Explore

Search

July 9, 2026 10:32 pm

GMAPV ଯୋଜନାର ସମୀକ୍ଷା : ମାର୍ଚ୍ଚ ୨୦୨୭ ସୁଦ୍ଧା ୨୨୦୦ ସ୍କୁଲ ପାଇଁ ଜମି ଚିହ୍ନଟ ନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ (GMAPV) କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମାର୍ଚ୍ଚ ୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ସ୍ଥିରୀକୃତ ୨୨୦୦ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଓ ଯୋଗାଣ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଲୋକସେବା ଭବନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ଏହି ପ୍ରକଳ୍ପକୁ ସରକାର ଏକ ଫ୍ଲାଗସିପ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରୁଛନ୍ତି। ଜମି ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ପ୍ରକଳ୍ପର ଅଗ୍ରଗତି ଉପରେ ନିୟମିତ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ କାର୍ଯ୍ୟର ସମୀକ୍ଷା କରି ସାପ୍ତାହିକ ରିପୋର୍ଟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ପ୍ରଦାନ କରିବେ। ଏହା ସହିତ ମୁଖ୍ୟମନ୍ତ୍ରୀ ନିଜେ ପ୍ରତି ମାସରେ ଥରେ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ।

ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୨୨୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ବ୍ୟବସ୍ଥା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୨୨ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅବଶିଷ୍ଟ ବିଦ୍ୟାଳୟଗୁଡ଼ିକ ପାଇଁ ତୁରନ୍ତ ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଜମି ଚିହ୍ନଟ ପ୍ରକ୍ରିୟାରେ ସ୍ଥାନୀୟ ବିଧାୟକମାନଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଦ୍ୱାରା ପ୍ରକ୍ରିୟା ଅଧିକ ସହଜ ଓ ତ୍ୱରାନ୍ୱିତ ହେବ।

ସେ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି-୨୦୨୦ ଓ ଶିକ୍ଷା ଅଧିକାର ଆଇନ-୨୦୦୯ର ଲକ୍ଷ୍ୟ ପୂରଣ ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବିଶ୍ୱସ୍ତରୀୟ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। ଧାର୍ଯ୍ୟ ଲକ୍ଷ୍ୟ ସମୟମଧ୍ୟରେ ପୂରଣ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କ ସକ୍ରିୟ ସହଯୋଗ ଓ ପ୍ରଶାସନିକ ତତ୍ପରତା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score