Explore

Search

September 7, 2026 9:12 pm

ଅଭାବ ଭିତରେ ଅସାଧାରଣ ପ୍ରତିଭା : ଚିତ୍ର ଓ ସଙ୍ଗୀତରେ ଭୂଷଣଙ୍କ ନିଆରା ପରିଚୟ

କୋରାପୁଟ : ସୁଯୋଗ ଓ ପ୍ରଶିକ୍ଷଣର ଅଭାବ ଥିଲେ ମଧ୍ୟ ପ୍ରତିଭାକୁ କେବେ ଅଟକାଇ ପାରିନି ପରିସ୍ଥିତି। ନିଜ ଅଭ୍ୟାସ, ଆଗ୍ରହ ଓ ଅଦମ୍ୟ ଇଚ୍ଛାଶକ୍ତି ବଳରେ ଚିତ୍ରକଳା ଓ ସଙ୍ଗୀତ ଦୁନିଆରେ ନିଜର ଏକ ଅଲଗା ପରିଚୟ ଗଢ଼ିଛନ୍ତି ଦଶମନ୍ତପୁର ବ୍ଲକର ଭୂଷଣ ଖୋସ୍ଲା। କୌଣସି କଳା ଅନୁଷ୍ଠାନରେ ଔପଚାରିକ ତାଲିମ ନେଇନଥିଲେ ମଧ୍ୟ ତାଙ୍କ ହାତରେ ଜୀବନ୍ତ ହୋଇଉଠେ ଚିତ୍ର। ସେହିପରି ନିଜେ ଗୀତ ଲେଖିବା ସହ ସ୍ୱର ଦେଇ ଗାଇବାରେ ମଧ୍ୟ ଦକ୍ଷତା ଦେଖାଇଛନ୍ତି।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଗିଲ୍ଲିଗୁମ୍ମା ଗାଁର ରଘୁନାଥ ଖୋସ୍ଲାଙ୍କ ଚତୁର୍ଥ ସନ୍ତାନ ଭୂଷଣ। ପାରିବାରିକ ପରିସ୍ଥିତି ସ୍ୱଚ୍ଛଳ ନଥିଲେ ମଧ୍ୟ ପିଲାବେଳୁ ତାଙ୍କର ଚିତ୍ର ଆଙ୍କିବା ପ୍ରତି ଅସାଧାରଣ ଆକର୍ଷଣ ଥିଲା। ପଢ଼ା ସମୟରେ ଏକ ଚିତ୍ର ଆଙ୍କିବା ପରେ ଶିକ୍ଷକଙ୍କଠାରୁ ମିଳିଥିବା ୨୦ ଟଙ୍କା ତାଙ୍କ କଳାଯାତ୍ରାକୁ ନୂଆ ଦିଗ ଦେଇଥିଲା।
ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ଭରିଥିବା କୋରାପୁଟର ପାହାଡ଼, ଝରଣା, ଜଙ୍ଗଲ, ବୃକ୍ଷଲତା ଓ ବିଭିନ୍ନ ପଶୁପକ୍ଷୀଙ୍କୁ କାଗଜରେ ତୋଳିବା ଆରମ୍ଭ କରିଥିଲେ ସେ। ଧୀରେ ଧୀରେ କାର୍ଟୁନ ଓ ବିଭିନ୍ନ ପ୍ରକାରର ପ୍ରତିଛବି ଆଙ୍କିବାରେ ମଧ୍ୟ ପାରଦର୍ଶିତା ହାସଲ କରିଥିଲେ। ଯେଉଁ ଚିତ୍ରରୁ ଟଙ୍କା ମିଳୁଥିଲା, ତାହାକୁ ସେ ପ୍ରଥମେ ନିଜ ପାଠପଢ଼ାରେ ବ୍ୟବହାର କରୁଥିଲେ। ପରେ କଲେଜ ସମୟରେ ଚିତ୍ର ଆଙ୍କି ମିଳୁଥିବା ଅର୍ଥ ପରିବାରକୁ ଦେଇ ଘର ଖର୍ଚ୍ଚରେ ସହଯୋଗ କରୁଥିଲେ।

