ଭୁବନେଶ୍ୱର : ଉଚ୍ଚଶିକ୍ଷା ସହ ଏବେ ଯୋଡି ହେବ ଆଧୁନିକ ପ୍ରଯୁକ୍ତିର ଜ୍ଞାନ । ଏହା ଓଡ଼ିଶା ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ନୂଆ ପଦକ୍ଷେପ । କୃତ୍ରିମ ବୁଦ୍ଧିମତ୍ତା ବା AI ଠାରୁ ଆରମ୍ଭ କରି ଡିଜିଟାଲ ସାକ୍ଷରତା, ଡିଜାଇନ ଥିଙ୍କିଙ୍ଗ ଓ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ପର୍ଯ୍ୟନ୍ତ ବିଭିନ୍ନ ଆଧୁନିକ କୌଶଳରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି ।
ଭବିଷ୍ୟତର ଚାକିରି ବଜାର ଓ ଉଦ୍ୟୋଗ କ୍ଷେତ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି UG ଓ PG ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛି ଉଚ୍ଚଶିକ୍ଷା ବିଭାଗ ।
ପ୍ରସ୍ତାବିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ କେବଳ AI ଜ୍ଞାନ ନୁହେଁ, ବରଂ ଡିଜିଟାଲ ଲିଟରେସି, ଏଣ୍ଟରପ୍ରାଇଜ୍ ଡିଜାଇନ ଥିଙ୍କିଙ୍ଗ୍ ଓ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଭଳି ବିଷୟରେ ମଧ୍ୟ ଅନଲାଇନ୍ ତାଲିମ ଦିଆଯିବ।
ଏହି ପଦକ୍ଷେପରେ ଓଡ଼ିଶାର ଉପାନ୍ତ ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ୧୦୭ଟି ଉଚ୍ଚଶିକ୍ଷାନୁଷ୍ଠାନକୁ ସାମିଲ କରାଯିବ। ଫଳରେ ସହରାଞ୍ଚଳ ସହିତ ଦୂରଦୂରାନ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ୟ ଆଧୁନିକ ଦକ୍ଷତା ହାସଲ କରିବାର ସୁଯୋଗ ପାଇପାରିବେ।
ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ରୀଙ୍କ ପାଇଁ ଅଫଲାଇନ୍ ଟ୍ରେନିଂର ବ୍ୟବସ୍ଥା ମଧ୍ୟ ରହିଛି। ଏଥିରେ ଶିକ୍ଷାଗତ ଜ୍ଞାନ ସହିତ ଚାକିରି ଓ ବୃତ୍ତିଗତ ଜୀବନରେ ଆବଶ୍ୟକ ବିଭିନ୍ନ କୌଶଳ ଉପରେ ତାଲିମ ଦିଆଯିବ।
କେବଳ ଛାତ୍ରଛାତ୍ରୀ ନୁହେଁ, ଅଧ୍ୟାପକମାନଙ୍କୁ ମଧ୍ୟ AI ଓ ଆଧୁନିକ ପ୍ରଯୁକ୍ତିରେ ଅଧିକ ପାରଦର୍ଶୀ କରିବାକୁ ଯୋଜନା ହୋଇଛି। ଏଥିପାଇଁ ୪୦ ଜଣ ଅଧ୍ୟାପକଙ୍କୁ ଅହମଦାବାଦର EDIIରେ ୬ ଦିନିଆ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ।
AI ଓ ଡିଜିଟାଲ ଦକ୍ଷତାକୁ ଉଚ୍ଚଶିକ୍ଷାର ଅଂଶ କରିବା ଦିଗରେ ଏହି ପଦକ୍ଷେପ ନିଶ୍ଚିତ ଭାବେ ଏକ ନୂଆ ଆଶା ସୃଷ୍ଟି କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
