Explore

Search

April 24, 2026 9:43 pm

ଗଛ ପାଇଁ ବ୍ରହ୍ମପୁରରେ ଗଡ଼ିଲା ଟ୍ରି-ଆମ୍ବୁଲାନ୍ସ

ବ୍ରହ୍ମପୁର : ଗଛକୁ ସୁସ୍ଥ ଓ ସତେଜ ରଖିବା ପାଇଁ ବ୍ରହ୍ମପୁରରେ ଗଡ଼ିଲା ଟ୍ରି-ଆମ୍ବୁଲାନ୍ସ । ସାଧାରଣତଃ ମଣିଷ ମାନଙ୍କ ଦେହ ଖରାପ ହୁଏ ତାହାଲେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ଆମ୍ବୁଲାନ୍ସ ଆସିଥାଏ। ହେଲେ ଏଠି ଗଛ ପାଇଁ ଗଡ଼ିଲା ଆମ୍ବୁଲାନ୍ସ । ସ୍ଥାନୀୟ କିଛି ବୃକ୍ଷପ୍ରେମୀ ଯୁବ ଗୋଷ୍ଠୀ ‘ଟ୍ରି-ଆମ୍ୱୁଲାନ୍ସ’ ସେବା ଯୋଗାଇ ଦେଉଛନ୍ତି ।

ପରିବେଶର ସୁରକ୍ଷା ଓ ସନ୍ତୁଳନ ରକ୍ଷାରେ ବୃକ୍ଷର ଭୂମିକା ଅତ୍ୟନ୍ତ ଅପରିହାର୍ଯ୍ୟ। ଏହା ଜଳବାୟୁକୁ ସମତୁଳିତ ରଖିବା ସହିତ ଜୀବଜଗତର ଜୀବନରେ ମୂଳ ଭୂମିକା ନିଭାଏ । କିନ୍ତୁ ଗଛମାନେ ମଧ୍ୟ କେବେ କେବେ ରୋଗାକ୍ରାନ୍ତ ହୁଅନ୍ତି, ସେଥିପାଇଁ ସମୟୋଚିତ ଚିକିତ୍ସା ଓ ଯତ୍ନ ଆବଶ୍ୟକ ହୁଏ । ଯାହା ପ୍ରତି ଆମର ଧ୍ୟାନ ସାଧାରଣତଃ ଅଭାବରେ ରହିଥାଏ। ବିକାଶର ନାମରେ ବହୁ ସମୟରେ ପ୍ରଥମେ ବଳି ହୁଏ ଗଛ । ରାସ୍ତା ପ୍ରଶସ୍ତୀକରଣ କିମ୍ବା ନୂତନ ପ୍ରକଳ୍ପ ପାଇଁ ଜଙ୍ଗଲ କଟାଯାଉଥିବା ଘଟଣା ଅସାମାନ୍ୟ ନୁହେଁ। ଏପରି ପରିସ୍ଥିତିରେ ରେଶମ ସହର ବ୍ରହ୍ମପୁରରେ ବୃକ୍ଷ ସୁରକ୍ଷା ପାଇଁ ‘ସବୁଜ ବାହିନୀ’ ନାମକ ସ୍ୱେଚ୍ଛାସେବୀ ସଂଗଠନ ଆଗେଇ ଆସିଛି । ପ୍ରାୟ ଦଶକ ଧରି ଏହି ସଂସ୍ଥା ସହରର ଗଛଲତାର ଯତ୍ନ ଓ ସେବାରେ ନିରନ୍ତର କାର୍ଯ୍ୟ କରୁଛି।

କାହିଁକି ଆବଶ୍ୟକ ‘ଟ୍ରି-ଆମ୍ବୁଲାନ୍ସ’?

