Explore

Search

September 12, 2026 9:48 pm

କୋରାପୁଟ ସଂଘର୍ଷର କାହାଣୀ କହିବ “ମାଳିପୁଟ ମେଲୋଡିଜ୍”

ଭୁବନେଶ୍ୱର : ପାହାଡ଼, ଜଙ୍ଗଲ ଓ ଝରଣାରେ ଭରପୂର କୋରାପୁଟ। ପ୍ରକୃତି ସହ ଏଠାକାର ଲୋକଙ୍କ କଳା, ସଂସ୍କୃତି ଓ ପାରମ୍ପରିକ ଜୀବନଶୈଳୀ ମଧ୍ୟ ଅନନ୍ୟ। ଏହି ମାଟିର ଜୀବନ ଓ ଲୋକଙ୍କ ସଂଘର୍ଷକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍’। ଚଳିତ ମାସ ୧୮ ତାରିଖରେ ଫିଲ୍ମଟି ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ।

ମୁକ୍ତିଲାଭ ପୂର୍ବରୁ ସିନେମାର ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଛି । ସୋମବାର କଳ୍ପନାସ୍ଥିତ ପିଭିଆର୍ ସିନେମା ହଲ୍‌ରେ ଏହି ବିଶେଷ ପ୍ରଦର୍ଶନ ହୋଇଥିଲା। ଏଥିରେ ଫିଲ୍ମର କଳାକାର, ଟେକ୍ନିସିଆନ୍ ଓ ବିଭିନ୍ନ କ୍ଷେତ୍ରର ଅତିଥିମାନେ ଯୋଗ ଦେଇଥିଲେ।

ଚଳଚ୍ଚିତ୍ରରେ ଆଧୁନିକତା ଯୋଗୁଁ ପଛରେ ରହିଯାଉଥିବା ପାରମ୍ପରିକ ବୃତ୍ତି ଓ ଗ୍ରାମୀଣ ଜୀବନର ଚିତ୍ର ଦେଖିବାକୁ ମିଳିବ। ଲୋକଙ୍କ ଦୈନନ୍ଦିନ ଜୀବନ, ରୋଜଗାର ପାଇଁ ସଂଘର୍ଷ ଏବଂ ନିଜ ପରମ୍ପରାକୁ ବଞ୍ଚାଇ ରଖିବାର ଚେଷ୍ଟାକୁ କାହାଣୀରେ ସ୍ଥାନ ଦିଆଯାଇଛି ।

ଚାରିଟି କାହାଣୀରେ ଗାଁ ଜୀବନର ଚିତ୍ର

‘ମାଳିପୁଟ ମେଲୋଡିଜ୍’ର କାହାଣୀ ଗ୍ରାମାଞ୍ଚଳର ଚାରିଟି ଭିନ୍ନ ଘଟଣାକୁ ନେଇ ଗଢ଼ା। ଏଥିରେ ଲୋପ ପାଉଥିବା ବଂଶୀ ତିଆରି କରୁଥିବା କାରିଗରଙ୍କ ଜୀବନ ରହିଛି। ମାଟି କଣ୍ଢେଇ ତିଆରି କରୁଥିବା ଶିଳ୍ପୀଙ୍କ ସଂଘର୍ଷ ମଧ୍ୟ ଦେଖାଯାଇଛି। ସେହିପରି ପାରମ୍ପରିକ ବାଜା ଦଳର ରୋଜଗାର ଖୋଜା ଓ ତାଙ୍କ ସମସ୍ୟାକୁ କାହାଣୀର ଅଂଶ କରାଯାଇଛି । ଇଟାଭାଟିରେ କାମ କରୁଥିବା ଶ୍ରମିକ ଏବଂ ଦାଦନ ଜୀବନର କଷ୍ଟ ମଧ୍ୟ ଏଥିରେ ପ୍ରତିଫଳିତ ହୋଇଛି । ଏହାସହ ପାଠପଢ଼ା ଜାରି ରଖିବା ପାଇଁ ଜଣେ ଯୁବକ କରୁଥିବା ସଂଘର୍ଷକୁ ମଧ୍ୟ ଦର୍ଶାଯାଇଛି ।

