Explore

Search

May 14, 2026 10:07 pm

ଇଭି ଯୁଗକୁ ଆଗେଇବ ଓଡ଼ିଶା : OSRTCର ସମସ୍ତ ବସ୍ ହେବ ଇଲେକ୍ଟ୍ରିକ

ଭୁବନେଶ୍ୱର : ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ପୂରାପୂରି ପରିବେଶ ବନ୍ଧୁ କରିବା ପାଇଁ ବଡ଼ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଓଏସଆରଟିସି (OSRTC)ର ସମସ୍ତ ବସକୁ ପର୍ଯ୍ୟାୟକ୍ରମେ ଇଲେକ୍ଟ୍ରିକ ଭେହିକଲ (EV)ରେ ପରିଣତ କରାଯିବ ବୋଲି ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ପରିବେଶ ସୁରକ୍ଷା, ଇନ୍ଧନ ସଞ୍ଚୟ ଓ ଆଧୁନିକ ପରିବହନ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଏହି ମହତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ ହେଉଛି ।

ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଇଭି ଚାର୍ଜିଂ ଷ୍ଟେସନର କୌଣସି ଅଭାବ ରହିବ ନାହିଁ । ବିଭିନ୍ନ ଇଭି ଚାର୍ଜିଂ କମ୍ପାନୀ ସହ ପ୍ରାଥମିକ ଆଲୋଚନା ଶେଷ ହୋଇସାରିଛି ଏବଂ ଖୁବଶୀଘ୍ର ରାଜ୍ୟର ମୁଖ୍ୟ ସହର ଓ ଜାତୀୟ ରାଜପଥରେ ଆଧୁନିକ ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ। ଏହାଦ୍ୱାରା ଭବିଷ୍ୟତରେ ଇଭି ବସ୍‌ ଓ ଗାଡ଼ି ଚଳାଚଳରେ କୌଣସି ଅସୁବିଧା ହେବ ନାହିଁ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଯେଉଁ ସମସ୍ତ କମ୍ପାନୀ ଇଭି ମାନ୍ୟୁଫାକ୍ଚରିଂ କରୁଛନ୍ତି ସେମାନଙ୍କୁ ସରକାରୀ ସହଯୋଗ ଓ ସୁବିଧା ଯୋଗାଇ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଧୀରେଧୀରେ ଇଲେକ୍ଟ୍ରିକ୍‌ ମୋଡ୍‌କୁ ନେଇଯିବାର ଯୋଜନା ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କର ମଧ୍ୟ ଇଭି ବ୍ୟବହାର ବଢ଼ାଇବା ଉପରେ ବିଶେଷ ଗୁରୁତ୍ୱ ରହିଛି । ଏହାଦ୍ୱାରା ପରିବେଶ ପ୍ରଦୂଷଣ କମିବା ସହିତ ଇନ୍ଧନ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ ବୋଲି ସରକାର ଆଶା କରୁଛନ୍ତି ।

ମିତବ୍ୟୟତା ଓ ସାଧାରଣ ଜୀବନଶୈଳୀକୁ ଗୁରୁତ୍ୱ ଦେଇ ପରିବହନ ମନ୍ତ୍ରୀ କହିଛନ୍ତି ଯେ ସେ ନିଜେ ଆଜିଠାରୁ ଇଭି ଗାଡ଼ିରେ ଯାତାୟାତ ଆରମ୍ଭ କରିବେ । “ମିତବ୍ୟୟତା ନିଜ ଠାରୁ ଆରମ୍ଭ ହେବା ଦରକାର । ଅନାବଶ୍ୟକ ଗାଡ଼ି ବ୍ୟବହାର କରିବି ନାହିଁ । ଆବଶ୍ୟକ ନଥିଲେ ବସ୍‌ ଓ ଟ୍ରେନରେ ଯିବି,” ବୋଲି ସେ କହିଛନ୍ତି । ଏହା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଏକ ସକାରାତ୍ମକ ବାର୍ତ୍ତା ବୋଲି ଚର୍ଚ୍ଚା ହେଉଛି ।

ରାଜ୍ୟ ସରକାର ଇଭି ଢାଞ୍ଚା ବିକାଶ ନେଇ ଗୁରୁତ୍ୱ ସହ କାମ କରୁଛନ୍ତି। ରାଜ୍ୟରେ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ତାହାରୁ ୩୦ଟି କାମ ଶେଷ ହୋଇସାରିଛି । କେବଳ ଭୁବନେଶ୍ୱରରେ ୧୫ଟି ଚାର୍ଜିଂ ଷ୍ଟେସନ ସ୍ଥାପନ କରାଯିବ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଆସନ୍ତା ଦିନରେ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଭଳି ବଡ଼ ସହରରେ ମଧ୍ୟ ଏହି ସୁବିଧା ବଢ଼ାଯିବ ।

ଏହି ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ସଞ୍ଚୟ ଆହ୍ୱାନକୁ ଗୁରୁତ୍ୱ ଦେଇ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ମିତବ୍ୟୟତାର ଉଦାହରଣ ସୃଷ୍ଟି କରିଛନ୍ତି। ଭଦ୍ରକରେ ସେ ନିଜ ଘରୁ ପଦଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଥିଲେ। ସେଠାରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ତାଙ୍କୁ ସ୍ୱାଗତ କରିଥିଲେ ଏବଂ ପରେ ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ କାର୍ଯ୍ୟର ସମୀକ୍ଷା ବୈଠକ ହୋଇଥିଲା।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମଧ୍ୟ ସରକାରୀ ଖର୍ଚ୍ଚ କମେଇବା ଓ ଇନ୍ଧନ ସଞ୍ଚୟ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ତାଙ୍କ କାରକେଡରେ ପୂର୍ବରୁ ୧୨ଟି ଗାଡ଼ି ଯାଉଥିବା ବେଳେ ଏବେ ସେହି ସଂଖ୍ୟାକୁ ଅଧା କରି ୬ରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ଏହାକୁ ଏକ ଉଦାହରଣ ଭାବେ ପ୍ରଦର୍ଶନ କରି ରାଜ୍ୟବାସୀଙ୍କୁ ଅନାବଶ୍ୟକ ଗାଡ଼ି ବ୍ୟବହାର କମେଇବା ଓ ସାଧାରଣ ପରିବହନ ବ୍ୟବହାର ବଢ଼ାଇବାକୁ ଆହ୍ୱାନ କରିଛନ୍ତି।

ସେ କହିଛନ୍ତି ଯେ କେବଳ ଆବଶ୍ୟକ ସ୍ଥାନରେ ବ୍ୟକ୍ତିଗତ ଗାଡ଼ି ବ୍ୟବହାର କରନ୍ତୁ ଓ ଅନ୍ୟ ସମୟରେ ବସ୍‌, ଟ୍ରେନ୍‌ ଭଳି ସାଧାରଣ ପରିବହନ ସେବାକୁ ଗୁରୁତ୍ୱ ଦିଅନ୍ତୁ । ଏହାସହ ଅନାବଶ୍ୟକ ବିଦେଶ ଗସ୍ତ ଓ ଅତ୍ୟାବଶ୍ୟକ ନଥିଲେ ସୁନା କିଣିବାରୁ ମଧ୍ୟ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score