Explore

Search

June 27, 2026 7:09 am

ତେଲ ପରେ ଏବେ ହର୍ମୁଜ୍ ପ୍ରଣାଳୀରେ ‘ଡିଜିଟାଲ୍ ଆଟାକ’

ପଶ୍ଚିମ ଏସିଆରେ ବଢୁଥିବା ଯୁଦ୍ଧ ଏବେ କେବଳ ଯୁଦ୍ଧଜାହାଜ, କ୍ଷେପଣାସ୍ତ୍ର କିମ୍ବା ଲଢୁଆ ବିମାନ ପର୍ଯ୍ୟନ୍ତ ସୀମିତ ରହି ନାହିଁ । ଏହି ସଂଘର୍ଷ ଏବେ ଡିଜିଟାଲ୍ ଜଗତକୁ ମଧ୍ୟ ଛୁଇଁଯାଇଛି। ହର୍ମୁଜ୍ ପ୍ରଣାଳୀକୁ କେନ୍ଦ୍ର କରି ଇରାନ ଓ ଆମେରିକା ମଧ୍ୟରେ ଆର୍ଥିକ ଏବଂ କୌଶଳଗତ ଚାପ ବଢୁଥିବା ବେଳେ, ଏବେ ସମୁଦ୍ରତଳ ଦେଇ ଯାଉଥିବା ଇଣ୍ଟରନେଟ୍ ଓ ଡାଟା କେବୁଲ ନେଇ ନୂଆ ବିବାଦ ଆରମ୍ଭ ହୋଇଛି । ବିଶ୍ୱର ବଡ଼ ବଡ଼ ଆର୍ଥିକ କାର୍ଯ୍ୟକଳାପ, ବ୍ୟାଙ୍କି ଟ୍ରାଞ୍ଜାକ୍ସନ, ଷ୍ଟକ୍ ମାର୍କେଟ ତଥ୍ୟ ଏବଂ ଆନ୍ତର୍ଜାତୀୟ ଡିଜିଟାଲ୍ ସଂଯୋଗ ଏହି କେବୁଲ ମାଧ୍ୟମରେ ଚାଲୁଥିବାରୁ ଏହାକୁ ନେଇ ବିଶ୍ୱ ଚିନ୍ତିତ ହୋଇପଡ଼ିଛି।

ହର୍ମୁଜ୍ ପ୍ରଣାଳୀ ବିଶ୍ୱର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ ମାର୍ଗମଧ୍ୟରୁ ଗୋଟିଏ। ଏହି ମାର୍ଗ ଦେଇ ବିଶ୍ୱର ବଡ଼ ଅଂଶ ତେଲ ଓ ଗ୍ୟାସ ରପ୍ତାନି ହୁଏ । ଏବେ ଇରାନ ଦାବି କରୁଛି ଯେ, ଏହି ଅଞ୍ଚଳ ଦେଇ ଯାଉଥିବା ଫାଇବର ଅପ୍ଟିକ୍ କେବୁଲ ଉପରେ ମଧ୍ୟ ତାହାର ନିୟନ୍ତ୍ରଣ ରହିଛି । ଏହି କେବୁଲ ମାଧ୍ୟମରେ ୟୁରୋପରୁ ଏସିଆ ପର୍ଯ୍ୟନ୍ତ ଦେଶମାନଙ୍କ ମଧ୍ୟରେ ଡାଟା ଆଦାନ ପ୍ରଦାନ ହୁଏ ।

ରିପୋର୍ଟ ଅନୁଯାୟୀ ପ୍ରତିଦିନ ଟ୍ରିଲିୟନ ଡଲାରର ଆର୍ଥିକ ତଥ୍ୟ ଏହି କେବୁଲ ଦେଇ ଗତି କରୁଥାଏ। ସୁଇଫ୍ଟ ବ୍ୟାଙ୍କି ସିଷ୍ଟମ, ଅନଲାଇନ୍ ଟଙ୍କା ଲେନଦେନ, ଷ୍ଟକ୍ ମାର୍କେଟ ଡାଟା ଓ ଆନ୍ତର୍ଜାତୀୟ ବ୍ୟବସାୟ ସୂଚନା ଏହି କେବୁଲ ଉପରେ ନିର୍ଭର କରେ।

ଆମେରିକା ଦ୍ୱାରା ଲାଗୁ ହୋଇଥିବା ଆର୍ଥିକ ପ୍ରତିବନ୍ଧକ ଓ ତେଲ ରପ୍ତାନିରେ ବାଧା କାରଣରୁ ଇରାନ ଭାରି ଆର୍ଥିକ କ୍ଷତି ସହୁଛି। ଏହି ପରିସ୍ଥିତିରେ ଇରାନ ନୂଆ ଆୟ ସୂତ୍ର ଖୋଜୁଥିବା ବେଳେ ଏବେ ଡିଜିଟାଲ୍ ଡାଟା ଟ୍ରାନ୍ସମିସନ୍ ଉପରେ ଶୁଳ୍କ ଲାଗୁ କରିବା ଯୋଜନା କରୁଛି।

