ପୁରୀ : ପାର୍ବଣ ଓ ପର୍ଯ୍ୟଟନ ଋତୁ ପୂର୍ବରୁ ପୁରୀରେ ବଢ଼ୁଥିବା ଅପରାଧ ଏବେ ଚିନ୍ତା ବଢ଼ାଇଛି। ଗଳିକନ୍ଦିଠାରୁ ବଡ଼ଦାଣ୍ଡ, ଜନଗହଳିପୂର୍ଣ୍ଣ ଅଞ୍ଚଳରୁ ଶ୍ରୀମନ୍ଦିର ନିକଟ କେଉଁଠି ବି ଅପରାଧୀଙ୍କୁ ଯେପରି ଭୟ ନାହିଁ। ଗତ କିଛି ଦିନରେ ଘଟିଥିବା ଏକାଧିକ ଘଟଣା ପୁରୀର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।
ଅଗଷ୍ଟ ୨୧ରେ ଶ୍ରୀମନ୍ଦିର ନିକଟ ବଡ଼ଦାଣ୍ଡରେ ଖଜା ଓ ଫଟୋମାଳି ବ୍ୟବସାୟକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଅଗଷ୍ଟ ୨୮ରେ ମାଟିମଣ୍ଡପ ସାହି ଅଞ୍ଚଳରେ ଗାଡ଼ି ସାଇଡ୍ ମରାକୁ କେନ୍ଦ୍ର କରି ଜଣେ ଅଟୋଚାଳକଙ୍କୁ ଲୁହା ପାଇପ୍ରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା।
ସେହିପରି ଅଗଷ୍ଟ ୩୧ରେ ମାର୍କଣ୍ଡେଶ୍ୱର ସାହିରେ ଅସ୍ତ୍ରଶସ୍ତ୍ର ଧରି ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଥିଲା। ଅନ୍ୟପଟେ କୁମ୍ଭାରପଡ଼ାରେ ମା’ଙ୍କୁ ହତ୍ୟା କରି ଭଡ଼ାଘର ସ୍ଲାବ ତଳେ ପୋତି ଦେବା ଘଟଣା ମଧ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାଛଡ଼ା ଜଗନ୍ନାଥ ବଲ୍ଲଭ ଅଞ୍ଚଳରେ ଫାଣ୍ଡି ନିକଟରେ ଜଣେ ଭିକ୍ଷୁକଙ୍କୁ ପଥରରେ ଛେଚି ହତ୍ୟା ଘଟଣା ଲୋକଙ୍କ ମନରେ ଭୟ ବଢ଼ାଇଛି।
କେତେକ ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଧରିଥିବା ବେଳେ କିଛି ଅଭିଯୁକ୍ତ ଏବେ ବି ଫେରାର। ବିଶେଷକରି କୁମ୍ଭାରପଡ଼ା ହତ୍ୟାକାଣ୍ଡର ଅଭିଯୁକ୍ତ ପୁଅକୁ ଧରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି।
ଆଗକୁ ପାର୍ବଣ ସହ ପର୍ଯ୍ୟଟନ ଋତୁ। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଫେସ୍ ରିଡିଂ ସିଷ୍ଟମ୍ ଓ ‘ଆମ ପୋଲିସ’ ଭଳି ବ୍ୟବସ୍ଥା ଥିଲେ ମଧ୍ୟ ବାରମ୍ବାର ଅପରାଧ ଘଟଣା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
