Explore

Search

September 5, 2026 9:15 pm

ଗଞ୍ଜାମର ଘୁଡୁକି ତାଳରୁ ଇଟାଲୀ ମଞ୍ଚ: ‘ଅଦମ୍ୟ’କୁ ଅନ୍ତର୍ଜାତୀୟ ସମ୍ମାନ

ଗଞ୍ଜାମ: ଦିନେ ଗାଁ ଦାଣ୍ଡରେ ଘୁଡୁକିର ତାଳ ଓ ବାଘନାଚର ରଙ୍ଗରେ ମୁଖରିତ ହେଉଥିଲା ଗଞ୍ଜାମର ଲୋକଜୀବନ। ମାଟିର ବାସ୍ନା, ପରମ୍ପରା ଓ ଲୋକକଳାର ସେହି ଅନନ୍ୟ ଛବି ଏବେ ଦେଶର ସୀମା ଟପି ଅନ୍ତର୍ଜାତୀୟ ମଞ୍ଚରେ ପହଞ୍ଚିଛି। ଗଞ୍ଜାମର ଲୋକକଳା ଓ ଗ୍ରାମୀଣ ଜୀବନକୁ କାହାଣୀର କେନ୍ଦ୍ରରେ ରଖି ନିର୍ମିତ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଦମ୍ୟ’ ଏବେ ଇଟାଲୀରେ ସମ୍ମାନିତ ହେବାକୁ ଯାଉଛି ।
ସେପ୍ଟେମ୍ବର ୧୯, ୨୦ ଓ ୨୧ ତାରିଖରେ ଇଟାଲୀରେ ଆୟୋଜିତ ହେବାକୁ ଥିବା ‘‘ମ୍ୟାଜିକାଲ୍ କାଇରୋ ନୋଟେ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ’ରେ ‘ଅଦମ୍ୟ’ ସମ୍ମାନ ପାଇଁ ମନୋନୀତ ହୋଇଛି । ମୁମ୍ବାଇରେ ଏକାଧିକ ପୁରସ୍କାର ହାସଲ କରିବା ପରେ ଏବେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ଏହାର ପ୍ରବେଶ ଓଡ଼ିଆ ସିନେମା ସହ ଗଞ୍ଜାମର ଲୋକକଳା ପାଇଁ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।

ଗଞ୍ଜାମର ମାଟି, ଲୋକକଳା ଓ ଜୀବନର କାହାଣୀ
ହିଞ୍ଜିଳିକାଟୁ ସ୍ଥିତ ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର। ଗଞ୍ଜାମର ପାରମ୍ପରିକ କଳା, ସଂସ୍କୃତି ଓ ଗ୍ରାମୀଣ ଜୀବନକୁ ଚଳଚ୍ଚିତ୍ରରେ ଏକ ନୂଆ ଢଙ୍ଗରେ ଉପସ୍ଥାପନ କରାଯାଇଛି। ବିଶେଷକରି ବାଘନାଚ, ଘୁଡୁକି, ଓଡ଼ିଶୀ ଓ ଗାଁ ପରିବେଶକୁ କାହାଣୀ ସହ ଯୋଡ଼ାଯାଇଛି। ଫଳରେ ‘ଅଦମ୍ୟ’ କେବଳ ଏକ ଚଳଚ୍ଚିତ୍ର ହୋଇ ରହିନାହିଁ, ବରଂ ଗଞ୍ଜାମର ଲୋକପରମ୍ପରା ଓ ମାଟି ସହ ଜଡ଼ିତ ଜୀବନର ଏକ ଚିତ୍ରପଟ ପାଲଟିଛି।
ଚଳଚ୍ଚିତ୍ରର ଆଉ ଏକ ବିଶେଷତ୍ୱ ହେଉଛି, ଏଥିରେ ଅନେକ ସ୍ଥାନୀୟ କଳାକାର ଓ ସାଧାରଣ ଗାଁ ଲୋକଙ୍କୁ ସାମିଲ କରାଯାଇଛି। କ୍ୟାମେରା ସାମ୍ନାରେ ଅଭିନୟର ଅଭିଜ୍ଞତା ନଥିବା ଲୋକଙ୍କୁ ନେଇ କାହାଣୀକୁ ପରଦାରେ ଜୀବନ୍ତ କରିବା ନିର୍ମାତା ଟିମ୍ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ।
ନିର୍ଦ୍ଦେଶକ କ୍ରିଷ୍ଣା ଡିକେଙ୍କ କହିବା ଅନୁସାରେ, ‘ଅଦମ୍ୟ’ର ପ୍ରକୃତ ଶକ୍ତି ହେଉଛି ଏହାର ମାଟି ସହିତ ଯୋଡ଼ି ହୋଇଥିବା କାହାଣୀ। ଏଥିରେ ଦେଖାଯାଇଥିବା ଅନେକ ଦୃଶ୍ୟରେ ଅଭିନୟଠାରୁ ଅଧିକ ଗାଁ ଜୀବନର ବାସ୍ତବ ଅନୁଭବ ପ୍ରତିଫଳିତ ହୋଇଛି ।

ମୁମ୍ବାଇରେ ପୁରସ୍କାରର ବର୍ଷା
ଇଟାଲୀ ଯାତ୍ରା ପୂର୍ବରୁ ‘ଅଦମ୍ୟ’ ମୁମ୍ବାଇରେ ନିଜ ଦକ୍ଷତାର ପ୍ରମାଣ ଦେଇସାରିଛି। ଅଗଷ୍ଟ ୧୧ରେ ଆୟୋଜିତ ନିର୍ମଲ ପାଣ୍ଡେ ସ୍ମୃତି ଫିଲ୍ମ ଫେଷ୍ଟିଭାଲରେ ଚଳଚ୍ଚିତ୍ରଟି ଶ୍ରେଷ୍ଠ ସର୍ଟ ଫିଲ୍ମ ପୁରସ୍କାର ହାସଲ କରିଥିଲା।
ଗାଁ ଦାଣ୍ଡରେ ଶୁଭୁଥିବା ଘୁଡୁକିର ତାଳ ଏବେ ବିଦେଶୀ ମଞ୍ଚରେ ଶୁଣିବାକୁ ଯାଉଛି। ଗଞ୍ଜାମର ବାଘନାଚର ରଙ୍ଗ ଏବେ ଇଟାଲୀର ପରଦାରେ ଦେଖାଯିବ। ସୀମିତ ସାଧନ, ଅନେକ ସଂଘର୍ଷ ଓ ମାଟି ପ୍ରତି ଭଲପାଇବାରୁ ଜନ୍ମ ନେଇଥିବା ‘ଅଦମ୍ୟ’ର ଏହି ଅନ୍ତର୍ଜାତୀୟ ଯାତ୍ରା ଗଞ୍ଜାମର ଲୋକକଳା ପାଇଁ ଏକ ନୂଆ ଅଧ୍ୟାୟ ଲେଖିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score