ଇରାନର କହିବା ଅନୁସାରେ, ଯେତେବେଳେ ଏତେ ବଡ଼ ଆର୍ଥିକ କାର୍ଯ୍ୟକଳାପ ତାହାର ଜଳସୀମା ଦେଇ ଚାଲୁଛି, ସେଥିପାଇଁ ଶୁଳ୍କ ନେବାର ଅଧିକାର ତାହାର ଅଛି । ଏହି ନିଷ୍ପତ୍ତିକୁ ସମର୍ଥନ କରିବା ପାଇଁ ଇରାନ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ ଓ ଜାତିସଂଘର ସମୁଦ୍ର ଆଇନର ଧାରାଗୁଡ଼ିକର ଉଦାହରଣ ଦେଉଛି।

ଇରାନ ଦାବି କରୁଛି ଯେ, ତାହାର କ୍ଷେତ୍ରୀୟ ଜଳସୀମା ଦେଇ ଯାଉଥିବା କେବୁଲ ବିଛାଇବା କିମ୍ବା ତାହାର ମରାମତି ପାଇଁ ଅନୁମତି ନିହାତି ଆବଶ୍ୟକ। ଯଦି କୌଣସି କେବୁଲ କ୍ଷତିଗ୍ରସ୍ତ ହୁଏ, ତେବେ ମରାମତି କାମ ପାଇଁ ମଧ୍ୟ ଇରାନର ସହଯୋଗ ଦରକାର ପଡ଼ିବ । ଏହି ଆଇନଗତ ଦଲିଲକୁ ଆଧାର କରି ଇରାନ ଏବେ ଡିଜିଟାଲ୍ ରାସ୍ତାରେ ନିଜର ପ୍ରଭାବ ବଢ଼ାଇବାକୁ ଚାହୁଁଛି। ଏହାକୁ କେବଳ ଏକ ଆର୍ଥିକ ପଦକ୍ଷେପ ଭାବେ ନୁହେଁ, ବରଂ ଏକ ଡିଜିଟାଲ୍ କୌଶଳଗତ ଚାପ ଭାବରେ ଦେଖାଯାଉଛି।

ଏହି ପଦକ୍ଷେପକୁ ନେଇ ୟୁରୋପ, ଆରବ ଦେଶ ଓ ଆମେରିକାର ଚିନ୍ତା ବଢ଼ିଛି। ବିଶେଷଜ୍ଞମାନଙ୍କ ମତରେ, ଯଦି ସମୁଦ୍ରତଳ କେବୁଲରେ ବାଧା ସୃଷ୍ଟି ହୁଏ, ତେବେ ବିଶ୍ୱ ଅର୍ଥନୀତିରେ ଭୟାବହ ପ୍ରଭାବ ପଡ଼ିପାରେ। ବ୍ୟାଙ୍କି ସେବା ବନ୍ଦ ହୋଇପାରେ, ଅନଲାଇନ୍ ବାଣିଜ୍ୟ ବିଘ୍ନିତ ହୋଇପାରେ, ଷ୍ଟକ୍ ମାର୍କେଟରେ ଅସ୍ଥିରତା ଆସିପାରେ ଏବଂ ଅନେକ ଦେଶର ଡିଜିଟାଲ୍ ଯୋଗାଯୋଗ ପ୍ରଣାଳୀ ଅସ୍ଥିର ହୋଇପାରେ। ଆଜିର ଦୁନିଆରେ ଇଣ୍ଟରନେଟ୍ ଓ ଡାଟା ସଂଯୋଗ ଯେପରି ଜରୁରୀ ହୋଇପଡ଼ିଛି, ସେହିପରି ସମୁଦ୍ରତଳ କେବୁଲ ମଧ୍ୟ ବିଶ୍ୱ ଅର୍ଥନୀତିର ମୂଳ ଭିତ୍ତିରେ ପରିଣତ ହୋଇଛି।

ସୁରକ୍ଷା ବିଶ୍ଳେଷକମାନଙ୍କ ମତରେ, ଏହା ଭବିଷ୍ୟତର ନୂଆ ପ୍ରକାରର ଯୁଦ୍ଧର ସଙ୍କେତ। ଏବେ ଯୁଦ୍ଧ କେବଳ ସୀମା, ତେଲ କିମ୍ବା ଅସ୍ତ୍ରକୁ କେନ୍ଦ୍ର କରି ହେବ ନାହିଁ, ବରଂ ଡିଜିଟାଲ୍ ତଥ୍ୟ, ଇଣ୍ଟରନେଟ୍ ଓ ସାଇବର ନିୟନ୍ତ୍ରଣକୁ କେନ୍ଦ୍ର କରି ମଧ୍ୟ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score