Explore

Search

May 16, 2026 11:07 pm

VEGETARIAN ଭିଲେଜ

ବିହାର : ଆଜିର ସମୟରେ ଯେତେବେଳେ ଲୋକଙ୍କ ଖାଦ୍ୟ ପସନ୍ଦ ଦିନକୁ ଦିନ ବଦଳୁଛି, ସେତେବେଳେ ବିହାରର ଗୟା ଜିଲ୍ଲାର ଏକ ଛୋଟ ଗାଁ ନିଜର ପୁରୁଣା ପରମ୍ପରାକୁ ଆଜିବି ଅତୁଟ ରଖିଛି। ଶେରଘାଟି ଅଞ୍ଚଳର ‘ଚିଲିମ୍’ ଗାଁ ଏବେ ନିଜ ନାଁ ଠାରୁ ଅଧିକ ‘ନିରାମିଷ ଗାଁ’ ଭାବେ ପରିଚିତ। ପ୍ରାୟ ୩ ଶହ ପରିବାର ଓ ଦୁଇ ହଜାରରୁ ଅଧିକ ଲୋକ ରହୁଥିବା ଏହି ଗାଁରେ ମାଛ, ମାଂସ କିମ୍ବା ଅଣ୍ଡା ଖାଇବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଏପରିକି ଅନେକ ଲୋକ ପିଆଜ ଓ ରସୁଣ ମଧ୍ୟ ଖାଆନ୍ତି ନାହିଁ। ଗାଁ ଭିତରେ କୌଣସି ପ୍ରକାର ଆମିଷ ଖାଦ୍ୟ ବିକ୍ରି କରିବାକୁ ମଧ୍ୟ ଅନୁମତି ନାହିଁ। ପିଢ଼ି ପରେ ପିଢ଼ି ଧରି ଏହି ନିୟମକୁ ଗାଁର ଲୋକେ ଶ୍ରଦ୍ଧାର ସହ ମାନି ଆସୁଛନ୍ତି।

ସବୁଠାରୁ ବିଶେଷ କଥା ହେଉଛି, ଏହି ପରମ୍ପରା କେବଳ ଗୋଟିଏ ସମାଜ ମଧ୍ୟରେ ସୀମିତ ନୁହେଁ। ପ୍ରାୟ ୧୪ଟି ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ଏଠାରେ ରହୁଥିଲେ ମଧ୍ୟ ସମସ୍ତେ ଏହି ନିରାମିଷ ନୀତିକୁ ପାଳନ କରନ୍ତି। ଗ୍ରାମବାସୀଙ୍କ ପାଇଁ ଏହା କେବଳ ଖାଦ୍ୟ ଅଭ୍ୟାସ ନୁହେଁ, ବରଂ ଏକ ଆସ୍ଥା ଓ ଜୀବନ ଧାରା। ସେହିକାରଣରୁ ବିବାହ କିମ୍ବା ଅନ୍ୟ କୌଣସି କାମରେ ବାହାରକୁ ଯିବାବେଳେ ଅନେକ ନିଜ ସହ ଘରୁ ଖାଦ୍ୟ ଓ ପାଣି ନେଇଯାଆନ୍ତି। ବାହାରେ ବ୍ୟବହୃତ ପାତ୍ରରେ ଆମିଷ ରନ୍ଧା ହୋଇଥାଇପାରେ ବୋଲି ସେମାନଙ୍କର ଭୟ ରହେ।

ଗାଁର ବରିଷ୍ଠ ନାଗରିକ ଶିବ ଶଙ୍କର ପାଶୱାନ କହନ୍ତି, “ଆମ ପୂର୍ବଜମାନଙ୍କ ସମୟରୁ ଏହି ପରମ୍ପରା ଚାଲିଆସୁଛି। ଲୋକମାନେ ବାହାରକୁ ଯିବାବେଳେ ସାଙ୍ଗରେ ଛତୁଆ ଓ ପାଣି ନେଇଯାଆନ୍ତି। କାରଣ କେଉଁ ପାତ୍ରରେ କେବେ ଆମିଷ ରନ୍ଧା ହୋଇଛି, ତାହା କେହି ଜାଣିନଥାନ୍ତି।” ସେ ଆହୁରି କହିଛନ୍ତି ଯେ, ସେ ଗତ ୬୦ ବର୍ଷ ଧରି ଭାତ ମଧ୍ୟ ଖାଇ ନାହାଁନ୍ତି । କେବଳ ରୁଟି ଓ ଛତୁଆ ଖାଇ ଜୀବନ କାଟୁଛନ୍ତି । ପିଆଜ ଓ ରସୁଣ ମଧ୍ୟ ସେ କେବେ ଖାଇ ନାହାଁନ୍ତି ।