ଭୂଷଣଙ୍କ କଳା ପାଇଁ ରାସ୍ତା ସବୁବେଳେ ସହଜ ନଥିଲା। ପରିବାରରେ କେହି ଚିତ୍ରକଳାକୁ ପେଶା କିମ୍ବା ଭବିଷ୍ୟତର ଆଧାର ଭାବେ ଦେଖୁନଥିଲେ। ପାଠପଢ଼ା ଛାଡ଼ି ଚିତ୍ର ଆଙ୍କିଲେ ଭବିଷ୍ୟତରେ କ’ଣ ହେବ ବୋଲି ପରିବାର ପକ୍ଷରୁ ତାଙ୍କୁ ବାରମ୍ବାର ତାଗିଦ କରାଯାଉଥିଲା। ତଥାପି ସେ ନିଜ ଆଗ୍ରହରୁ ପଛକୁ ହଟିନଥିଲେ।
ଯେତେବେଳେ ଅନ୍ୟମାନଙ୍କ ପାଇଁ ତାଙ୍କ ପ୍ରତିଭା କେବଳ ଏକ ଶୌକ ଥିଲା, ସେତେବେଳେ ଭୂଷଣ ଏହାକୁ ନିଜର ରୋଜଗାରର ଏକ ମାଧ୍ୟମ କରିବାକୁ ଚେଷ୍ଟା କରିଥିଲେ। ଛବି ଦେଖି ସେହିପରି ଚିତ୍ର ଆଙ୍କିବାରେ ତାଙ୍କ ଦକ୍ଷତା ବଢ଼ିଥିଲା। ବିବାହ, ବ୍ରତ ଓ ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ଚିତ୍ର ଆଙ୍କି ସେ ଅର୍ଥ ଉପାର୍ଜନ କରୁଛନ୍ତି।
ଚିତ୍ରକଳା ସହିତ ଭୂଷଣଙ୍କ ଆଉ ଏକ ପରିଚୟ ହେଉଛି ସଙ୍ଗୀତ। ସେ ଗୀତ ଲେଖନ୍ତି, ନିଜେ ସ୍ୱର ଦିଅନ୍ତି ଏବଂ ନିଜ କଣ୍ଠରେ ଗାଆନ୍ତି। ଏପର୍ଯ୍ୟନ୍ତ ୬୦ରୁ ଅଧିକ ଗୀତ ରଚନା କରିଥିବା ସେ କହିଛନ୍ତି। ଦେଶପ୍ରେମ, ସାମାଜିକ ସଚେତନତା, କୋରୋନା ସଚେତନତା ଓ କୋରାପୁଟର ମାଟି ତଥା ଲୋକଙ୍କୁ ନେଇ ସେ ବିଭିନ୍ନ ଗୀତ ପ୍ରସ୍ତୁତ କରିଛନ୍ତି । ସ୍ୱାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ଜୀବନ ଓ ବଳିଦାନକୁ ନେଇ ମଧ୍ୟ ସେ ଗୀତ ରଚନା କରିଛନ୍ତି।

