Explore

Search

June 25, 2026 10:00 pm

ଗଞ୍ଜାମରେ ବଢ଼ିଲା ମ୍ୟାଲେରିଆ ଆତଙ୍କ : ଦୁର୍ଗମ ଗାଁରେ ୧୧ ଜଣ ପଜିଟିଭ୍, ସ୍ୱାସ୍ଥ୍ୟ ବିଭାଗ ସତର୍କ

ବ୍ରହ୍ମପୁର : ଗଞ୍ଜାମରେ ବଢ଼ିଲା ମ୍ୟାଲେରିଆ ଆତଙ୍କ । ଗୋଟିଏ ଅଞ୍ଚଳରୁ ମୋଟ ୧୧ ଜଣ ପଜିଟିଭ୍ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ। ବର୍ଷା ଋତୁ ଆରମ୍ଭ ହେବାସହ ଗଞ୍ଜାମ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ମ୍ୟାଲେରିଆର ପ୍ରକୋପ ପୁଣିଥରେ ଚିନ୍ତାର କାରଣ ପାଲଟିଛି । ଗଞ୍ଜାମ-ଗଜପତି ସୀମାନ୍ତରେ ଅବସ୍ଥିତ ପାତ୍ରପୁର ବ୍ଲକର ବୁରାତାଲ ପଞ୍ଚାୟତ ଅଧୀନ ଧୋବାଲିଙ୍ଗି ଗାଁରେ ହଠାତ୍ ଜ୍ୱର ରୋଗୀଙ୍କ ସଂଖ୍ୟା ବଢ଼ିବା ପରେ ସ୍ୱାସ୍ଥ୍ୟ ବିଭାଗ ଏବେ ଚିନ୍ତାରେ ପଡ଼ିଛି। ଗାଁରେ ୨୫ରୁ ଅଧିକ ଲୋକ ଜ୍ୱରରେ ପୀଡ଼ିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଶରୀରରେ ମ୍ୟାଲେରିଆ ସଂକ୍ରମଣ ଥିବା ନିଶ୍ଚିତ ହୋଇଛି ।

ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ପଦକ୍ଷେପ ନେଇଛି । ବିଶେଷଜ୍ଞ ଡାକ୍ତର, ଲ୍ୟାବ୍ କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଗଠିତ ଦୁଇଟି ଟିମ୍ ଉକ୍ତ ଗାଁରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ଗ୍ରାମବାସୀଙ୍କ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସମସ୍ତ ପରିବାରର ସଦସ୍ୟଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।

୧୦୫ ଜନସଂଖ୍ୟା ବିଶିଷ୍ଟ ଗାଁରେ ବଢ଼ିଲା ଚିନ୍ତା :

ଧୋବାଲିଙ୍ଗି ଗ୍ରାମଟି ଏକ ଦୁର୍ଗମ ଓ ଜଙ୍ଗଲ ଘେରା ଅଞ୍ଚଳରେ ଅବସ୍ଥିତ। ଗାଁରେ ପ୍ରାୟ ୨୦ଟି ପରିବାରର ୧୦୫ ଜଣ ଲୋକ ବସବାସ କରନ୍ତି । ନିକଟରେ ଏଠାରେ ବର୍ଷା ଆରମ୍ଭ ହେବା ପରେ ଗାଁର ଅନେକ ଲୋକ ଜ୍ୱର, ଥଣ୍ଡା, ମୁଣ୍ଡବିନ୍ଧା ଓ ଦୁର୍ବଳତା ଭଳି ଲକ୍ଷଣରେ ପୀଡ଼ିତ ହୋଇଥିଲେ । ଏନେଇ ଆଶାକର୍ମୀ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲେ।

ଖବରପାଇ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍କ୍ରିନିଂ ଅଭିଯାନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୯୬ ଜଣଙ୍କର ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ଦୁଇ ଦିନ ଧରି ସ୍ୱାସ୍ଥ୍ୟ ଟିମ୍ ଗାଁରେ ରହି ପ୍ରତ୍ୟେକ ଘରକୁ ଯାଇ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ।

ପରୀକ୍ଷା ରିପୋର୍ଟ ଅନୁସାରେ, ମୋଟ ୧୧ ଜଣଙ୍କ ଠାରେ ମ୍ୟାଲେରିଆ ସଂକ୍ରମଣ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ପି.ଭି ଏବଂ ୯ ଜଣ ପିଏଫ୍. ମ୍ୟାଲେରିଆ ପଜିଟିଭ ରହିଥିବା ଜଣାପଡ଼ିଛି । ସ୍ବାସ୍ଥ୍ୟ ଟିମ୍ ପକ୍ଷରୁ ସମସ୍ତ ପଜିଟିଭ ଚିହ୍ନଟ ରୋଗୀଙ୍କୁ ତୁରନ୍ତ ଔଷଧ ପ୍ରଦାନ କରାଯାଇ ଚିକିତ୍ସା ଆରମ୍ଭ କରାଯାଇଛି । ବିଶେଷକରି ପିଏଫ ମ୍ୟାଲେରିଆକୁ ଅଧିକ ବିପଜ୍ଜନକ ମନେ କରାଯାଏ, ତେଣୁ ସମସ୍ତ ଆକ୍ରାନ୍ତଙ୍କୁ ତୁରନ୍ତ ଔଷଧ ଯୋଗାଇ ଦିଆଯାଇଛି ଏବଂ ନିୟମିତ ଚିକିତ୍ସା ଚାଲିଛି ।

