Explore

Search

September 30, 2026 3:36 am

କାଲି ଓଡିଶା ବନ୍ଦ : ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ସବୁ ଠପ

ଭୁବନେଶ୍ୱର : ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ଓଡ଼ିଶାରେ ଆନ୍ଦୋଳନ ଜୋର ଧରିଛି । ଏହି ପ୍ରସଙ୍ଗରେ ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର ୩୦ ତାରିଖରେ ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇ ଏହି ବନ୍ଦ ଡାକରା ଦିଆଯାଇଛି।

ସଂଗଠନର ଅଭିଯୋଗ ଅନୁସାରେ, ରାଜ୍ୟର ସ୍କୁଲ ପାଠ୍ୟପୁସ୍ତକରେ ବହୁ ସଂଖ୍ୟାରେ ଭୁଲ ଓ ତଥ୍ୟଗତ ତ୍ରୁଟି ରହିଛି। ବିଶେଷକରି ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଠ୍ୟପୁସ୍ତକରେ ଏଭଳି ତ୍ରୁଟି ଥିବା ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ଛାତ୍ର ସଂଗଠନ ଏବଂ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି ।

ସଂଗଠନର ଦାବି ହେଉଛି, ତ୍ରୁଟି ଥିବା ପାଠ୍ୟପୁସ୍ତକଗୁଡ଼ିକୁ ବଦଳାଇ ଛାତ୍ରଛାତ୍ରୀଙ୍କୁ ସଠିକ୍‌ ତଥ୍ୟ ଥିବା ନୂଆ ବହି ଯୋଗାଇ ଦିଆଯାଉ। ଏଥିସହ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାରେ ହୋଇଥିବା ତ୍ରୁଟି ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ମଧ୍ୟ ସଂଗଠନ ଦାବି କରିଛି।

ଏହି ଦାବିକୁ ନେଇ ସଂଗଠନ ପକ୍ଷରୁ ଆନ୍ଦୋଳନ ଏବଂ ଅନଶନ ଜାରି ରହିଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରି ସଂଗଠନ ଏବେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି।

ସେପ୍ଟେମ୍ବର ୩୦ ତାରିଖରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି । ବନ୍ଦ ସମୟରେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହେବାର ସମ୍ଭାବନା ରହିଛି। କେବଳ ଆମ୍ବୁଲାନ୍ସ ସେବା ହିଁ ମିଳିପାରିବ ।

ବନ୍ଦକୁ ସଫଳ କରିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ, ଯୁବକ, ଚାଷୀ, ଶ୍ରମିକ ଏବଂ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଛି ସଂଗଠନ। ପାଠ୍ୟପୁସ୍ତକର ତ୍ରୁଟି ସୁଧାର ଏବଂ ଛାତ୍ରଛାତ୍ରୀଙ୍କୁ ସଠିକ୍‌ ଶିକ୍ଷା ସାମଗ୍ରୀ ଯୋଗାଇବା ଦାବିକୁ ନେଇ ଏହି ଆନ୍ଦୋଳନ କରାଯାଉଥିବା ସଂଗଠନ ପକ୍ଷରୁ କୁହାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score