ଭୁବନେଶ୍ୱର : ଆଧୁନିକ ଉପକରଣରେ ନୂଆ ଶକ୍ତି ପାଇବେ ଓଡ଼ିଶାର ଶିଳ୍ପୀ । ଓଡ଼ିଶାର ହସ୍ତଶିଳ୍ପ ଦେଶରେ ଏକ ନିଆରା ପରିଚୟ ରଖିଛି। ଏହି କଳାକୁ ଆହୁରି ଆଗକୁ ନେବା ପାଇଁ ଶିଳ୍ପୀଙ୍କୁ ଆଧୁନିକ ଉପକରଣ ଦିଆଯାଉଛି। ଏହା ଦ୍ୱାରା କାରିଗରଙ୍କ କାମ ସହଜ ହେବ। ଏହା ସହିତ କମ୍ ସମୟରେ ଅଧିକ ସାମଗ୍ରୀ ତିଆରି କରିବାରେ ମଧ୍ୟ ସୁବିଧା ମିଳିବ।
ଏହି ଉଦ୍ୟମରେ ଖୋର୍ଦ୍ଧା ଜିଲ୍ଲା ବନମାଳୀପୁର ଅନ୍ତର୍ଗତ ଭାକରସାହି ଠାରେ ୧୫୦ ଜଣ ଆପ୍ଲିକ୍ କ୍ରାଫ୍ଟ ଶିଳ୍ପୀଙ୍କୁ ଉନ୍ନତ ଉପକରଣ କିଟ୍ ଦିଆଯାଇଛି । ନୂଆ ଉପକରଣ ପାଇବା ପରେ ଶିଳ୍ପୀମାନେ ନିଜ କାମକୁ ଆହୁରି ଭଲ ଭାବେ କରିପାରିବେ। ଏହାଦ୍ୱାରା ତିଆରି ସାମଗ୍ରୀରମାନ ମଧ୍ୟ ଭଲ ହେବ ।
ଏହି ସୁବିଧା କେବଳ ଖୋର୍ଦ୍ଧାର ଶିଳ୍ପୀଙ୍କ ପାଇଁ ନୁହେଁ । ରାଜ୍ୟର ୧୨ଟି ଜିଲ୍ଲାର ୧୨୦୦ ଜଣ ଶିଳ୍ପୀଙ୍କୁ ଉପକରଣ କିଟ୍ ଦିଆଯିବ। ୭ଟି ହସ୍ତଶିଳ୍ପ କ୍ଷେତ୍ର ସହ ଜଡ଼ିତ କାରିଗରମାନେ ଏଥିରୁ ଲାଭ ପାଇବେ । ଚାନ୍ଦୁଆ, କାଠ, ପଥର, ଶିଙ୍ଗ, ଲୌହ, ମାଟି ଓ ପିତଳ ଶିଳ୍ପରେ କାମ କରୁଥିବା ଶିଳ୍ପୀମାନେ ଏହି ସୁବିଧା ପାଇବେ।
ଓଡ଼ିଶାର ଚାନ୍ଦୁଆ ଶିଳ୍ପ ନିଜର ସୁନ୍ଦର କାମ ଓ ଡିଜାଇନ୍ ପାଇଁ ବେଶ୍ ପରିଚିତ। ଏହି କାମରେ ଅନେକ ପରିବାର ନିଜ ଜୀବିକା ଚଳାନ୍ତି। ତେଣୁ ନୂଆ ଉପକରଣ ମିଳିବା ସେମାନଙ୍କ ପାଇଁ ଏକ ବଡ଼ ସହାୟତା । ଏହା ଦ୍ୱାରା ଶିଳ୍ପୀମାନେ ଅଧିକ ସାମଗ୍ରୀ ତିଆରି କରିପାରିବେ। ବଜାରରେ ଚାହିଦା ଥିବା ନୂଆ ଡିଜାଇନ୍ ମଧ୍ୟ ପ୍ରସ୍ତୁତ କରିପାରିବେ।
ହସ୍ତଶିଳ୍ପ କାମରେ ଶିଳ୍ପୀଙ୍କ ହାତର କୌଶଳ ସବୁଠାରୁ ବଡ଼ ଶକ୍ତି । ଏହାସହ ଭଲ ଉପକରଣ ମିଳିଲେ କାମ ଆହୁରି ସହଜ ହୋଇଥାଏ । ପୁରୁଣା ପଦ୍ଧତିରେ ଅଧିକ ସମୟ ଲାଗୁଥିବା କାମକୁ ନୂଆ ଉପକରଣ ସାହାଯ୍ୟରେ କମ୍ ସମୟରେ କରାଯାଇପାରେ । ଏହାର ଫଳରେ ଉତ୍ପାଦନ ବଢ଼ିବାସହ ଶିଳ୍ପୀଙ୍କ ଆୟ ବଢ଼ିବାର ଆଶା ରହିଛି ।
ଏହି ପଦକ୍ଷେପର ଲକ୍ଷ୍ୟ କେବଳ ଉପକରଣ ବାଣ୍ଟିବା ନୁହେଁ । ଶିଳ୍ପୀଙ୍କୁ ଆତ୍ମନିର୍ଭର କରିବା, ସେମାନଙ୍କ କାମକୁ ଭଲ କରିବା ଏବଂ ବଜାରରେ ଅଧିକ ସୁଯୋଗ ଦେବା ମଧ୍ୟ ଏହାର ଉଦ୍ଦେଶ୍ୟ । ଅବଶିଷ୍ଟ କିଟ୍ ଗୁଡ଼ିକ ମଧ୍ୟ ଚଳିତ ଆର୍ଥିକ ବର୍ଷରେ ପର୍ଯ୍ୟାୟକ୍ରମେ ଶିଳ୍ପୀଙ୍କୁ ଦିଆଯିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