ଡାକ୍ତରମାନେ ରୋଗୀଙ୍କୁ ସମ୍ପୂର୍ଣ୍ଣ ଔଷଧ କୋର୍ସ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି କୌଣସି ବ୍ୟକ୍ତିଙ୍କୁ ଜ୍ୱର କିମ୍ବା ଅନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

୧୪ ଦିନ ପର୍ଯ୍ୟନ୍ତ ଗାଁ ଉପରେ କଡ଼ା ନଜର

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଧୋବାଲିଙ୍ଗି ଗାଁକୁ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ଆଗାମୀ ୧୪ ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟକର୍ମୀମାନେ ଗାଁରେ ନିୟମିତ ଭାବେ ନଜର ରଖିବେ। ପ୍ରତିଦିନ ଲୋକଙ୍କ ସ୍ୱାସ୍ଥ୍ୟ ସ୍ଥିତି ଯାଞ୍ଚ କରାଯିବା ସହ ନୂଆ ସଂକ୍ରମଣ ଚିହ୍ନଟ ହେଉଛି କି ନାହିଁ ସେଥିପାଇଁ ସତର୍କ ନଜର ରଖାଯିବ।

ଏହାସହ ଗାଁରେ ମଶା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଜମା ପାଣି ସଫା କରିବା, ପରିବେଶ ପରିଷ୍କାର ରଖିବା ଏବଂ ମଶାରୀ ବ୍ୟବହାର କରିବା ନେଇ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି।

ତେବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଚଳିତ ମାସରେ ଏପର୍ଯ୍ୟନ୍ତ ୧୮ ଜଣ ମ୍ୟାଲେରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତବର୍ଷ ମଧ୍ୟ ଏହି ଅଞ୍ଚଳରେ ମ୍ୟାଲେରିଆର ପ୍ରକୋପ ଦେଖାଯାଇଥିଲା ଏବଂ ମେ’ ମାସରେ ପ୍ରାୟ ୩୦ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଏହା ଦର୍ଶାଉଛି ଯେ ବର୍ଷା ଆସିବା ସହ ଏହି ଅଞ୍ଚଳରେ ମ୍ୟାଲେରିଆର ବିପଦ ନିୟମିତ ଭାବେ ଦେଖାଦେଉଛି।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ପୂର୍ବରୁ ମଶାରୀ ବଣ୍ଟନ କରାଯାଇଥିଲେ ମଧ୍ୟ ଅନେକ ପରିବାର ନିୟମିତ ଭାବେ ଏହାର ବ୍ୟବହାର କରୁନାହାଁନ୍ତି । ଫଳରେ ମଶା କାମୁଡ଼ା ମାଧ୍ୟମରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ବଢ଼ୁଛି। ଖାଲି ସେତିକି ନୁହେଁ ଧୋବାଲିଙ୍ଗି ଭଳି ଦୁର୍ଗମ ଗାଁରେ ସ୍ୱାସ୍ଥ୍ୟ ସେବା ପହଞ୍ଚିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି । ଗାଁରୁ ନିକଟସ୍ଥ ସବ୍ ସେଣ୍ଟର ପ୍ରାୟ ୬ କିଲୋମିଟର ଦୂରରେ ଥିବାବେଳେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପହଞ୍ଚିବା ପାଇଁ ପ୍ରାୟ ୧୨ କିଲୋମିଟର ଯିବାକୁ ପଡ଼ୁଛି । ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ପ୍ରାୟ ୫୦ କିଲୋମିଟର ଥିବାରୁ ଜରୁରୀ ସମୟରେ ଚିକିତ୍ସା ସେବା ପାଇବାରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବର୍ଷା ଋତୁରେ ମ୍ୟାଲେରିଆ ପରି ରୋଗର ପ୍ରକୋପ ବଢ଼ୁଥିବାରୁ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା, ମଶା ନିୟନ୍ତ୍ରଣ ଓ ନିୟମିତ ଚିକିତ୍ସା ସେବାକୁ ଆହୁରି ମଜବୁତ କରିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକମାନେ ମତ ପ୍ରକାଶ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score