Explore

Search

June 30, 2026 1:45 am

ଉଦ୍ୟୋଗୀଙ୍କ ପାଇଁ ବଡ଼ ଉପହାର : ଗଞ୍ଜାମ ଓ କଳାହାଣ୍ଡିରେ ଆରମ୍ଭ ହେଲା MSME ପାର୍କ

ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟମିତାକୁ ଅଧିକ ସଶକ୍ତ କରିବା ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ (MSME) କ୍ଷେତ୍ରର ବିକାଶକୁ ଗତି ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶା ରାଜ୍ୟ ମହିଳା ଉଦ୍ୟମିତା ପ୍ଲାଟଫର୍ମ (WEP)ର ଶୁଭାରମ୍ଭ କରିଥିବା ବେଳେ ଗଞ୍ଜାମ ଓ କଳାହାଣ୍ଡିରେ ଦୁଇଟି ମଲ୍ଟି-ପ୍ରଡକ୍ଟ MSME ପାର୍କର ଉଦଘାଟନ କରିଛନ୍ତି।

ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ‘ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ’ ଓ ଅନ୍ତର୍ଜାତୀୟ MSME ଦିବସ ଅବସରରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହିଳାମାନେ କେବଳ ଚାକିରି ଖୋଜୁଥିବା ନୁହେଁ, ବରଂ ଚାକିରି ସୃଷ୍ଟି କରୁଥିବା ଉଦ୍ୟୋଗୀ ଭାବେ ଆଗକୁ ଆସିବା ଆବଶ୍ୟକ। ସେ କହିଥିଲେ ଯେ, ମହିଳାମାନେ ବିକାଶର କେବଳ ଭାଗୀଦାର ନୁହେଁ, ବରଂ ବିକାଶର ନେତୃତ୍ୱ ନେବାକୁ ସକ୍ଷମ ହେବା ଦରକାର।

ନୀତି ଆୟୋଗର ସହଯୋଗରେ ଆରମ୍ଭ ହୋଇଥିବା WEP ପ୍ଲାଟଫର୍ମ ମହିଳା ଉଦ୍ୟୋଗୀମାନଙ୍କୁ ପ୍ରଶିକ୍ଷଣ, ଆର୍ଥିକ ସହାୟତା, ବଜାର ସଂଯୋଗ ଓ ପରାମର୍ଶ ସେବା ଯୋଗାଇବ। ଏହା ରାଜ୍ୟରେ ମହିଳା ନେତୃତ୍ୱାଧୀନ ଉଦ୍ୟୋଗ ଗଠନକୁ ନୂଆ ଦିଗ ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ଏହାସହ ବାଲେଶ୍ୱରରେ ରାଇସ ମିଲିଂ କ୍ଲଷ୍ଟର, ପାହାଳରେ ରସଗୋଲା କ୍ଲଷ୍ଟର ଓ ଗଞ୍ଜାମରେ ନୂତନ ମଲ୍ଟି-ପ୍ରଡକ୍ଟ MSME ପାର୍କର ଶୁଭାରମ୍ଭ ଶିଳ୍ପ ବିକାଶକୁ ଅଧିକ ଗତି ଦେବ। ବିଶେଷକରି ଗଞ୍ଜାମ ଜିଲ୍ଲାର MSME ପାର୍କ ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବା ସହ ଉଦ୍ୟୋଗ କ୍ଷେତ୍ରରେ ନିବେଶ ବୃଦ୍ଧିରେ ସହାୟକ ହେବ।

ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ଗୋଟିଏ ଲେଖାଏଁ ମଲ୍ଟି-ପ୍ରଡକ୍ଟ MSME ପାର୍କ ସ୍ଥାପନ କରାଯାଉଛି। ଏହା ଦ୍ୱାରା ଗ୍ରାମାଞ୍ଚଳରେ ଶିଳ୍ପ ବିକାଶ ସହ ନୂଆ ଉଦ୍ୟୋଗୀ ସୃଷ୍ଟି ହେବେ।

ସେ ଆହୁରି କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଓଡ଼ିଶାର ୪.୩୨ ଲକ୍ଷରୁ ଅଧିକ MSME ଉଦ୍ୟୋଗ ଉପକୃତ ହୋଇଛି। PMEGP ଯୋଜନା ମାଧ୍ୟମରେ ୪,୯୦୦ରୁ ଅଧିକ କ୍ଷୁଦ୍ର ଉଦ୍ୟୋଗକୁ ୧୪୬ କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଛି, ଯେଉଁଥିରେ ୪୨.୫ ପ୍ରତିଶତ ଲାଭାର୍ଥୀ ମହିଳା। ସେହିପରି କ୍ରେଡିଟ ଗ୍ୟାରେଣ୍ଟି ଯୋଜନାରେ ୨୩ ହଜାର କୋଟି ଟଙ୍କାରୁ ଅଧିକ ବନ୍ଧକମୁକ୍ତ ଋଣ ଯୋଗାଇ ଦିଆଯାଇଛି। CM-SRIM ଯୋଜନା ଅଧୀନରେ ସରକାର ଋଣ ଉପରେ ସୁଧ ଭାର ବହନ କରୁଥିବାରୁ ଉଦ୍ୟୋଗୀମାନେ ବଡ଼ ଆର୍ଥିକ ସହାୟତା ପାଉଛନ୍ତି।

ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ମହିଳା ସଶକ୍ତିକରଣ, MSME ବିକାଶ ଏବଂ ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରେ ରୋଜଗାର ସୃଷ୍ଟି ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score