ପ୍ରତିବର୍ଷ ଜିଲ୍ଲାରୁ ଆରମ୍ଭ କରି ରାଜ୍ୟ ଓ ଦେଶସ୍ତରରେ ବିଭିନ୍ନ କାରଣରେ ଗଛ କାଟି ନଷ୍ଟ କରାଯାଉଛି, ଯାହାର କୁପ୍ରଭାବ ଆଜି ସମଗ୍ର ପୃଥିବୀ ଅନୁଭବ କରୁଛି। ଏହି ପରିସ୍ଥିତିରେ କେବଳ ବୃକ୍ଷରୋପଣ ନୁହେଁ, କାଟାଯାଇଥିବା ଗଛର ପୁନଃରୋପଣ, ଗଛ ଚାରିପଟେ ଥିବା କଙ୍କ୍ରିଟ ହଟାଇବା, ବୃକ୍ଷରେ ଲାଗିଥିବା ହୋର୍ଡିଂ ବା ବିଜ୍ଞାପନ ସାମଗ୍ରୀ କାଢ଼ିବା ଓ ପୁରୁଣା ଗଛକୁ ରୋଗମୁକ୍ତ କରିବା ଭଳି କାମ ମଧ୍ୟ ଅତ୍ୟାବଶ୍ୟକ।

ଏହି ସମସ୍ତ ପରିବେଶମୂଳକ କାର୍ଯ୍ୟକୁ ସୁଚାରୁ ଭାବେ କରିବା ପାଇଁ ‘ଟ୍ରି-ଆମ୍ବୁଲାନ୍ସ’ ଏକ ନୂତନ ଓ ପ୍ରଭାବଶାଳୀ ପଦକ୍ଷେପ ଭାବେ ଉଭା ହୋଇଛି । ରେଶମ ସହରରେ ସବୁଜବାହିନୀ ଦ୍ୱାରା ଏହି ଟ୍ରି-ଆମ୍ବୁଲାନ୍ସ ଗଛ ଓ ପରିବେଶ ସୁରକ୍ଷାରେ ଲକ୍ଷଣୀୟ ଭୂମିକା ନିଭାଉଛି ।

ବ୍ରହ୍ମପୁରରେ ସବୁଜ ବାହିନୀର ସଦସ୍ୟମାନେ ଟ୍ରି-ଆମ୍ବୁଲାନ୍ସ ସେବା ମାଧ୍ୟମରେ ନିରନ୍ତର ସହଯୋଗ ଯୋଗାଇ ଆସୁଛନ୍ତି । ଯୁବମାନଙ୍କ ଏହି ପ୍ରଶଂସନୀୟ ପଦକ୍ଷେପକୁ ଦେଖି, ଏଲଆଇସି ତାଙ୍କ ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ଆମ୍ବୁଲାନ୍ସ ଦାନ କରିଛି। ଏହା ଫଳରେ ସବୁଜ ବାହିନୀର ସେବାକାର୍ଯ୍ୟ ଆହୁରି ସୁବିଧାଜନକ ଏବଂ ପ୍ରଭାବଶାଳୀ ହୋଇଯାଇଛି ।

ପୃଥିବୀର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ। ଏହି ମହତ୍ କାର୍ଯ୍ୟକୁ ‘ସବୁଜ ବାହିନୀ’ ନିଷ୍ଠା ଓ ସମର୍ପଣର ସହିତ ନିରନ୍ତର ଭାବେ କରୁଛି। ବ୍ରହ୍ମପୁର ସହର ସହ ଆସପାସ ଅଞ୍ଚଳରେ ପଛଲା ୧୨ ବର୍ଷ ଧରି ସେମାନେ ବୃକ୍ଷରୋପଣ କରିବା ସହ ବୃକ୍ଷଗୁଡ଼ିକର ସୁରକ୍ଷା ଓ ଯତ୍ନ ନେଉଛନ୍ତି। ଏଥିପାଇଁ ସେମାନେ ଗଛମାନଙ୍କର ଚିକିତ୍ସା ଓ ରକ୍ଷାବେକ୍ଷଣରେ ମଧ୍ୟ ସକ୍ରିୟ ଭାବେ ଜଡିତ ଅଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score