Explore

Search

June 2, 2026 1:22 am

ଓଡିଶାର ବେଲ ପଣା, ସୁସ୍ୱାଦୁ ଆମ୍ବକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ତାଙ୍କର ଲୋକପ୍ରିୟ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୩୪ତମ ସଂସ୍କରଣରେ ଓଡ଼ିଶାର ପାରମ୍ପରିକ ପାନୀୟ ବେଲ ପଣା ଏବଂ ପ୍ରସିଦ୍ଧ ସୁବର୍ଣ୍ଣରେଖା ଆମ୍ବର ଉଚ୍ଚ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ପ୍ରବାହ ବଢ଼ୁଥିବା ସମୟରେ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସ୍ଥାନୀୟ ଓ ପାରମ୍ପରିକ ଖାଦ୍ୟପାନୀୟର ଗୁରୁତ୍ୱ ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର ପାରମ୍ପରିକ ଶୀତଳ ପାନୀୟ ବିଷୟରେ ଆଲୋଚନା କରିବା ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ବେଲ ପଣାକୁ ଏକ ସ୍ୱାସ୍ଥ୍ୟକର ଓ ପ୍ରାକୃତିକ ପାନୀୟ ଭାବେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ପ୍ରବଳ ଗରମରେ ଶରୀରକୁ ଶୀତଳ ରଖିବା ସହିତ ପାରମ୍ପରିକ ପାନୀୟଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ବିଦେଶୀ ଶୀତଳ ପାନୀୟ ତୁଳନାରେ ଦେଶୀ ଓ ପ୍ରାକୃତିକ ପାନୀୟକୁ ଅଧିକ ପ୍ରାଧାନ୍ୟ ଦେବାକୁ ସେ ଦେଶବାସୀଙ୍କୁ ପରାମର୍ଶ ଦେଇଥିଲେ।

ଏହା ସହିତ ଭାରତର ବିଭିନ୍ନ ପ୍ରଜାତିର ଆମ୍ବ ବିଷୟରେ ଆଲୋଚନା କରି ସେ କହିଥିଲେ ଯେ ପ୍ରତ୍ୟେକ ଅଞ୍ଚଳର ଆମ୍ବର ସ୍ୱତନ୍ତ୍ର ସ୍ୱାଦ ଓ ପରିଚୟ ରହିଛି। ହାପୁସ୍, କେଶର, ଦଶହରୀ, ଲାଙ୍ଗଡା, ହିମସାଗର ଓ ବଙ୍ଗନାପାଲ୍ଲୀ ଭଳି ପ୍ରସିଦ୍ଧ ଆମ୍ବ ସହ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଚାଷ ହେଉଥିବା ସୁବର୍ଣ୍ଣରେଖା ଆମ୍ବର ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହି ଆମ୍ବ ତାହାର ସ୍ୱାଦ, ସୁଗନ୍ଧ ଓ ଗୁଣବତ୍ତା ପାଇଁ ଦେଶ ତଥା ବିଦେଶରେ ଲୋକପ୍ରିୟତା ହାସଲ କରୁଥିବା କଥା ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ରୀଷ୍ମ ଋତୁ ଓ ଆମ୍ବ ଭାରତୀୟ ଜୀବନଶୈଳୀର ଏକ ଅବିଚ୍ଛିନ୍ନ ଅଂଶ। ଦେଶର ପ୍ରାୟ ପ୍ରତ୍ୟେକ ପରିବାରରେ ଏହି ସମୟରେ ଆମ୍ବକୁ ନେଇ ଚର୍ଚ୍ଚା ହୋଇଥାଏ। ଓଡ଼ିଶାର ବିଭିନ୍ନ ପ୍ରଜାତିର ଆମ୍ବ ଆଜି ଦେଶର ବିଭିନ୍ନ ବଜାର ସହ ବିଦେଶୀ ବଜାରରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରୁଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ପୂର୍ବରୁ ମଧ୍ୟ ଓଡ଼ିଶାର ବିଭିନ୍ନ ପାରମ୍ପରିକ ଉତ୍ପାଦ, ହସ୍ତଶିଳ୍ପ, ସଂସ୍କୃତି ଓ ପ୍ରେରଣାଦାୟୀ ବ୍ୟକ୍ତିତ୍ୱଙ୍କ ସଫଳତା କାହାଣୀକୁ ଜାତୀୟ ସ୍ତରରେ ପହଞ୍ଚାଇ ଆସୁଛନ୍ତି। ଏଥର ବେଲ ପଣା ଓ ସୁବର୍ଣ୍ଣରେଖା ଆମ୍ବର ପ୍ରଶଂସା ଓଡ଼ିଶାର ଖାଦ୍ୟ ପରମ୍ପରା ଏବଂ କୃଷି ଉତ୍ପାଦକୁ ପୁଣିଥରେ ଜାତୀୟ ଚର୍ଚ୍ଚାରେ ସ୍ଥାନ ଦେଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score