Explore

Search

September 5, 2026 9:13 pm

ଦିବ୍ୟାଙ୍ଗ ନୁହେଁ, ସେମାନେ ସକ୍ଷମ ଓ ସ୍ୱତନ୍ତ୍ର: ‘ସାମର୍ଥ୍ୟ-୨୦୨୬’ରେ ପ୍ରଦର୍ଶିତ ୬୪ କ୍ଷୁଦ୍ର ଚଳଚ୍ଚିତ୍ର

ଭୁବନେଶ୍ୱର : “ଅକ୍ଷମ ନୁହେଁ, ସେମାନେ ସକ୍ଷମ ଓ ସ୍ୱତନ୍ତ୍ର” ଏହି ବାର୍ତ୍ତାକୁ ନେଇ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଜାତୀୟସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ-୨୦୨୬’। ଦ୍ୱିତୀୟ ସଂସ୍କରଣର ଏହି ମହୋତ୍ସବରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପ୍ରେରଣାଦାୟୀ ଜୀବନ, ସଂଘର୍ଷ, ସଫଳତା ଓ ସାମର୍ଥ୍ୟକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଗୁଡ଼ିକ ପ୍ରଦର୍ଶିତ ହୋଇଛି।
ଭୁବନେଶ୍ୱରସ୍ଥିତ Institute of Minerals and Materials Technology (IMMT) ପରିସରରେ ଆୟୋଜିତ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ରାଜ୍ୟ ଓ ଜାତୀୟ ସ୍ତରର ମୋଟ ୬୪ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସେଥିମଧ୍ୟରୁ ୧୪ଟି ଜାତୀୟ ସ୍ତରର ଏବଂ ୨୦ଟି ରାଜ୍ୟ ସ୍ତରର ଚଳଚ୍ଚିତ୍ର ସାମିଲ ହୋଇଥିଲା। ବିଭିନ୍ନ ବର୍ଗରେ ମୋଟ ୩୪ଟି ଚଳଚ୍ଚିତ୍ରକୁ ସେମାନଙ୍କର ସ୍ୱତନ୍ତ୍ର କାହାଣୀ ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଛି।
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହଯୋଗରେ ଆୟୋଜିତ ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସିନେମା ମାଧ୍ୟମରେ ଦିବ୍ୟାଙ୍ଗଙ୍କ ସାମର୍ଥ୍ୟ ଓ ସଫଳତାର କାହାଣୀକୁ ସମାଜ ସମ୍ମୁଖରେ ଆଣିବା। ବିଭିନ୍ନ ପ୍ରଯୋଜକ ଓ ନିର୍ଦ୍ଦେଶକ ୨ରୁ ୫ ମିନିଟ୍‌ ଅବଧିର ଡକ୍ୟୁମେଣ୍ଟାରୀ ଓ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଏହି କାହାଣୀଗୁଡ଼ିକୁ ଜୀବନ୍ତ ରୂପ ଦେଇଛନ୍ତି।
ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଆଞ୍ଚଳିକ ଓ ଜାତୀୟ ଦୁଇଟିସ୍ତରରେ ବିଭିନ୍ନ ବର୍ଗର ଚଳଚ୍ଚିତ୍ରକୁ ସମ୍ମାନିତ କରାଯାଇଛି। ୧୨ରୁ ଅଧିକ ବର୍ଗରେ ଚଳଚ୍ଚିତ୍ରଗୁଡ଼ିକୁ ଶ୍ରେଷ୍ଠତା ପାଇଁ ପୁରସ୍କୃତ କରାଯାଇଛି।
ଚଳଚ୍ଚିତ୍ରଗୁଡ଼ିକର ମୂଲ୍ୟାୟନ ପାଇଁ ଚଳଚ୍ଚିତ୍ର ଜଗତର ୬ ଜଣ ବରିଷ୍ଠ ଓ ଅଭିଜ୍ଞ ଅଭିନେତା, ସମୀକ୍ଷକ ଓ ବିଶେଷଜ୍ଞଙ୍କୁ ନେଇ ଜୁରୀ ଗଠନ କରାଯାଇଥିଲା। ସେମାନେ ପ୍ରଦର୍ଶିତ ଚଳଚ୍ଚିତ୍ରଗୁଡ଼ିକର କାହାଣୀ, ଉପସ୍ଥାପନା ଓ ବାର୍ତ୍ତାକୁ ଆଧାର କରି ଶ୍ରେଷ୍ଠ ଚଳଚ୍ଚିତ୍ର ଚୟନ କରିଥିଲେ।
ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି, “ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ‘ସାମର୍ଥ୍ୟ’ ଏକ ନିଆରା ମଞ୍ଚ। ସେମାନଙ୍କ ପ୍ରତିଭାକୁ ବିଶ୍ୱସ୍ତରରେ ପହଞ୍ଚାଇବା ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାରେ ସିନେମା ଏକ ଶକ୍ତିଶାଳୀ ମାଧ୍ୟମ। ସେମାନଙ୍କ କାହାଣୀ ସମାଜକୁ ଏକ ନୂଆ ଦୃଷ୍ଟିକୋଣ ଦେବା ସହ ସେମାନଙ୍କ ସାମର୍ଥ୍ୟକୁ ପ୍ରମାଣିତ କରୁଛି।”
ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ କହିଛନ୍ତି, “ଭିନ୍ନକ୍ଷମ ନୁହେଁ, ସେମାନେ ସମାଜ ପାଇଁ ସ୍ୱତନ୍ତ୍ର। ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କ ସ୍ୱତନ୍ତ୍ରତାକୁ ପ୍ରତିପାଦିତ କରିବା ପାଇଁ ବିଭାଗ ସର୍ବଦା ଚେଷ୍ଟା କରୁଛି ଏବଂ ସହଯୋଗ ପାଇଁ ପ୍ରସ୍ତୁତ ରହିଛି।”
ଏହି ମହୋତ୍ସବରେ ଦିବ୍ୟାଙ୍ଗଙ୍କ ଜୀବନ କାହାଣୀକୁ ଅଭିନୟ ମାଧ୍ୟମରେ ଜୀବନ୍ତ କରିବାର ସୁଯୋଗ ପାଇଥିବାରୁ ଅଭିନେତ୍ରୀ ଜସ୍ମିନ ମିଶ୍ର ମଧ୍ୟ ଖୁସି ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ସେମାନଙ୍କ କାହାଣୀର ଏକ ଅଂଶ ହୋଇ ତାଙ୍କ କଥାକୁ ସମାଜ ପାଖରେ ପହଞ୍ଚାଇ ପାରିବା ମୋ କଳାକାର ଜୀବନର ସାର୍ଥକତା। ଏହି ଅନୁଭୂତି ପାଇଁ ମୁଁ ଗର୍ବିତ।”
ସିନେମାକୁ ସମାଜର ଦର୍ପଣ କୁହାଯାଏ। ଏହି ଚିନ୍ତାଧାରାକୁ ଆଗକୁ ନେଇ ଚଳିତ ବର୍ଷର ‘ସାମର୍ଥ୍ୟ-୨୦୨୬’ର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି ଅଭିନେତ୍ରୀ ଶୀତଲ ପାତ୍ର। ସେ କହିଛନ୍ତି, “ଜାତୀୟ ସ୍ତରର ଏହି ମହୋତ୍ସବରେ ଯେଉଁମାନଙ୍କୁ ଆମେ ଭିନ୍ନକ୍ଷମ ବୋଲି ଭାବୁଛୁ, ସେମାନଙ୍କ ମଧ୍ୟରେ ଥିବା ସୁପରହିରୋଙ୍କ ସାମର୍ଥ୍ୟର କାହାଣୀ ସିନେମା ମାଧ୍ୟମରେ ସମସ୍ତେ ଦେଖିପାରିବେ।”
ଚଳଚ୍ଚିତ୍ର ଚୟନ ପ୍ରକ୍ରିୟାକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରିବାକୁ ଆୟୋଜକମାନେ ଯୋଜନା କରୁଛନ୍ତି। କେବଳ କ୍ଷୁଦ୍ର ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରୀରେ ସୀମିତ ନରହି ଭବିଷ୍ୟତରେ ମିଡ୍-ଲେଙ୍ଗଥ୍ ସିନେମାକୁ ମଧ୍ୟ ମହୋତ୍ସବରେ ସାମିଲ କରିବା ପାଇଁ ପ୍ରସ୍ତାବ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score