ଛତ୍ରପୁର : ଆସନ୍ତା ଜୁନ୍ ମାସ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଛତ୍ରପୁର ଷ୍ଟାଡିୟମରେ ଆୟୋଜିତ ହେବ ବହୁ ପ୍ରତୀକ୍ଷିତ “ଛତ୍ରପୁର ମହୋତ୍ସବ–୨୦୨୬”। ଗଞ୍ଜାମ ଜିଲ୍ଲାର ସଂସ୍କୃତି, ପାରମ୍ପରିକତା, କୃଷି, ହସ୍ତଶିଳ୍ପ ଓ ଲୋକଜୀବନକୁ ଏକ ମଞ୍ଚରେ ଆଣିବାକୁ ଯାଉଥିବା ଏହି ମହୋତ୍ସବ ଚଳିତ ବର୍ଷ ଆହୁରି ଭବ୍ୟ ଓ ଆକର୍ଷଣୀୟ ହେବାକୁ ଯାଉଛି।
ଏହି ମହୋତ୍ସବରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ସହ ଛତ୍ରପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜିତ ହେବ। ଚାଷୀମାନଙ୍କ ପାଇଁ ଆଧୁନିକ କୃଷି ଯନ୍ତ୍ରପାତି, ନୂତନ କୃଷି ପ୍ରଯୁକ୍ତି ଓ ଉତ୍ପାଦନ ବୃଦ୍ଧି ସମ୍ବନ୍ଧୀୟ ବିଭିନ୍ନ ସୂଚନା ଏଠାରେ ପ୍ରଦର୍ଶିତ କରାଯିବ। ଏହାସହିତ ମତ୍ସ୍ୟଚାଷ, ପ୍ରାଣୀପାଳନ ଓ ଉଦ୍ୟାନ କୃଷି କ୍ଷେତ୍ରରେ ଲୋକମାନଙ୍କୁ ସଚେତନ କରାଯିବ।
ମହୋତ୍ସବରେ ଓରମାସ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ସୁଭଦ୍ରା ଶକ୍ତି ସମେତ ବିଭିନ୍ନ ଲାଇନ ବିଭାଗଙ୍କ ସମନ୍ୱୟରେ ଶହେରୁ ଅଧିକ ଷ୍ଟଲ ଖୋଲାଯିବ। ଏହି ସମସ୍ତ ଷ୍ଟଲ୍ ମାଧ୍ୟମରେ ସରକାରୀ ଯୋଜନା, ସ୍ୱୟଂରୋଜଗାର, ମହିଳା ସଶକ୍ତିକରଣ, ଗ୍ରାମୀଣ ଜୀବିକା ଓ ଉଦ୍ୟମୀତା ସମ୍ବନ୍ଧୀୟ ଅନେକ ତଥ୍ୟ ଲୋକମାନଙ୍କ ପାଖରେ ପହଞ୍ଚିବ। ଏହା ମାଧ୍ୟମରେ ସାଧାରଣ ଲୋକେ ବିଭିନ୍ନ ସରକାରୀ ସୁବିଧା ଓ ଯୋଜନା ସମ୍ପର୍କରେ ସଚେତନ ହୋଇପାରିବେ।
ମହୋତ୍ସବକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପାନୀୟଜଳ, ଅଗ୍ନି ନିରାପତ୍ତା ଓ ଆଇନ ଶୃଙ୍ଖଳା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କ ସୁରକ୍ଷା ଓ ସୁବିଧାକୁ ଆଗରେ ରଖି ପୋଲିସ ପକ୍ଷରୁ ଆବଶ୍ୟକ ମୃତୟନ ବ୍ୟବସ୍ଥା କରାଯିବ । ଫାୟାର ସର୍ଭିସ, ଟାଟା ପାୱାର ଓ ଅନ୍ୟାନ୍ୟ ବିଭାଗମାନେ ମଧ୍ୟ ସମନ୍ୱୟ ରଖି କାର୍ଯ୍ୟ କରିବେ।
କେବଳ ବ୍ୟବସାୟ ଓ ପ୍ରଦର୍ଶନୀ ନୁହେଁ, ଛତ୍ରପୁର ମହୋତ୍ସବ ହେବ ଗଞ୍ଜାମର ସମୃଦ୍ଧ କଳା ଓ ସଂସ୍କୃତିର ଏକ ବିଶାଳ ମଞ୍ଚ। ପ୍ରାୟ ୩୦ରୁ ଅଧିକ ସାଂସ୍କୃତିକ ଦଳ ଦ୍ୱାରା ଲୋକନୃତ୍ୟ, ଲୋକସଙ୍ଗୀତ, ପାରମ୍ପରିକ କଳା ପ୍ରଦର୍ଶନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଲୋକକଳା ମାଧ୍ୟମରେ ସରକାରୀ ଯୋଜନା ଗୁଡ଼ିକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ଓ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ପ୍ରୟାସ କରାଯିବ।
ମହୋତ୍ସବ ସମ୍ପର୍କିତ ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ଉତ୍ସବକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରଖି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବାଶିଷ ବରାଳ, ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଓରମାସ ଡେପୁଟି ସିଇଓ ଡ଼ଃ ରାଜଗୋପାଳ ଦାଶ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ରଥ, ମିଶନ ଶକ୍ତିର ଜିଲ୍ଲା ସଂଯୋଜକ ଜୟ କୃଷ୍ଣ ମହାପାତ୍ରଙ୍କ ସମେତ ବହୁ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ସଂସ୍କୃତି, କୃଷି, କଳା, ଜୀବିକା ଓ ଜନସଚେତନତାର ଏହି ମହାମିଳନ ଛତ୍ରପୁର ମହୋତ୍ସବକୁ ଏବେଠାରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
