Explore

Search

May 25, 2026 9:58 pm

ଇଲେକ୍ଟ୍ରିକ୍ ସ୍କୁଟର୍ କିଣନ୍ତୁ : ସରକାର ବଢ଼ାଇବେ EV ସବସିଡି

ନୂଆଦିଲ୍ଲୀ : ଦେଶରେ ଲଗାତାର ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି । ପଶ୍ଚିମ ଏସିଆରେ ଚାଲିଥିବା ଅସ୍ଥିର ପରିସ୍ଥିତି କାରଣରୁ ଅଶୋଧିତ ତୈଳ ଆମଦାନୀ ମହଙ୍ଗା ହେଉଥିବା ବେଳେ, କେନ୍ଦ୍ର ସରକାର ଏବେ ବିଦ୍ୟୁତ୍ ଚାଳିତ ଦୁଇଚକିଆ ଯାନକୁ ପ୍ରୋତ୍ସାହନ ଦେବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ।

ସୂଚନା ଅନୁସାରେ, ପିଏମ୍ ଇ-ଡ୍ରାଇଭ୍ ସ୍କିମ୍‌ ଅଧୀନରେ ଇଲେକ୍ଟ୍ରିକ୍ ସ୍କୁଟର୍ ଓ ବାଇକ୍‌ ଉପରେ ମିଳୁଥିବା ସବ୍‌ସିଡିକୁ ଆହୁରି ବଢ଼ାଇବା ଉପରେ ସରକାର ବିଚାର କରୁଛନ୍ତି । ଏହି ଯୋଜନା ପାଇଁ ଭାରି ଉଦ୍ୟୋଗ ମନ୍ତ୍ରଣାଳୟ ଅତିରିକ୍ତ ଅର୍ଥ ଆବଣ୍ଟନ ଦାବି କରିପାରେ । ଏହା ଲାଗୁ ହେଲେ ସାଧାରଣ ଲୋକଙ୍କ ପାଇଁ ଇଲେକ୍ଟ୍ରିକ୍ ସ୍କୁଟର୍ କିଣିବା ପୂର୍ବାପେକ୍ଷା ଅଧିକ ସହଜ ଓ ଶସ୍ତା ହୋଇପାରିବ ।

ବର୍ତ୍ତମାନ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସରକାର ପିଏମ୍ ଇ-ଡ୍ରାଇଭ୍ ସ୍କିମ୍‌ ଅଧୀନରେ ବିଦ୍ୟୁତ୍ ଚାଳିତ ଦୁଇଚକିଆ ଯାନ ପାଇଁ ୧୦ ହଜାର ୯୦୦ କୋଟି ଟଙ୍କା ବ୍ୟୟ କରିଛନ୍ତି । ଯୋଜନାର ସମୟସୀମାକୁ ମଧ୍ୟ ଜୁଲାଇ ପର୍ଯ୍ୟନ୍ତ ବଢ଼ାଯାଇଛି । ସରକାର ଏବେ ଏହାକୁ ଆହୁରି ଶକ୍ତିଶାଳୀ କରିବା ଉପରେ ଜୋର ଦେଉଛନ୍ତି ।

ହେଲେ ଅତିରିକ୍ତ ସବ୍‌ସିଡି ପାଇଁ କେତେ ଅର୍ଥ ଆବଣ୍ଟନ ହେବ, ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । ସୂତ୍ର ଅନୁସାରେ, ଗତ କିଛି ସପ୍ତାହ ଧରି ଏହି ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ସ୍ତରରେ ଆଲୋଚନା ଚାଲିଛି ।

ପଶ୍ଚିମ ଏସିଆର ଅସ୍ଥିରତା ଭାରତ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ଭାରତ ତାହାର ବହୁତ ଅଂଶ ଅଶୋଧିତ ତୈଳ ସେହି ଅଞ୍ଚଳରୁ ଆମଦାନୀ କରେ । ଏହି କାରଣରୁ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ିବା ଦେଖାଯାଉଛି ।

ଏହି ପରିସ୍ଥିତିରେ ସରକାର ଚାହୁଁଛନ୍ତି ଯେ, ଲୋକେ ଧୀରେ ଧୀରେ ଇଲେକ୍ଟ୍ରିକ୍ ଯାନ ଦିଗକୁ ଅଧିକ ଆକର୍ଷିତ ହେଉନ୍ତୁ । ଏହା ଦ୍ୱାରା ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମିବ । ତଥ୍ୟ ଅନୁସାରେ, ମେ ମାସର ପ୍ରଥମ ୧୫ ଦିନରେ ବ୍ୟାଟେରୀ ଚାଳିତ ଦୁଇଚକିଆ ଯାନ ପଞ୍ଜିକରଣରେ ୧୩.୫ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ପେଟ୍ରୋଲ୍ ଯାନ ବିକ୍ରିରେ ୫.୫ ପ୍ରତିଶତ ହ୍ରାସ ଦେଖାଯାଇଛି ।

ବିଶେଷଜ୍ଞଙ୍କ ମତାନୁସାରେ, ଏବେ ଅନେକ ପରିବାର ଦ୍ୱିତୀୟ ଯାନ ଭାବେ ଇଲେକ୍ଟ୍ରିକ୍ ସ୍କୁଟର୍‌କୁ ବେଶି ପସନ୍ଦ କରୁଛନ୍ତି । ଯଦି ସରକାର ସବ୍‌ସିଡି ବଢ଼ାନ୍ତି, ତେବେ ଓଲା ଇଲେକ୍ଟ୍ରିକ୍, ଟିଭିଏସ୍ ଆଇକ୍ୟୁବ୍ ଓ ବଜାଜ ଚେତକ ଭଳି କମ୍ପାନୀ ଅଧିକ ଲାଭ ପାଇପାରନ୍ତି । ଏହାସହ ଚାର୍ଜିଂ ସୁବିଧା ଓ ବ୍ୟାଟେରୀ ଟେକ୍ନୋଲୋଜିରେ ମଧ୍ୟ ଆଗାମୀ ଦିନରେ ବଡ଼ ସୁଧାର ଦେଖିବାକୁ ମିଳିପାରେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score