Explore

Search

April 28, 2026 10:57 pm

ଟଙ୍କା ପାଇଁ ଭାଇର ଚରମ ପଦକ୍ଷେପ : ମୃତ ଭଉଣୀର ଦେହ ନେଇ ବ୍ୟାଙ୍କ ସମ୍ମୁଖରେ ପହଞ୍ଚିଲେ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲିପଶି ଅଞ୍ଚଳରୁ ଏକ ବିଚଳିତ କରୁଥିବା ଘଟଣା ସାମ୍ନାକୁ ଆସିଛି। ନିଜ ମୃତ ଭଉଣୀଙ୍କ ଜମା ଟଙ୍କା ଉଠାଇବା ପାଇଁ ଜଣେ ବୃଦ୍ଧ ବ୍ୟକ୍ତି ଶ୍ମଶାନରୁ ମୃତଦେହ ଖୋଳି ଆଣି ବ୍ୟାଙ୍କ ସାମ୍ନାରେ ରଖିଥିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।

ସୂଚନା ଅନୁସାରେ, ଡିଆନାଳି ଗାଁର ଜିତୁ ମୁଣ୍ଡା କିଛି ଦିନ ପୂର୍ବରୁ ତାଙ୍କ ଭଉଣୀଙ୍କ ଖାତାରେ ଥିବା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଇଥିଲେ। କିନ୍ତୁ ବ୍ୟାଙ୍କ ପକ୍ଷରୁ ସେହି ଟଙ୍କା ଦେବାକୁ ଅସ୍ୱୀକାର କରାଯାଇଥିଲା। ଖାତାଧାରୀ ନିଜେ ଉପସ୍ଥିତ ନ ଥିଲେ ଟଙ୍କା ଦିଆଯିବ ନାହିଁ ବୋଲି ଶାଖା ପ୍ରବନ୍ଧକ ସ୍ପଷ୍ଟ କରିଥିଲେ। ଭଉଣୀଙ୍କ ମୃତ୍ୟୁ ବିଷୟରେ କହିବା ପରେ ମଧ୍ୟ ଉତ୍ତରାଧିକାରୀ ସମ୍ପର୍କୀୟ ପ୍ରମାଣ ଆଣିବାକୁ କୁହାଯାଇଥିଲା।

ଏଥିରେ ବିବ୍ରତ ଓ ହତାଶ ହୋଇ ଜିତୁ ମୁଣ୍ଡା ଗାଁର ଶ୍ମଶାନକୁ ଯାଇ ପୋତାଯାଇଥିବା ଭଉଣୀଙ୍କ ମୃତଦେହକୁ ଖୋଳିଥିଲେ। ପରେ ସେହି ମୃତଦେହକୁ କାନ୍ଧରେ ବୋହି ପ୍ରାୟ ୩ କିଲୋମିଟର ଚାଲି ମଲିପଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ନେଇ ଆସିଥିଲେ। ବ୍ୟାଙ୍କ ଭିତରେ ଥିବା କର୍ମଚାରୀ ଓ ଗ୍ରାହକମାନେ ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇ ଯାଇଥିଲେ ।

ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୃଦ୍ଧଙ୍କୁ ବୁଝାଇବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ପରେ ମୃତଦେହକୁ ପୁନର୍ବାର ଶ୍ମଶାନକୁ ନେଇ ସମ୍ମାନ ସହ ପୋତାଯାଇଥିଲା।

ଉଲ୍ଲେଖ୍ୟ, ମୃତକା କଲରା ମୁଣ୍ଡା କିଛି ବର୍ଷ ପୂର୍ବେ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଓ ଏକମାତ୍ର ସନ୍ତାନଙ୍କ ମୃତ୍ୟୁ ପୂର୍ବରୁ ହୋଇଥିଲା। ଦୁଇ ମାସ ପୂର୍ବେ କଲରାଙ୍କ ମଧ୍ୟ ଦେହାନ୍ତ ହୋଇଥିଲା। ସମ୍ପର୍କୀୟମାନଙ୍କ କହିବା ଅନୁସାରେ, ଜିତୁ ମୁଣ୍ଡା ହିଁ ତାଙ୍କର ଏକମାତ୍ର ନିକଟତମ ଲୋକ ଥିଲେ।

ଜଣାପଡ଼ିଛି ଯେ, କଲରା ମୁଣ୍ଡାଙ୍କ ଖାତାରେ ଥିବା ପ୍ରାୟ ୧୯,୩୦୦ ଟଙ୍କା ଉଠାଇବା ପାଇଁ ଜିତୁ ଏହି ଚରମ ପଦକ୍ଷେପ ନେଇଥିଲେ। ଘଟଣା ପରେ ବ୍ୟାଙ୍କର ବ୍ୟବହାରକୁ ନେଇ ଅନେକେ ଅସନ୍ତୋଷ ଓ ଅମାନବିକତାର ଅଭିଯୋଗ ଉଠାଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score