ଭୁବନେଶ୍ୱର: ସାରା ଓଡ଼ିଶାରେ କ୍ତିଲାଭ କରିଛି ଓଡ଼ିଆ ଚଳଚ୍ଚିତ୍ର ‘କାଙ୍ଗୁଲା’। ଆସ୍ଥା, ବିଶ୍ୱାସ ଓ ପରମ୍ପରାକୁ ଆଧାର କରି ତିଆରି ହୋଇଥିବା ଏହି ସିନେମାରେ ମା’ କାଳୀଙ୍କ ଦଣ୍ଡନାଚ ଓ ଆଧ୍ୟାତ୍ମିକ ଗାଥାକୁ ଜୀବନ୍ତ ଭାବରେ ପ୍ରଦର୍ଶିତ କରାଯାଇଛି। ଅନୁଗୋଳ ଜିଲ୍ଲାର କାଙ୍ଗୁଲା ଗାଁର ପ୍ରସିଦ୍ଧ ମେରୁଯାତ୍ରା ଓ ଦକ୍ଷିଣ ଓଡ଼ିଶା ଗଞ୍ଜାମର ଦଣ୍ଡନାଚ ପରମ୍ପରାକୁ ଚଳଚ୍ଚିତ୍ରରେ ସୁନ୍ଦର ଭାବରେ ଆଲୋକିତ କରାଯାଇଛି । ଯାହା ଦର୍ଶକମାନଙ୍କର ହୃଦୟକୁ ଛୁଇଁପାରିଛି ।
ଏହି ଫିଲ୍ମ ମୁକ୍ତି ପାଇବାର ମାତ୍ର କିଛି ଦିନ ମଧ୍ୟରେ ଫିଲ୍ମଟି ପ୍ରେକ୍ଷକଙ୍କ ଭଲ ପ୍ରତିକ୍ରିୟା ପାଉଛି । ଭୁବନେଶ୍ୱରର ମହାରାଜା ହଲରେ ପ୍ରିମିୟର ହୋଇଥିବା ଏହି ସିନେମା ପ୍ରତିଦିନ ହାଉସଫୁଲ୍ ହେଉଥିବା ଦେଖାଯାଉଛି। ବିଶେଷ କରି ମା’ଙ୍କ ୧୨ ଫୁଟ ଉଚ୍ଚ ମୂର୍ତ୍ତି ଓ ଭାବନାପ୍ରବଣ କାହାଣୀ ଦର୍ଶକଙ୍କୁ ଗଭୀର ଭାବରେ ଆକର୍ଷିତ କରୁଛି।
ଆଜିର ଯୁଗରେ ଯେତେବେଳେ ପରମ୍ପରା ଓ ଧାର୍ମିକ ଆସ୍ଥା ଧୀରେ ଧୀରେ ଅନ୍ଧକାରକୁ ଯାଉଛି, ସେତେବେଳେ ‘କାଙ୍ଗୁଲା’ ସେହି ଲୁପ୍ତ ପରମ୍ପରାକୁ ପୁଣିଥରେ ପରଦାରେ ଆଣିବାରେ ସଫଳ ହୋଇଛି । ଦଣ୍ଡକାଳୀଙ୍କ ଦଣ୍ଡନାଚ ଓ ଗାଁଘରା ଜୀବନର ସତ୍ୟ ଚିତ୍ରଣ ଫିଲ୍ମଟିକୁ ଅଧିକ ପ୍ରଭାବଶାଳୀ କରିଛି।
ଅଭିନୟ ପ୍ରସଙ୍ଗରେ, ମୁଖ୍ୟ ଭୂମିକାରେ ଅଭିନେତା ସମ୍ବିତ ଆଚାର୍ଯ୍ୟଙ୍କ ଅଭିନୟ ବେଶ ପ୍ରଶଂସା ପାଉଛି। ତାଙ୍କ ସହ ଅଭିଷେକ ଗିରିଙ୍କ ସହଯୋଗ ଓ ବନ୍ଧୁତ୍ୱର ଦୃଶ୍ୟ ଦର୍ଶକଙ୍କୁ ବିଶେଷ ଭାବେ ଆକର୍ଷିତ କରିଛି। ନାୟିକା ସୂର୍ଯ୍ୟମୟୀ ମହାପାତ୍ରଙ୍କ ସହ ସମ୍ବିତଙ୍କ ନୂଆ ଯୋଡି ପ୍ରଥମ ଥର ପାଇଁ ବଡ ପରଦାରେ ଦେଖାଯାଇ ଦର୍ଶକମାନଙ୍କ ମନ ଜିତିଛି।
ଏହାସହ ଅନ୍ୟାନ୍ୟ ଅଭିନେତାମାନେ ମଧ୍ୟ ନିଜ ନିଜ ଭୂମିକାକୁ ନିଖୁଣ ଭାବରେ ପ୍ରତିପାଦନ କରିଛନ୍ତି। ସୁଶାନ୍ତ ଦାସ ମହାପାତ୍ର, ଶ୍ରୀତମ ଦାସ, ପୁପିନ୍ଦର, ନବପ୍ରୀତ, ପ୍ରଦ୍ୟୁମ୍ନ ଲେଙ୍କା, ଚେତନା, ନମ୍ରତା ଦାସ (ଡଲି ଅପା) ଓ ଭକ୍ତି ଆଦିଙ୍କ ଅଭିନୟ ଫିଲ୍ମକୁ ଅଧିକ ଆକର୍ଷିତ କରିଛି।
ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା କରିଛନ୍ତି ଅଶ୍ୱିନୀ ତ୍ରିପାଠୀ, ଯିଏ ଏଥିରେ ଅଭିନୟ ମଧ୍ୟ କରିଛନ୍ତି। କାହାଣୀ ଓ ଚିତ୍ରନାଟ୍ୟ ଅମିତ କୁମାର ଦାସଙ୍କ ଦ୍ୱାରା ଲିଖିତ। ସତ୍ୟନାରାୟଣ ପ୍ରଡକ୍ସନ ଓ ସମ୍ବିତ ଆଚାର୍ଯ୍ୟ ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସମ୍ବିତ ଅଭିନୟ ସହ ପ୍ରଯୋଜନା ଭାର ମଧ୍ୟ ନେଇଛନ୍ତି। ସଙ୍ଗୀତ ଓ ଗୀତରେ ବୈଦ୍ୟନାଥ ଦାସ, ଜେଏନ ପଦ୍ମା ଓ ସୁମିତ ଦୀକ୍ଷିତଙ୍କ ଅବଦାନ ରହିଛି।
“ଗାଁଘରା ସତ କାହାଣୀ ଓ ଠାକୁରାଣୀଙ୍କ ଆସ୍ଥାକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଦର୍ଶକମାନଙ୍କର ଭଲ ପ୍ରତିକ୍ରିୟା ଫିଲ୍ମଟିକୁ ଆହୁରି ଆଗକୁ ନେଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
