ଭୁବନେଶ୍ୱର : ଦାଢ଼ି ରଖିଲେ ହେବନି ବାହାଘର । ନା ବିବାହରେ ଡିଜେ ବାଜିବ ନା ଦାଢ଼ି ରଖିଥିବା ପୁଅ ବର ହେଇ ଆସିବ। ଏଠି ଏହା ସମ୍ପୂର୍ଣ୍ଣ ନିଷେଧ । ଏହା ଏମିତି ଏକ ସ୍ଥାନ ଯେଉଁଠି ବରଙ୍କ ଦାଢ଼ି ଉପରେ ଲାଗିଛି ବ୍ୟାନ୍। ରାଜସ୍ଥାନର ପାଲି ଜିଲ୍ଲାରେ ଏକ ସମାଜିକ ମହାସଭାରେ କିଛି ଅନନ୍ୟ ଏବଂ କଠୋର ନିଷ୍ପତ୍ତି ଗ୍ରହଣ କରାଯାଇଛି । ପାଲି, ଯୋଧପୁର, ବେୱାର, ଜାଲୋର ଏବଂ ନାଗୌର ଜିଲ୍ଲାର ବହୁ ସଂଖ୍ୟକ ସମାଜ ସଦସ୍ୟ ଏହି ସଭାରେ ଯୋଗଦେଇଥିଲେ । ସମାଜରେ ବଢ଼ୁଥିବା ଅନାବଶ୍ୟକ ଖର୍ଚ୍ଚ ଓ କୁପ୍ରଥାକୁ ରୋକିବା ପାଇଁ ସମସ୍ତଙ୍କ ସମ୍ମତିରେ ନୂଆ ନିୟମ ଲାଗୁ କରାଯାଇଛି ।
ବିବାହ ଉତ୍ସବକୁ ସରଳ ଏବଂ ସଂଯମିତ କରିବା ପାଇଁ ପଞ୍ଚାୟତ ବିଶେଷ ନିଷ୍ପତ୍ତି ନେଇଛି । ସେଥିରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ହୋଇଛି ବରଙ୍କ ଦାଢ଼ିକୁ ନେଇ ନିୟମ । ପଞ୍ଚାୟତ କହିଛି ଯେ ଆମ ସମାଜରେ ଦାଢ଼ି ରଖି ବିବାହ କରିବାକୁ ଆସିଥିବା ବରକୁ ଅନୁମତି ମିଳିବ ନାହିଁ ଏବଂ ବରଙ୍କୁ ସଫା ମୁହଁରେ ବିବାହ କରିବାକୁ ପଡ଼ିବ ।
ଏହାସହ ବିବାହ ଓ ଅନ୍ୟ ସାମାଜିକ କାର୍ଯ୍ୟରେ ଉଚ୍ଚ ଶବ୍ଦର ସଙ୍ଗୀତ ଓ ଡିଜେ ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକ ଖର୍ଚ୍ଚକୁ ରୋକିବା ପାଇଁ ୨୧ ହଜାର ଟଙ୍କାର ସୀମା ମଧ୍ୟ ଧାର୍ଯ୍ୟ କରାଯାଇଛି । ପଞ୍ଚାୟତର କହିବା ଅନୁଯାୟୀ, ଦେଖାଦେଖି ଏବଂ ଅତ୍ୟଧିକ ଖର୍ଚ୍ଚ କାରଣରୁ ଅନେକ ପରିବାର ଆର୍ଥିକ ସମସ୍ୟାରେ ପଡ଼ୁଛନ୍ତି ।
ସାମାଜିକ କାର୍ଯ୍ୟକ୍ରମରେ ନିଶାଦ୍ରବ୍ୟ ବ୍ୟବହାର ବିରୋଧରେ ମଧ୍ୟ କଠୋର ନିଷ୍ପତ୍ତି ନିଆଯାଇଛି । ସେହିପରି ଅଫିମ, ମଦ୍ୟପାନ ଓ ଅନ୍ୟ ନିଶାଜାତୀୟ ପଦାର୍ଥକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଯଦି କୌଣସି କାର୍ଯ୍ୟକ୍ରମରେ ଏହି ପଦାର୍ଥ ବ୍ୟବହାର ହେଉଥିବା ଧରାପଡ଼େ, ତେବେ ସମାଜ ପକ୍ଷରୁ ସେହି କାର୍ଯ୍ୟକ୍ରମକୁ ବର୍ଜନ କରାଯିବ ବୋଲି ସତର୍କ କରାଯାଇଛି ।
ନୂତନ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଉପରେ କଠୋର ଜରିମାନା ଲଗାଯିବ । ପଞ୍ଚାୟତ ୨ ଲକ୍ଷ ୫୧ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ ନିର୍ଦ୍ଧାରଣ କରିଛି । ସମାଜରେ ଶୃଙ୍ଖଳା ଏବଂ ସରଳତା ରକ୍ଷା ପାଇଁ ଏହାକୁ ଆବଶ୍ୟକ ପଦକ୍ଷେପ ବୋଲି କୁହାଯାଇଛି ।
ଏହା ସହ ବାଲ୍ୟବିବାହ ଓ ମୃତ୍ୟୁଭୋଜ ଭଳି କୁପ୍ରଥାକୁ ଦୂର କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସମାଜର ଉନ୍ନତି ପାଇଁ ଶିକ୍ଷା, ଚାକିରି ଏବଂ ଦୁର୍ବଳ ପରିବାରଙ୍କ ସହାୟତାକୁ ପ୍ରାଥମ୍ୟ ଦେବାକୁ ବକ୍ତାମାନେ ଆହ୍ୱାନ କରିଛନ୍ତି । ଯୁବପିଢ଼ିଙ୍କୁ ସଚେତନ ଓ ଶିକ୍ଷିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ଶବଦାହ ପରବର୍ତ୍ତୀ ଭୋଜକୁ ମଧ୍ୟ ସରଳ କରିବା ପାଇଁ ନୂତନ ନିୟମ ଆଣାଯାଇଛି । ଦ୍ୱାଦଶ ଦିନର କାର୍ଯ୍ୟରେ କେବଳ ସାଧାରଣ ଖାଦ୍ୟ ଏବଂ ମିଠା ଭାବେ ଲସି ପରିବେଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଅନାବଶ୍ୟକ ଖର୍ଚ୍ଚ କମାଇ ସରଳ ପରମ୍ପରାକୁ ଆଗେଇ ନେବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ ।
ମହାସଭାରେ ଉପସ୍ଥିତ ସମସ୍ତ ପଞ୍ଚ ଓ ସମାଜର ବରିଷ୍ଠ ସଦସ୍ୟମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହି ସମସ୍ତ ନିୟମ ପାଲି, ଯୋଧପୁର, ବେୱାର, ଜାଲୋର ଓ ନାଗୌର ଜିଲ୍ଲାରେ ତୁରନ୍ତ ଲାଗୁ କରାଯିବ ବୋଲି ଘୋଷଣା କରାଯାଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
