଧ୍ୟ ପ୍ରେରଣା ହେବ।

ମିଣ୍ଟ ଚାଷ ପରେ ଏବେ ତୁଳସୀ ଚାଷକୁ ଆପଣାଇ କୋଟିଆର ମହିଳାମାନେ ପ୍ରମାଣ କରିଛନ୍ତି ଯେ ଆଧୁନିକ ଓ ବୈଜ୍ଞାନିକ କୃଷି ପଦ୍ଧତି ମାଧ୍ୟମରେ ଗ୍ରାମାଞ୍ଚଳରେ ମଧ୍ୟ ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରାଯାଇପାରିବ। ଦଳଗତ ପ୍ରୟାସ, ବୈଜ୍ଞାନିକ ସହଯୋଗ ଓ ସଠିକ ବଜାର ବ୍ୟବସ୍ଥା ମିଳିଲେ କୃଷି କେବଳ ଜୀବିକା ନୁହେଁ, ବରଂ ସ୍ୱାବଲମ୍ବନର ଏକ ଶକ୍ତିଶାଳୀ ମାଧ୍ୟମ ହୋଇପାରେ।

ମିଣ୍ଟ ଚାଷର ସଫଳତା ପରେ ତୁଳସୀର ସୁଗନ୍ଧ ଏବେ କୋଟିଆର ମହିଳା ଚାଷୀମାନଙ୍କ ଜୀବନରେ ନୂଆ ଆଶା ଓ ସମୃଦ୍ଧିର ସୁବାସ ଭରିବାକୁ ଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score