Explore

Search

June 13, 2026 1:07 pm

QR କୋଡ୍‌ରେ ମିଳିବ ସମସ୍ୟାର ସମାଧାନ : ଜନଅଭିଯୋଗ ଶୁଣିବ ଛତ୍ରପୁର ପୌରପାଳିକା

ବ୍ରହ୍ମପୁର : ଡିଜିଟାଲ ଯୁଗ ସହ ତାଳ ମିଳାଇ ନାଗରିକ ସେବାକୁ ଆହୁରି ସହଜ ଓ ସୁଗମ କରିବା ଦିଗରେ ଛତ୍ରପୁର ପୌରପାଳିକା ଏକ ନୂତନ ପଦକ୍ଷେପ ନେଇଛି । ଏବେ ଆଉ ସାଧାରଣ ଲୋକଙ୍କୁ ନିଜ ସମସ୍ୟା ଜଣାଇବା ପାଇଁ ସରକାରୀ କାର୍ଯ୍ୟାଳୟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । କେବଳ ମୋବାଇଲରେ QR କୋଡ୍ ସ୍କାନ୍ କରି ସ୍ୱଚ୍ଛତା, ପାନୀୟଜଳ, ଷ୍ଟ୍ରିଟ ଲାଇଟ, ନାଳ ନର୍ଦ୍ଦମା, ରାସ୍ତା ମରାମତି ସମେତ ବିଭିନ୍ନ ନାଗରିକ ସମସ୍ୟା ସମ୍ପର୍କରେ ସିଧାସଳଖ ଅଭିଯୋଗ ଦାଖଲ କରିପାରିବେ।

ରାଜ୍ୟରେ ପ୍ରଥମ ଥର ପାଇଁ ଏପରି QR ଆଧାରିତ ଜନଅଭିଯୋଗ ବ୍ୟବସ୍ଥା ଛତ୍ରପୁର ପୌରପାଳିକାରେ ଆରମ୍ଭ ହୋଇଛି । ଏହା ମାଧ୍ୟମରେ ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନ ହେବା ସହ ସମସ୍ୟାର ତ୍ୱରିତ ସମାଧାନ ସମ୍ଭବ ହେବ ବୋଲି ଆଶା କରାଯାଉଛି।

ସାଧାରଣତଃ ସହରର ବିଭିନ୍ନ ୱାର୍ଡରେ ନାଳ ସଫେଇ, ଅଳିଆ ଆବର୍ଜନା ଉଠାଣ, ଷ୍ଟ୍ରିଟ ଲାଇଟ ଅଚଳ, ମଶାମାଛି ଉପଦ୍ରବ କିମ୍ବା ରାସ୍ତା ମରାମତି ଭଳି ସମସ୍ୟା ନେଇ ଲୋକମାନେ ପୌରପାଳିକା କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥାନ୍ତି। କିନ୍ତୁ ବିଭିନ୍ନ ପ୍ରଶାସନିକ ବ୍ୟସ୍ତତା ଯୋଗୁଁ ଅନେକ ସମୟରେ ଏହି ଅଭିଯୋଗ ଗୁଡ଼ିକର ସମାଧାନରେ ବିଳମ୍ବ ହୋଇଥାଏ। ନୂଆ ବ୍ୟବସ୍ଥା ଏହି ସମସ୍ୟାକୁ ଦୂର କରିବାରେ ସହାୟକ ହେବ।

ଛତ୍ରପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଏହି QR କୋଡ୍ ସ୍ଥାପନ କରାଯାଇଛି । ଆଗାମୀ ଦିନରେ ସହରର ସମସ୍ତ ୱାର୍ଡ ଓ ପ୍ରମୁଖ ସ୍ଥାନରେ ଏହାକୁ ବିସ୍ତାର କରାଯିବ ବୋଲି ପୌରପାଳିକା ପକ୍ଷରୁ ସୂଚନା ମିଳିଛି ।

ଛତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ କହିଛନ୍ତି, ପ୍ରଶାସନକୁ ଲୋକଙ୍କ ନିକଟତର କରିବା ଓ ଜନଅଭିଯୋଗର ଶୀଘ୍ର ସମାଧାନ ନିମନ୍ତେ ଏହି ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏବେ ନାଗରିକମାନେ ନିଜ ମୋବାଇଲ ଫୋନରେ QR କୋଡ ସ୍କାନ କରି ସହଜରେ ଅଭିଯୋଗ ପଠାଇପାରିବେ। ଫଳରେ ଅଭିଯୋଗ ଜଣାଇବା ପାଇଁ ସେମାନଙ୍କୁ ଆଉ ସରକାରୀ ଅଫିସ୍‌କୁ ବାରମ୍ବାର ଯିବାକୁ ପଡ଼ିବ ନାହିଁ।

ଏହି ଅଭିନବ ପଦକ୍ଷେପ ସହରବାସୀଙ୍କୁ ଉନ୍ନତ ନାଗରିକ ସେବା ଯୋଗାଇବା ସହ ଡିଜିଟାଲ ଶାସନ ବ୍ୟବସ୍ଥାକୁ ଆହୁରି ମଜବୁତ କରିବ ବୋଲି ମତ ପ୍ରକାଶ ପାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score