ଭୁବନେଶ୍ୱର : ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଅନଲାଇନ୍ ଟ୍ୟାକ୍ସି ଓ ଅଟୋ ଚାଳକଙ୍କ ହିଂସାତ୍ମକ ଆନ୍ଦୋଳନ ଘଟଣାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି। ଘଟଣାରେ ଗୁରୁବାର ସୁଦ୍ଧା ଗିରଫ ସଂଖ୍ୟା ୧୧୩ରେ ପହଞ୍ଚିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହୋଇଛି। ଏହାପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ତେବେ ଭଲ ବ୍ୟବହାର ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ୬୦ ଜଣଙ୍କୁ ନୋଟିସ ଜାରି କରି ଛାଡ଼ି ଦିଆଯାଇଥିବା ପୋଲିସ ପକ୍ଷରୁ ପ୍ରକାଶ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବାରୁ ଆଗକୁ ଗିରଫ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଏହି ଘଟଣାକୁ ନେଇ ଖାରବେଳନଗର ଥାନାରେ ମୋଟ ୭ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ଜନସାଧାରଣଙ୍କ ଅଭିଯୋଗ ଆଧାରରେ ୨ଟି, ଆମ ବସ୍ କର୍ମଚାରୀଙ୍କ ପକ୍ଷରୁ ୪ଟି ଏବଂ ପୋଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ କରାଯାଇଛି। ଆଇନ ହାତକୁ ନେଇ ହିଂସା କିମ୍ବା ବିଶୃଙ୍ଖଳା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି କମିଶନରେଟ୍ ପୋଲିସ ସ୍ପଷ୍ଟ କରିଛି।
ଅନ୍ୟପକ୍ଷରେ ମାଷ୍ଟରକ୍ୟାଣ୍ଟିନରେ ଥିବା ବେଆଇନ ଅନଲାଇନ୍ ଅଟୋ ଷ୍ଟାଣ୍ଡ ବିରୋଧରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ବୁଲଡୋଜର ଲଗାଇ ଉକ୍ତ ଅଟୋ ଷ୍ଟାଣ୍ଡକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି। ଷ୍ଟାଣ୍ଡ ଭିତରକୁ ଯାତାୟାତ ରୋକିବା ପାଇଁ ପ୍ରବେଶ ପଥରେ ମଧ୍ୟ ବଡ଼ ଗର୍ତ୍ତ ଖୋଳାଯାଇଛି। ଦୀର୍ଘଦିନ ଧରି କିଛି ଅଟୋ ଚାଳକ ଉକ୍ତ ସ୍ଥାନକୁ ନିଜ ନିୟନ୍ତ୍ରଣରେ ରଖି ଷ୍ଟାଣ୍ଡ ଭାବେ ବ୍ୟବହାର କରୁଥିବା ଅଭିଯୋଗ ରହିଥିଲା।
ଘଟଣା ପରେ ଜବତ କରାଯାଇଥିବା ଅଟୋ ଗୁଡ଼ିକୁ ଆଚାର୍ଯ୍ୟ ବିହାରସ୍ଥିତ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ରଖାଯାଇଛି। ମୋଟ ୩୫୪ଟି ଅଟୋ ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହା ସହିତ ଭୁବନେଶ୍ୱର ଆରଟିଓ-୧ ପକ୍ଷରୁ ଜବତ ଅଟୋଗୁଡ଼ିକର ପରମିଟ୍ ରଦ୍ଦ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।
ପୋଲିସର କଠୋର ପଦକ୍ଷେପ ପରେ ଅନେକ ଅଟୋ ଚାଳକଙ୍କ ଜୀବିକା ଉପରେ ମଧ୍ୟ ପ୍ରଭାବ ପଡ଼ିଛି। ଅଟୋ ଜବତ ହୋଇଥିବାରୁ ନିୟମିତ ରୋଜଗାର ଉପରେ ନିର୍ଭରଶୀଳ ଚାଳକମାନେ ଆର୍ଥିକ ସମସ୍ୟାରେ ପଡ଼ିଛନ୍ତି। ତେବେ ଆଇନଶୃଙ୍ଖଳା ରକ୍ଷା ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଆଗକୁ ମଧ୍ୟ ନିୟମ ଉଲ୍ଲଂଘନ ବିରୋଧରେ କଠୋର ପଦକ୍ଷେପ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
