ଭୁବନେଶ୍ୱର : ଓଡ଼ିଶାର ଘନ ଜଙ୍ଗଲ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ ଗୁଡ଼ିକ ଖୁବଶୀଘ୍ର ଆଡଭେଞ୍ଚର ପର୍ଯ୍ୟଟନର ନୂଆ କେନ୍ଦ୍ର ପାଲଟିବାକୁ ଯାଉଛି। ପ୍ରକୃତିର ନିକଟରେ ରହି ଦୁଃସାହସିକ ଅନୁଭୂତି ନେବା ପାଇଁ ପର୍ଯ୍ୟଟକଙ୍କୁ ବିଶେଷ ସୁଯୋଗ ଦେବା ଲକ୍ଷ୍ୟରେ ରାଜ୍ୟର ୧୧ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଦେବ୍ରିଗଡ଼, ଚନ୍ଦକା-ଡମପଡ଼ା, ଶିମିଳିପାଳ ଓ ସାତକୋଶିଆ ପରି ଅଭୟାରଣ୍ୟରେ ରାତ୍ରିଯାପନ, ଜଙ୍ଗଲ ଟ୍ରେଲ୍, ଦୀର୍ଘ ପଦଯାତ୍ରା ଓ ଟ୍ରେକିଂ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ହେଉଛି।
୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ପ୍ରେମ କୁମାର ଝା କହିଛନ୍ତି ଯେ, ରାଜ୍ୟର ପ୍ରାକୃତିକ ସମ୍ପଦକୁ ବିଶ୍ୱ ସ୍ତରରେ ପରିଚିତ କରିବା ପାଇଁ ଆଡଭେଞ୍ଚର ଟୁରିଜମ୍କୁ ଅଧିକ ବ୍ୟାପକ କରାଯିବ। ଏହା ମାଧ୍ୟମରେ ଦେଶ ଓ ବିଦେଶର ପର୍ଯ୍ୟଟକଙ୍କୁ ଓଡ଼ିଶାର ଜଙ୍ଗଲ ଓ ବନ୍ୟଜୀବ ସମ୍ପଦ ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି।
ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗାଇଡମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ତେବେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିବାରୁ ଅଭୟାରଣ୍ୟର କୋର୍ ଏରିଆ ଓ ନିଷିଦ୍ଧାଞ୍ଚଳକୁ ଏହି କାର୍ଯ୍ୟକ୍ରମରୁ ବାଦ ଦିଆଯିବ। ବର୍ତ୍ତମାନ ଏହାକୁ ନେଇ ବିଭିନ୍ନ ସ୍ତରରେ ଆଲୋଚନା ଚାଲିଛି।
ବନ୍ୟପ୍ରାଣୀ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ବନ ବିଭାଗ ନୂତନ ପ୍ରଯୁକ୍ତିର ବ୍ୟବହାର ଉପରେ ମଧ୍ୟ ଜୋର ଦେଉଛି। ହାତୀ ଆକ୍ରମଣରେ ମୃତ୍ୟୁ ଘଟିଲେ କ୍ଷତିପୂରଣ ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଜଙ୍ଗଲରେ ନିଆଁ ଲାଗିବା ପୂର୍ବରୁ ସତର୍କ ସୂଚନା ଦେବା ପାଇଁ ଏଆଇ ଆଧାରିତ ଟାୱାର ସ୍ଥାପନ କରାଯାଇଛି। ଥର୍ମାଲ ଡ୍ରୋନ ମାଧ୍ୟମରେ ରାତି ସମୟରେ ହାତୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଉଛି।
ଏହାସହ ସାତକୋଶିଆ ଓ ଦେବ୍ରିଗଡ଼ ଅଭୟାରଣ୍ୟରେ ପୁଣିଥରେ ବାଘ ପୁନର୍ବାସ ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
