ଗଞ୍ଜାମ : ଦୁର୍ଗମ ଏବଂ ଅପହଞ୍ଚ ଅଞ୍ଚଳରେ ରହୁଥିବା ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏକ ନୂତନ ଓ ପ୍ରୟୋଜନମୂଳକ ପଦକ୍ଷେପ ନେଇଛନ୍ତି । ‘ନିରୀକ୍ଷଣ ସାଥୀ’ ନାମରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ ଏବେ ଦୂରଦରାଜ ଗାଁ ଗୁଡିକରେ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ମିଳିବ।
ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୪୭ଟି ଦୁର୍ଗମ ଅଞ୍ଚଳରେ ଏହି ସେବାକୁ ପର୍ଯ୍ୟାୟକ୍ରମେ ଚାଲୁ କରାଯାଉଛି। ପ୍ରଥମେ ଧରାକୋଟ ବ୍ଲକରେ ଏହା ଆରମ୍ଭ ହୋଇଥିବାବେଳେ, ଆଗାମୀ ଦିନରେ ପାତ୍ରପୁର, ସୋରଡ଼ା ଓ ଜଗନ୍ନାଥ ପ୍ରସାଦ ବ୍ଲକରେ ମଧ୍ୟ ଏହା ବିସ୍ତାରିତ ହେବ । ବଳରାମପୁର ଓ ସାବା ପଞ୍ଚାୟତ ଭଳି ଅଞ୍ଚଳରେ ସଡ଼କ ସୁବିଧା ଅଭାବରୁ ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର ଥିଲା । ଯାହାଫଳରେ ଜରୁରୀ ସମୟରେ ଗର୍ଭବତୀଙ୍କୁ ଖଟିଆରେ ବୋହି ହସ୍ପିଟାଲକୁ ନେବାକୁ ପଡୁଥିଲା।
ଏପରି ପରିସ୍ଥିତିରେ ବିଳମ୍ବ ହେବା ଫଳରେ ଅନେକ ସମୟରେ ଅଧିକ ରକ୍ତସ୍ରାବ ଯୋଗୁଁ ମା’ ଓ ଶିଶୁଙ୍କ ଜୀବନ ମୃତ୍ୟୁ ମୁଖକୁ ଠେଲି ହେଇଯାଉଥିଲା । ଏବେ ‘ନିରୀକ୍ଷଣ ସାଥୀ’ ଯୋଜନା ଏହି ସମସ୍ୟାର ଦୃଢ଼ ସମାଧାନ ଭାବେ ସାମ୍ନାକୁ ଆସିଛି।
ଏହି ସେବାକୁ ଆଉ ଏକ ପଦକ୍ଷେପ ଆଗକୁ ନେଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କ ପକ୍ଷରୁ ‘ନିରୀକ୍ଷଣ ଆପ୍’ ଓ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି । ଗର୍ଭାବସ୍ଥାର ନିୟମିତ ଚେକଅପ ଠାରୁ ଆରମ୍ଭ କରି ପ୍ରସବ ଓ ଶିଶୁ ଜନ୍ମ ପରେ ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ପରିବହନ ସୁବିଧା ମିଳିବ।
ଏହି ଉଦ୍ୟମ ମାଧ୍ୟମରେ ଜିଲ୍ଲାରେ ମାତୃ ମୃତ୍ୟୁ ହାର (MMR) ଓ ଶିଶୁ ମୃତ୍ୟୁ ହାର (IMR) କମେଇବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏହା ଦୂରଦରାଜ ଅଞ୍ଚଳର ଲୋକଙ୍କ ପାଇଁ ଏକ ବଡ଼ ସହାୟତା ଭାବେ ପ୍ରମାଣିତ ହେବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
