ଭୁବନେଶ୍ୱର: ଗୌରବମୟ ଯାତ୍ରାର ୯୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ସିନେମା ଜଗତ ଆଜି ଏକ ଐତିହାସିକ ମୁହୂର୍ତ୍ତକୁ ସ୍ମରଣ କରୁଛି। ୧୯୩୬ ଏପ୍ରିଲ ୨୮ ତାରିଖରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମୁକ୍ତିଲାଭ କରିଥିଲା। ସେହି ଦିନକୁ ସ୍ମରଣ କରି ଆଜି ସମଗ୍ର ଓଲିଉଡ୍ ଓଡ଼ିଆ ଚଳଚ୍ଚିତ୍ର ଦିବସ ଭାବେ ପାଳନ କରୁଛି।
ଏହି କଳା-ଧଳା ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ, ଯାହା ଓଡ଼ିଆ ସିନେମାର ପ୍ରଥମ ପାଇଦାନ ଭାବେ ପରିଚିତ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଆ ସିନେମା ଜଗତର ଅବଦାନକୁ ସ୍ୱୀକାର କରି ଏହାକୁ ନୂଆ ସମ୍ଭାବନା ଓ ସ୍ୱପ୍ନର ଆରମ୍ଭ ବୋଲି ଉଲ୍ଲେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ଅସ୍ମିତାର ଇତିହାସରେ ଏହା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ‘ସୀତା ବିବାହ’ ମାଧ୍ୟମରେ ଆରମ୍ଭ ହୋଇଥିବା ଓଡ଼ିଆ ସିନେମାର ଯାତ୍ରା ଅନେକ ସମସ୍ୟା ଓ ସଂଘର୍ଷ ସତ୍ୱେ ଆଜି ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ି ନେଇଛି।
ଓଡ଼ିଆ ଚଳଚ୍ଚିତ୍ର କେବଳ ମନୋରଞ୍ଜନ ନୁହେଁ, ଏହା ସମାଜର ଆଇନା ଓ ସଂସ୍କୃତିର ଜୀବନ୍ତ ପ୍ରତିଛବି । ଏହି ଦୀର୍ଘ ଯାତ୍ରାରେ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ, ପ୍ରଯୋଜକ ଓ ପରଦା ପଛରେ କାମ କରୁଥିବା ସମସ୍ତ କୁଶଳୀଙ୍କ ଅମୂଲ୍ୟ ଅବଦାନ ଅସ୍ମରଣୀୟ। ତାଙ୍କର ପ୍ରୟାସ ଓ ସୃଜନଶୀଳତା ଓଡ଼ିଆ ସିନେମାକୁ ଆଜି ଏକ ନୂଆ ଉଚ୍ଚତାକୁ ନେଇଛି।
ଆଗାମୀ ଦିନରେ ଆଧୁନିକ ପ୍ରଯୁକ୍ତି ଓ ନୂତନ ଧାରଣା ସହ ଓଡ଼ିଆ ସିନେମାକୁ ଆହୁରି ଶକ୍ତିଶାଳୀ କରି ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ। ଏହି ଅବସରରେ ସମସ୍ତ ସିନେପ୍ରେମୀ ଓ କଳାକାରଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
