ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଘଟିଥିବା ଏକ ଚାଞ୍ଚଲ୍ୟକାରୀ ଘଟଣାରେ ଅପହୃତ ଜମି ବ୍ୟବସାୟୀ ସୁଧୀର ପାତ୍ର (୪୭)ଙ୍କ ମୃତଦେହ ବୁଧବାର ଦିନ ଉଦ୍ଧାର ହୋଇଛି । ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସୂର୍ଯ୍ୟ ପ୍ରତାପକୁ ଗିରଫ କରିଥିବା ସୂଚନା ମିଳିଛି । ସତ୍ୟନାରାୟଣପୁର ଗ୍ରାମର ବାସିନ୍ଦା ସୁଧୀର ବାଲୁଗାଁ, ନାଚୁଣୀ ଓ ଖଲ୍ଲିକୋଟ ଅଞ୍ଚଳରେ ଜମି ବ୍ୟବସାୟରେ ସକ୍ରିୟ ଥିଲେ।
ଗତ ଏପ୍ରିଲ ୧୫ ସନ୍ଧ୍ୟାବେଳେ ସେ ଭଲିବଲ୍ ଖେଳି ନିଜ ମୋଟରସାଇକେଲରେ ଘରକୁ ଫେରୁଥିବା ବେଳେ ଗୋପାଳପୁର ଥାନା ଅଧୀନ ଡୁରା ଡିଫେନ୍ସ କଲୋନି ଅଞ୍ଚଳରେ ତାଙ୍କୁ ଅପହରଣ କରାଯାଇଥିଲା। ଘଟଣାସ୍ଥଳରୁ ତାଙ୍କର ବାଇକ ମିଳିବା ପରେ ପରିବାର ଲୋକେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଦୀର୍ଘ ସମୟ ଧରି ଖୋଜାଖୋଜି କରିଲେ ମଧ୍ୟ ତାଙ୍କ କୌଣସି ସୁତ୍ର ମିଳିନଥିଲା।
ପରବର୍ତ୍ତୀରେ ବୁଧବାର ସୋରଡା ଥାନା ଅଞ୍ଚଳର ବାଲାପଙ୍କା ଗ୍ରାମ ନିକଟ ରାଶିପଙ୍କଲ ସେତୁ ପାଖରେ ଏକ ପଚିଯାଇଥିବା ମୃତଦେହ ପଡ଼ିଥିବା ସୂଚନା ପୋଲିସ ପାଇଥିଲା। ଫୋରେନସିକ୍ ଦଳ ଓ ପରିବାର ସଦସ୍ୟଙ୍କ ସହ ତଦନ୍ତ କରିବା ପରେ, ସେହି ମୃତଦେହ ସୁଧୀରଙ୍କ ହେବା ସ୍ପଷ୍ଟ ହୋଇଥିଲା। ଅପହରଣ ସମୟରେ ପିନ୍ଧିଥିବା ପୋଷାକ ଆଧାରରେ ଚିହ୍ନଟ କରାଯାଇଥିଲା।
ପରେ ଘଟଣାସ୍ଥଳରେ ପୋଷ୍ଟମର୍ଟମ୍ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା ଏବଂ ମୃତଦେହକୁ ଶେଷକୃତ୍ୟ ପାଇଁ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।
ଅନ୍ୟପକ୍ଷରେ ଏହି ଘଟଣାରେ ପୋଲିସ ମୃତ ବ୍ୟବସାୟୀଙ୍କ ପରିବାର ସହ ସମ୍ପୃକ୍ତ ୯ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବାମାନଙ୍କ ମଧ୍ୟରେ ପୁତୁରା, ଝିଆରୀ ଓ ତାଙ୍କ ପୁରୁଷ ସାଥୀ ମଧ୍ୟ ରହିଛନ୍ତି । ତଦନ୍ତ ସମୟରେ ଅପହରଣରେ ବ୍ୟବହୃତ ମାଉଜର ଓ ୧୫ଟି ମୋବାଇଲ ଫୋନ ପୋଲିସ ଜବତ କରିଛି । ଏହାସହିତ ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଶୀଘ୍ର ଧରିବା ପାଇଁ ଚାଲିଛି ଅଭିଯାନ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