ଶିବ ଶଙ୍କରଙ୍କ ଆଉ ଗୋଟିଏ କଥା ଲୋକଙ୍କୁ ଅଧିକ ଆଶ୍ଚର୍ଯ୍ୟ କରେ। ସେ କହନ୍ତି, “ଯଦି ଭୁଲରେ ମଧ୍ୟ କୁକୁଡ଼ାର ପର ଶରୀରକୁ ଲାଗିଯାଏ, ମୁଁ ତାହାକୁ ପାପ ଭାବି ସ୍ନାନ କରି ପୂଜା କରେ।” ଗାଁବାସୀଙ୍କ କହିବା ଅନୁସାରେ, ଶିବ ଗୁରୁ, ମା ଗାୟତ୍ରୀ ଓ ଜୟ ଗୁରୁଦେବଙ୍କ ଆଧ୍ୟାତ୍ମିକ ଶିକ୍ଷାର ପ୍ରଭାବ ଏଠାରେ ଅତ୍ୟନ୍ତ ଗଭୀର। ମାଂସ, ମଦ ଓ ଅଣ୍ଡାକୁ ଗାଁରେ ଭଲ ଦୃଷ୍ଟିରେ ଦେଖାଯାଏନାହିଁ। କେହି ଘରେ ଆମିଷ ରାନ୍ଧିଲେ ଲୋକମାନେ ସେହି ଘରକୁ ଯିବା ମଧ୍ୟ ବନ୍ଦ କରି ଦିଅନ୍ତି।

ଯଦିଓ ନୂଆ ପିଢ଼ିର କିଛି ଯୁବକ ଏବେ ଧୀରେ ଧୀରେ ପିଆଜ ଓ ରସୁଣ ଖାଇବା ଆରମ୍ଭ କରିଛନ୍ତି, ତଥାପି ମାଂସ ଖାଇବାକୁ ଏଠାରେ ଆଜିବି ଅସମ୍ଭବ ବୋଲି ଧରାଯାଏ। ଏହି ଗାଁକୁ ନେଇ ଅନେକ ପୁରୁଣା କାହାଣୀ ମଧ୍ୟ ରହିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ପୁରୁଣା ସମୟରେ ଏଠାରେ କୋଲ୍ ରାଜାଙ୍କ ଗଡ଼ ଥିଲା । ଆଜିବି କିଛି ପୁରୁଣା ଦୁର୍ଗ ଭଳି ଅବଶେଷ ଦେଖିବାକୁ ମିଳେ। ଗାଁର ଇତିହାସ ପ୍ରାୟ ୪୦୦ରୁ ୫୦୦ ବର୍ଷ ପୁରୁଣା ବୋଲି ଲୋକମାନେ କହନ୍ତି।

ଗାଁର ନାଁକୁ ନେଇ ମଧ୍ୟ ରୋଚକ କାହାଣୀ ରହିଛି । କେହି କହନ୍ତି, ପୂର୍ବରୁ ଏଠାରେ ଚିଲମରେ ତମାଖୁ ସେବନ ଅଧିକ ହୋଇଥିବାରୁ ଗାଁର ନାଁ ‘ଚିଲମ୍’ ପଡ଼ିଥିଲା। କିନ୍ତୁ ଗାଁର ଲୋକମାନେ କହନ୍ତି, ଏହି ଗାଁ ନାଁ ପାଇଁ ନୁହେଁ, ବରଂ ଦେଶର ସବୁଠାରୁ ବଡ଼ ନିରାମିଷ ବସତି ମଧ୍ୟରୁ ଗୋଟିଏ ଭାବେ ଅଧିକ ଚର୍ଚ୍ଚିତ। “ଆମ ପୂର୍ବଜମାନେ ବର୍ଷରୁ ବର୍ଷ ଧରି ମାଂସ ଓ ମଦରୁ ଦୂରେଇ ରହିଥିଲେ। ଆମେ ଆଜିବି ସେହି ପରମ୍ପରାକୁ ମାନୁଛୁ। ସମଗ୍ର ଗାଁ ଧାର୍ମିକ ଭାବନା ସହ ଜଡ଼ିତ। ସେହିକାରଣରୁ ଚିଲୀମ୍‌କୁ ସମସ୍ତେ ‘ନିରାମିଷ ଗାଁ’ ବୋଲି କୁହନ୍ତି,” ବୋଲି ଗ୍ରାମର ଦେବେନ୍ଦ୍ର ଗୁପ୍ତା କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score