ଗାଁର ପରିବେଶ, ପାରମ୍ପରିକ କଳା ଓ କୌଳିକ ବୃତ୍ତିକୁ ଧରି ବଞ୍ଚୁଥିବା ଲୋକଙ୍କ ଜୀବନକୁ ଫିଲ୍ମରେ ବାସ୍ତବ ଢଙ୍ଗରେ ଦେଖାଇବାକୁ ଚେଷ୍ଟା କରାଯାଇଛି ।

IFFIରେ ମିଳିଥିଲା ସ୍ୱତନ୍ତ୍ର ପରିଚୟ

କୌସ୍ତୁଭ ଡ୍ରିମ୍ ୱାର୍କସ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ‘U/A’ ପ୍ରମାଣପତ୍ର ପାଇଛି। ଏହା ପୂର୍ବରୁ ଗୋଆରେ ଆୟୋଜିତ ୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (IFFI) ୨୦୨୫ର ଇଣ୍ଡିଆନ୍ ପାନୋରାମା ଫିଚର୍ ଫିଲ୍ମ ବିଭାଗରେ ଏହା ମନୋନୀତ ହୋଇଥିଲା ।

ଏହି ବର୍ଗରେ ମନୋନୀତ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ମାଳିପୁଟ ମେଲୋଡିଜ୍’ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲା। ଫିଲ୍ମ ମାଧ୍ୟମରେ କୋରାପୁଟର ପ୍ରକୃତି ସହ ଏଠାକାର ଲୋକଙ୍କ ଜୀବନ ଓ ସଂଘର୍ଷର ଚିତ୍ର ଦର୍ଶକଙ୍କ ନିକଟରେ ପହଞ୍ଚିଥିଲା।

ଆଠଟି ଫିଲ୍ମ ଫେଷ୍ଟିଭାଲରେ ମନୋନୀତ

IFFI ବ୍ୟତୀତ ଚଳଚ୍ଚିତ୍ରଟି ଦେଶ ଓ ବିଦେଶର ଆହୁରି କିଛି ଫିଲ୍ମ ଫେଷ୍ଟିଭାଲରେ ସ୍ଥାନ ପାଇଛି । ଜୟପୁର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ନ୍ୟାସନାଲ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲ ଅଫ୍ ଅଷ୍ଟ୍ରେଲିଆ, କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ, ଚେନ୍ନାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଓ ଜାଗରଣ ଫିଲ୍ମ ଫେଷ୍ଟିଭାଲରେ ଏହା ମନୋନୀତ ହୋଇଛି।

ଏହାସହ ସେଭେନ୍ କଣ୍ଟିନେଣ୍ଟସ ଆୱାର୍ଡସ ଓ ମାଦ୍ରିଡ ଫିଲ୍ମ ଆୱାର୍ଡସ ସହିତ ମୋଟ ଆଠଟି ମଞ୍ଚରେ ଚଳଚ୍ଚିତ୍ରଟି ମନୋନୟନ ପାଇଛି। ବିଶେଷ କଥା ହେଉଛି, ଏଥିରେ ବଡ଼ ପରଦାର ପରିଚିତ ମୁହଁଙ୍କ ଅପେକ୍ଷା ନୂଆ ପ୍ରତିଭାଙ୍କୁ ଅଧିକ ସୁଯୋଗ ଦିଆଯାଇଛି।

ଫିଲ୍ମର ପ୍ରାୟ ୭୫ ପ୍ରତିଶତ କଳାକାର ଗ୍ରାମାଞ୍ଚଳର ପ୍ରତିଭା। ଅନ୍ୟ ୨୫ ପ୍ରତିଶତ କଳାକାର ମଞ୍ଚ ଜଗତରୁ ଆସିଛନ୍ତି। ସେମାନଙ୍କ ଅଭିନୟ ଫିଲ୍ମର ବାସ୍ତବତାକୁ ଆହୁରି ମଜବୁତ କରିଛି। ଗୀତ, ସଙ୍ଗୀତ, କାହାଣୀ, ସଂଳାପ ଓ ଚିତ୍ରନାଟ୍ୟକୁ ମଧ୍ୟ ସରଳ ଓ ହୃଦୟସ୍ପର୍ଶୀ ଭାବେ ପ୍ରସ୍ତୁତ କରାଯାଇଛି।