ନିଜ କଳାକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଭୂଷଣ ସୋସିଆଲ ମିଡିଆ ଓ ୟୁଟ୍ୟୁବକୁ ମାଧ୍ୟମ କରିଛନ୍ତି। ତାଙ୍କ ଗୀତ ଗୁଡ଼ିକ ଅନଲାଇନରେ ଉପଲବ୍ଧ ଥିଲେ ମଧ୍ୟ ପ୍ରଚାରର ଅଭାବ ଯୋଗୁଁ ତାଙ୍କ ପ୍ରତିଭା ଏବେ ବି ବ୍ୟାପକ ଭାବେ ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ। କୋରାପୁଟର ପ୍ରସିଦ୍ଧ ‘ପରବ’ ଉତ୍ସବରେ ଗୀତ ଗାଇ ସେ ସମ୍ମାନିତ ମଧ୍ୟ ହୋଇଛନ୍ତି।
ଅନ୍ୟପଟେ, ପରିବାରର ଦାୟିତ୍ୱ ମଧ୍ୟ ଭୂଷଣଙ୍କ ଉପରେ ରହିଛି। ତାଙ୍କ ବାପା ରଘୁନାଥ ଖୋସ୍ଲା କୃଷକ ହୋଇଥିବା ବେଳେ ଦୀର୍ଘଦିନ ଧରି ପକ୍ଷାଘାତରେ ପୀଡ଼ିତ। ବାପା-ମାଆ, ପତ୍ନୀ ଓ ଦୁଇ ସନ୍ତାନଙ୍କ ଦାୟିତ୍ୱ ଏବେ ଭୂଷଣଙ୍କ ଉପରେ। ଜୀବିକା ପାଇଁ ସେ ବିଭିନ୍ନ ମନରେଗା କାର୍ଯ୍ୟର ନାମଫଳକ ତିଆରି କରିବା ସହ ଜଣେ ଠିକାଦାରଙ୍କ ଅଧୀନରେ ଲେଖାଲେଖି କାମ କରୁଛନ୍ତି।
ତେବେ ଏହି ରୋଜଗାରରେ ପରିବାର ଚଳାଇବା ସହଜ ନୁହେଁ। ବିଶେଷକରି ବର୍ଷା ଋତୁରେ କାମ କମିଯିବାରୁ ଆର୍ଥିକ ସମସ୍ୟା ଆହୁରି ବଢ଼ିଯାଏ। ଏପରି ସମୟରେ ଚିତ୍ର ଆଙ୍କି ମିଳୁଥିବା ଅର୍ଥ ତାଙ୍କ ପରିବାର ପାଇଁ ଅତିରିକ୍ତ ଆଶ୍ରୟ ପାଲଟିଥାଏ।

ଭୂଷଣଙ୍କ ପରିବାରର ମତରେ, ଯଦି ତାଙ୍କୁ ସରକାରୀ କିମ୍ବା ପ୍ରଶାସନିକ ସ୍ତରରେ ଉପଯୁକ୍ତ ପ୍ରୋତ୍ସାହନ, ତାଲିମ ଓ ମଞ୍ଚ ମିଳେ, ତେବେ ତାଙ୍କ ପ୍ରତିଭା ଆହୁରି ବିକଶିତ ହୋଇପାରିବ। ଦୁର୍ଗମ ଅଞ୍ଚଳରେ ରହି ନିଜ ଦକ୍ଷତାକୁ ଜୀବନ୍ତ ରଖିଥିବା ଏହି କଳାକାରଙ୍କୁ ଆବଶ୍ୟକ କେବଳ ଏକ ସୁଯୋଗ।
ଅଭାବ ଭିତରେ ବି ନିଜ ସ୍ୱପ୍ନକୁ ବଞ୍ଚାଇ ରଖିଛନ୍ତି ଭୂଷଣ। ଚିତ୍ର ତୂଳୀ ହେଉ କି ସଙ୍ଗୀତର ସ୍ୱର ଦୁଇଟି ମାଧ୍ୟମରେ ସେ ନିଜ ଭାବନା ଓ ସୃଜନଶୀଳତାକୁ ପ୍ରକାଶ କରୁଛନ୍ତି। ଆବଶ୍ୟକ ପ୍ରୋତ୍ସାହନ ଓ ସୁଯୋଗ ମିଳିଲେ କୋରାପୁଟର ଏହି ଲୁକ୍କାୟିତ ପ୍ରତିଭା ଆଗାମୀ ଦିନରେ ବଡ଼ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score