ଭୁବନେଶ୍ବର : ଓଡିଶାର ସଡକ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ଆଧୁନିକ ଓ ସୁଦୃଢ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ରାଜ୍ୟର ୧୦ଟି ମୁଖ୍ୟ ସଡକ ପ୍ରକଳ୍ପ ପାଇଁ ୭୬୯ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ସଡକ ଓ ଭିତ୍ତିଭୂମି ପାଣ୍ଠି ମାଧ୍ୟମରେ ଏହି ଅନୁମୋଦନ ଦିଆଯାଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସଡକ ପ୍ରକଳ୍ପଗୁଡ଼ିକ ରାଜ୍ୟର ଦୁର୍ଗମ ଓ ପଛୁଆ ଅଞ୍ଚଳରେ ଯାତାୟାତ ବ୍ୟବସ୍ଥାକୁ ନୂଆ ଦିଗ ଦେବ। ଏଥିରେ ଗ୍ରାମ ଓ ସହର ମଧ୍ୟର ସଂଯୋଗ ଆହୁରି ମଜବୁତ ହେବା ସହ ବ୍ୟବସାୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଲୋକମାନେ ଅଧିକ ସୁବିଧା ପାଇବେ।
ଏହି ଯୋଜନା ଅନୁସାରେ ଝାରସୁଗୁଡା ଜିଲ୍ଲାର ଦଳଗାଁ-ତିଲିଆ ଓ ଚାରପାଲି ଡଙ୍ଗାଘାଟ ରାସ୍ତା ସହ ରାମପେଲା ଆପ୍ରୋଚ୍ ବ୍ରିଜ ନିର୍ମାଣ ପାଇଁ ୫୨ କୋଟିରୁ ଅଧିକ ଅର୍ଥ ମଞ୍ଜୁର ହୋଇଛି ।
ସେହିପରି ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ଟାଟା ବେଞ୍ଜ ଛକରୁ ଏମ୍କେସିଜି ପର୍ଯ୍ୟନ୍ତ ଫ୍ଲାଏ ଓଭର ପାଇଁ ୧୪୬ କୋଟି ଟଙ୍କା ବ୍ୟୟ ହେବ । ସେହିପରି ବ୍ରହ୍ମପୁର ଗିରି ରୋଡ ଛକରୁ ପୁରୁଣା ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆଉ ଏକ ଫ୍ଲାଏ ଓଭର ପାଇଁ ୧୬୮ କୋଟିରୁ ଅଧିକ ଟଙ୍କା ଅନୁମୋଦିତ ହୋଇଛି।
କୋରାପୁଟ ଜିଲ୍ଲାର ସେମିଳିଗୁଡା-ହାଣ୍ଡିପୁଟ ରାସ୍ତା ଉନ୍ନତିକରଣ ପାଇଁ ୩୮ କୋଟିରୁ ଅଧିକ ଓ ଲମ୍ତାପୁଟ-ମାଛକୁଣ୍ଡ ରାସ୍ତା ପାଇଁ ୧୫ କୋଟିରୁ ଅଧିକ ଅର୍ଥ ମଞ୍ଜୁର ହୋଇଛି । ନବରଙ୍ଗପୁରର ଉମରକୋଟ-ଚନ୍ଦାହାଣ୍ଡି-ମାଲଗାଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ୩୨ କୋଟି ଟଙ୍କା ବ୍ୟୟ ହେବ।
ଗଜପତି ଜିଲ୍ଲାର ଅଡବା-ପାଣିଗଣ୍ଡା ରାସ୍ତା ଓ ରାମଗିରି-ଜିରାଙ୍ଗ-ନାରାୟଣପୁର ରାସ୍ତାର ସୁଦୃଢୀକରଣ କାମ ମଧ୍ୟ ଏହି ତାଲିକାରେ ରହିଛି। ନୂଆପଡା ଜିଲ୍ଲାର ଖରିଆର ରୋଡ-ଆମୋଦୀ-ବେଲଟୁକୁରି ରାସ୍ତା ପ୍ରଶସ୍ତିକରଣ ପାଇଁ ୬୧ କୋଟି ଟଙ୍କାରୁ ଅଧିକ ଅନୁଦାନ ମିଳିଛି। ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର-ବାଟଗ୍ରାମ-ଚନ୍ଦନେଶ୍ୱର ରାସ୍ତା ଉନ୍ନତି ପାଇଁ ସର୍ବାଧିକ ୧୮୪ କୋଟି ଟଙ୍କା ବ୍ୟୟ ହେବ।
ରାଜ୍ୟ ସରକାର କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକରୀ କରାଯିବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସମାପ୍ତ କରିବାକୁ ସମସ୍ତ ପଦକ୍ଷେପ ନିଆଯିବ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