ପରଦାରେ ଦେଖିବାକୁ ମିଳିବ କୋରାପୁଟ ଗାଁର କାହାଣୀ

ଫିଲ୍ମର ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକ କହିଛନ୍ତି ଯେ ସେ କୋରାପୁଟର ବାସିନ୍ଦା। ନିଜ ଅଞ୍ଚଳର ପ୍ରକୃତି ଓ ଲୋକଙ୍କ ଜୀବନରେ ଲୁଚି ରହିଥିବା ଅନେକ କାହାଣୀ ତାଙ୍କୁ ଏହି ଫିଲ୍ମ ତିଆରି ପାଇଁ ପ୍ରେରଣା ଦେଇଛି। ଦର୍ଶକ ଫିଲ୍ମ ଦେଖିବା ସମୟରେ ଗାଁ ଭିତରେ ବୁଲିବାର ଅନୁଭବ ପାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଫିଲ୍ମରେ ଅନେକ ନୂଆ କଳାକାରଙ୍କୁ ନିଆଯାଇଛି। ସେମାନଙ୍କ ସ୍ୱାଭାବିକ ଅଭିନୟ କାହାଣୀକୁ ଅଧିକ ବାସ୍ତବ କରିଛି। କୋରାପୁଟ ମାଟିର କାହାଣୀକୁ ଦର୍ଶକ ଦେଖିବା ସହ ଭଲପାଇବା ଦେବେ ବୋଲି ନିର୍ଦ୍ଦେଶକ ଆଶା ରଖିଛନ୍ତି।

ନୂଆ କଳାକାରଙ୍କ ଅଭିନୟ ମୁଖ୍ୟ ଆକର୍ଷଣ

ଅଭିନେତା ସୋନାକ୍ଷୀ ମୁଣ୍ଡୁ କହିଛନ୍ତି ଯେ ସେ କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଅଞ୍ଚଳରୁ ଆସିଛନ୍ତି। ତାଙ୍କ ଗାଁକୁ ଅଳ୍ପ କିଛି ବର୍ଷ ତଳେ ବିଦ୍ୟୁତ ସଂଯୋଗ ମିଳିଥିଲା। ଗ୍ରାମକୁ ବୋରୱେଲ ଜଳ ଯୋଗାଣ ମଧ୍ୟ ପରେ ଆରମ୍ଭ ହୋଇଥିଲା। ଏପରି ଏକ ଅଞ୍ଚଳରୁ ଆସି ଚଳଚ୍ଚିତ୍ରରେ ଅଭିନୟ କରିବା ଏବଂ ଫିଲ୍ମକୁ ଦେଶ ଓ ବିଦେଶରେ ପ୍ରଶଂସା ମିଳିବା ତାଙ୍କ ପାଇଁ ସ୍ୱପ୍ନ ଭଳି ବୋଲି ସେ କହିଛନ୍ତି।

ଚଳଚ୍ଚିତ୍ରର ନିର୍ମାଣରେ ନିର୍ଦ୍ଦେଶକ ବିଶାଲ ପଟ୍ଟନାୟକଙ୍କ ସହ ପ୍ରଯୋଜକ କୌଶିକ ଦାସ, ଗୀତ ଓ ସଙ୍ଗୀତକାର ତୋଷ ନନ୍ଦ, କାହାଣୀକାର ସୁଧାକର ପଟ୍ଟନାୟକ ଏବଂ ସହ ପ୍ରଯୋଜକ ରାମ ପଟ୍ଟନାୟକ ପ୍ରମୁଖ ଭୂମିକା ନେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score