ଭୁବନେଶ୍ୱର : ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ରହସ୍ୟ, ରୋମାଞ୍ଚ ଓ ଅପରାଧକୁ ନେଇ ପ୍ରସ୍ତୁତ ନୂଆ ଓଡ଼ିଆ ଚଳଚ୍ଚିତ୍ର ମେମସାହାବ । ଉତ୍କଳ ଗ୍ୟାଲେରିଆସ୍ଥିତ ପ୍ରେକ୍ଷାଳୟରେ ଏହାର ପ୍ରଥମ ପ୍ରଦର୍ଶନ ଆୟୋଜିତ ହୋଇଥିବା ବେଳେ ପ୍ରଥମ ଦିନରୁ ଦର୍ଶକଙ୍କ ଭଲ ସ୍ୱୀକୃତି ମିଳିଛି । ଚଳଚ୍ଚିତ୍ରର କଳାକାରମାନଙ୍କ ସହ ଓଡ଼ିଆ ସିନେମା ଜଗତର ଅନେକ ଅଭିନେତା, ଅଭିନେତ୍ରୀ, ନିର୍ଦ୍ଦେଶକ ଓ ପ୍ରଯୋଜକ ଉପସ୍ଥିତ ଥିଲେ । ପ୍ରଥମ ଦିନର ସମସ୍ତ ପ୍ରଦର୍ଶନ ଦର୍ଶକରେ ପୂର୍ଣ୍ଣ ଥିଲା ।
ଅଭିନେତ୍ରୀ ପ୍ରିୟା ଚୌଧୁରୀ ଦୀର୍ଘ ଚାରି ବର୍ଷ ପରେ ପରଦାକୁ ଫେରିଛନ୍ତି । ସେ କହିଛନ୍ତି, ଏହି ଚଳଚ୍ଚିତ୍ରରେ ସେ ପ୍ରଥମଥର ପାଇଁ ଗୁରୁତର ଓ ପ୍ରତିଶୋଧପରାୟଣ ଚରିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର ପାଇଁ ଓଡ଼ିଶା ସହ ଆସାମ ଓ ଦାର୍ଜିଲିଙ୍ଗରେ ଛାୟାଗ୍ରହଣ କରାଯାଇଥିବା ବେଳେ ବହୁତ ପରିଶ୍ରମ କରାଯାଇଛି ବୋଲି ସେ କହିଛନ୍ତି । ଦର୍ଶକ ଏହି ନୂଆ ରୂପକୁ ନିଶ୍ଚୟ ପସନ୍ଦ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି ।
ଅଭିନେତା ଚୌଧୁରୀ ଜୟ ପ୍ରକାଶ ଦାଶ ଚଳଚ୍ଚିତ୍ରରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ ଭୂମିକାରେ ନଜର ଆସିଛନ୍ତି । ତାଙ୍କର ଏହି ନୂଆ ଚରିତ୍ର ଦର୍ଶକଙ୍କୁ ଭଲ ଲାଗିବ ବୋଲି ସେ ଆଶା ରଖିଛନ୍ତି । ସେହିପରି ଓଡ଼ିଆ ସିନେମାରେ ନୂଆ ଧାରାର ମୌଳିକ କାହାଣୀ ଆସୁଥିବାକୁ ସେ ଶୁଭ ସଂକେତ ବୋଲି ବର୍ଣ୍ଣନା କରିଛନ୍ତି ।
ନାୟକ ଭୂମିକାରେ ଅଭିନୟ କରିଥିବା ସମ୍ଭବ ମାନସିଂହ କହିଛନ୍ତି ଯେ, ଏହି ଭିନ୍ନ ଧାରାର ଚଳଚ୍ଚିତ୍ର ଦର୍ଶକଙ୍କୁ ନିଶ୍ଚୟ ଭଲ ଲାଗିବ । ପ୍ରିୟାଙ୍କ ସହ ପ୍ରଥମଥର କାମ କରିଥିବାରୁ ଦୁହିଁଙ୍କ ଅଭିନୟର ସମନ୍ୱୟ ମଧ୍ୟ ଦର୍ଶକଙ୍କୁ ଆକର୍ଷିତ କରିବ ବୋଲି ସେ କହିଛନ୍ତି ।
ଧୁନ୍ ସଙ୍ଗୀତ ସଂସ୍ଥାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ, ପ୍ରିୟା ଚୌଧୁରୀ, ଚୌଧୁରୀ ଜୟ ପ୍ରକାଶ ଦାଶ, ସମ୍ଭବ ମାନସିଂହ, ସତ୍ୟ ପ୍ରକାଶ ଜେନା, ଭାଇଓଲିନା ବାରୁଆ, ଦୀପନ ଦା ଓ ବିଶ୍ୱ ଭୂଷଣ । ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱ ଭୂଷଣ ମହାପାତ୍ର ଓ କାଳୀ ପ୍ରସାଦ ମିଶ୍ର ।
କାହାଣୀ, ପଟକଥା ଓ ସଂଳାପ ଲେଖିଛନ୍ତି ଅମିତ କୁମାର ଦାଶ । ସଙ୍ଗୀତ ଦେଇଛନ୍ତି ଅଭିଜିତ ତ୍ରିପାଠୀ ଏବଂ ଧ୍ୱନି ସଜ୍ଜା ଓ ପୃଷ୍ଠସଙ୍ଗୀତର ଦାୟିତ୍ୱ ନିଭାଇଛନ୍ତି ବନି ମହାନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
