Explore

Search

May 15, 2026 10:04 pm

ଆପଣ ଜାଣିଛନ୍ତି କି ସ୍କୁଲ ବସର ରଙ୍ଗ ହଳଦିଆ କାହିଁକି ?

ଭୁବନେଶ୍ୱର : ପ୍ରତିଦିନ ସକାଳ ହେଲେ ସ୍କୁଲ ବସର ହର୍ଣ୍ଣ ଶୁଣିବାକୁ ମିଳେ । ଛୋଟ ଛୋଟ ପିଲାମାନେ ବ୍ୟାଗ ପିଠିରେ ନେଇ ଖୁସିରେ ବସକୁ ଚଢ଼ୁଥିବା ଦୃଶ୍ୟ ସବୁଙ୍କୁ ଆକର୍ଷିତ କରେ। ଦେଖିବାକୁ ଗଲେ ଭିନ୍ନ ଭିନ୍ନ ସ୍କୁଲର ବସର ଡିଜାଇନ୍‌, କମ୍ପାନୀ କିମ୍ବା ନାମ ଅଲଗା ହୋଇଥାଏ, କିନ୍ତୁ ଗୋଟିଏ ଜିନିଷ ସବୁଠି ସମାନ ଦେଖାଯାଏ ତାହା ହେଉଛି ବସର ହଳଦିଆ ରଙ୍ଗ । ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ, ସ୍କୁଲ ବସ୍ ସବୁବେଳେ ହଳଦିଆ ରଙ୍ଗରେ କାହିଁକି ରଙ୍ଗାଯାଏ ? ଏହା ପଛରେ କେବଳ ଦେଖାଦେଖି ନୁହେଁ, ରହିଛି ବଡ଼ ସୁରକ୍ଷା ବିଜ୍ଞାନ।

ସ୍କୁଲ ବସକୁ ପିଲାମାନଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ବିଶେଷ ଭାବରେ ଡିଜାଇନ୍‌ କରାଯାଏ। ବସରେ ଶକ୍ତିଶାଳୀ ବଡ଼ି, ଆରାମଦାୟକ ସିଟ, ସିଟ ବେଲ୍ଟ, ବଡ଼ ଝରକା, ଜରୁରୀକାଳୀନ ଦ୍ୱାର ଓ ଉନ୍ନତ ସସପେନସନ୍‌ ସିଷ୍ଟମ ଭଳି ବ୍ୟବସ୍ଥା ରହିଥାଏ। ଏହାର ଲକ୍ଷ୍ୟ ହେଉଛି ଯାତ୍ରା ସମୟରେ ପିଲାମାନେ ସୁରକ୍ଷିତ ଓ ସୁବିଧାଜନକ ଅନୁଭବ କରନ୍ତୁ । କିନ୍ତୁ ଏହି ସବୁ ବ୍ୟବସ୍ଥା ମଧ୍ୟରେ ବସର ହଳଦିଆ ରଙ୍ଗକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।

ଇତିହାସ ଅନୁସାରେ, ସ୍କୁଲ ବସକୁ ହଳଦିଆ ରଙ୍ଗ କରିବାର ପ୍ରଚଳନ ଯୁକ୍ତରାଷ୍ଟ୍ରରେ ୧୯୩୯ ମସିହାରୁ ଆରମ୍ଭ ହୋଇଥିଲା। ସେତେବେଳେ ଶିକ୍ଷା ଓ ପରିବହନ ସୁରକ୍ଷା ବିଷୟରେ ଏକ ବିଶେଷ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀକୁ ଡକ୍ଟର ଫ୍ରାଙ୍କ ସେୟର ନେତୃତ୍ୱ ନେଇଥିଲେ, ଯିଏ “ହଳଦିଆ ସ୍କୁଲ ବସର ଜନକ” ଭାବରେ ପରିଚିତ। ଶିକ୍ଷକ, ପରିବହନ ବିଶେଷଜ୍ଞ ଓ ସୁରକ୍ଷା ଅଧିକାରୀମାନେ ମିଶି ଏହି ନିଷ୍ପତ୍ତି ନେଇଥିଲେ ଯେ, ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ବସ୍‌ର ରଙ୍ଗ ହଳଦିଆ ହେବା ସବୁଠାରୁ ଉପଯୁକ୍ତ ।

ବିଜ୍ଞାନୀମାନଙ୍କ କହିବା ଅନୁଯାୟୀ, ହଳଦିଆ ରଙ୍ଗ ମନୁଷ୍ୟ ଆଖିକୁ ସବୁଠାରୁ ଶୀଘ୍ର ଓ ସ୍ପଷ୍ଟ ଭାବରେ ଦେଖାଯାଏ । ବିଶେଷକରି କୁହୁଡ଼ି, ବର୍ଷା, ସକାଳ ବା ସନ୍ଧ୍ୟା ସମୟରେ ଏହି ରଙ୍ଗ ଅନ୍ୟ ରଙ୍ଗ ଅପେକ୍ଷା ଅଧିକ ଦୃଶ୍ୟମାନ ହୁଏ। ଏହି କାରଣରୁ ଡ୍ରାଇଭରମାନେ ଦୂରରୁ ମଧ୍ୟ ସ୍କୁଲ ବସ୍‌କୁ ଚିହ୍ନଟ କରି ସତର୍କ ହୋଇଯାନ୍ତି । ଏହା ଦୁର୍ଘଟଣାର ହାରକୁ କମାଇଥାଏ।

କେବଳ ସ୍କୁଲ ବସ୍‌ ନୁହେଁ, ଟ୍ରାଫିକ୍‌ ସିଗ୍ନାଲରେ ମଧ୍ୟ ହଳଦିଆ ଆଲୋକର ବ୍ୟବହାର ସତର୍କତାର ପ୍ରତୀକ ଭାବରେ କରାଯାଏ। ଏହା ଡ୍ରାଇଭରମାନଙ୍କୁ ଗତି କମାଇବା ଓ ସାବଧାନ ହେବାର ସଙ୍କେତ ଦିଏ। ସେହିପରି, ସ୍କୁଲ ବସ୍‌ର ହଳଦିଆ ରଙ୍ଗ ମଧ୍ୟ ରାସ୍ତାରେ ଅନ୍ୟ ଗାଡ଼ି ଚାଳକମାନଙ୍କୁ ସତର୍କ କରିଥାଏ ଯେ, ଏଥିରେ ଛୋଟ ପିଲାମାନେ ଯାତ୍ରା କରୁଛନ୍ତି।

ତେଣୁ, ସ୍କୁଲ ବସ୍‌ର ହଳଦିଆ ରଙ୍ଗ କେବଳ ଏକ ସାଧାରଣ ଡିଜାଇନ୍‌ ନୁହେଁ। ଏହା ପିଲାମାନଙ୍କ ସୁରକ୍ଷା, ସତର୍କତା ଓ ରାସ୍ତା ସଚେତନତା ସହ ଗଭୀର ଭାବରେ ଜଡିତ ଥିବା ଏକ ବୈଜ୍ଞାନିକ ନିଷ୍ପତ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score