ଭୁବନେଶ୍ୱର : ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତ୍ତା (AI)କୁ ଭବିଷ୍ୟତର ସବୁଠାରୁ ବଡ଼ ପ୍ରଯୁକ୍ତିଗତ ବିପ୍ଳବ ଭାବେ ଦେଖାଯାଉଛି । ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ଓ ପ୍ରଶାସନ ଭଳି ବିଭିନ୍ନ କ୍ଷେତ୍ରରେ AIର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଏହା ମାନବ ସମ୍ବଳ ଓ ସମୟ ସଞ୍ଚୟରେ ବଡ଼ ଭୂମିକା ନିଭାଉଛି । କିନ୍ତୁ AIର ଏହି ଅଭୂତପୂର୍ବ ବିକାଶ ପରିବେଶ ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ଜାତିସଂଘର ଏକ ନୂତନ ରିପୋର୍ଟ ସତର୍କ କରିଛି।
ରିପୋର୍ଟ ଅନୁଯାୟୀ, ୨୦୩୦ ସୁଦ୍ଧା ବିଶ୍ୱର ମୋଟ ବିଦ୍ୟୁତ୍ ବ୍ୟବହାରର ପ୍ରାୟ ୩ ପ୍ରତିଶତ କେବଳ AI ପ୍ରଣାଳୀ ଓ ଏହା ସହ ଜଡିତ ଡାଟା ସେଣ୍ଟର ଦ୍ୱାରା ବ୍ୟବହୃତ ହେବ। AI ମଡେଲ ଗୁଡ଼ିକର ପ୍ରଶିକ୍ଷଣ ଓ ପରିଚାଳନା ପାଇଁ ବିପୁଳ ପରିମାଣର ବିଦ୍ୟୁତ୍ ଆବଶ୍ୟକ ହେଉଥିବାରୁ କାର୍ବନ ନିର୍ଗମନ ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ । ବିଶେଷଜ୍ଞଙ୍କ ଆକଳନ ଅନୁସାରେ, AI ଖାତରୁ ନିର୍ଗତ ହେଉଥିବା ଗ୍ରୀନ ହାଉସ ଗ୍ୟାସ ପରିମାଣ ୟୁକେ ଭଳି ଏକ ଦେଶର ବାର୍ଷିକ ନିର୍ଗମନ ସହ ସମାନ ହୋଇପାରେ।
କେବଳ ବିଦ୍ୟୁତ୍ ନୁହେଁ, AI ପାଇଁ ଆବଶ୍ୟକ ଡାଟା ସେଣ୍ଟର ଗୁଡ଼ିକୁ ଥଣ୍ଡା ରଖିବାକୁ ମଧ୍ୟ ବିପୁଳ ପରିମାଣର ଜଳ ବ୍ୟବହାର କରାଯାଉଛି । ରିପୋର୍ଟରେ କୁହାଯାଇଛି ଯେ ଭବିଷ୍ୟତରେ AI ସର୍ଭରଗୁଡ଼ିକର ଶୀତଳୀକରଣ ପାଇଁ ଏତେ ପାଣି ଆବଶ୍ୟକ ହେବ ଯାହା ବିଶ୍ୱସ୍ତରରେ ଜଳ ସମ୍ପଦ ଉପରେ ଅତିରିକ୍ତ ଚାପ ସୃଷ୍ଟି କରିପାରେ। ଜଳ ଅଭାବରେ ପୀଡ଼ିତ ଅଞ୍ଚଳଗୁଡ଼ିକ ପାଇଁ ଏହା ଏକ ନୂଆ ଚ୍ୟାଲେଞ୍ଜ ହୋଇପାରେ।
ଜାତିସଂଘର ଏହି ସତର୍କବାଣୀ ପରିବେଶବିଦ୍ ଓ ନୀତି ନିର୍ଦ୍ଧାରକମାନଙ୍କ ଚିନ୍ତା ବଢ଼ାଇଛି। ଏକପଟେ AIକୁ ଦକ୍ଷତା ବୃଦ୍ଧି ଓ ସମ୍ବଳ ସଞ୍ଚୟର ଉପାୟ ଭାବେ ପ୍ରଚାର କରାଯାଉଥିବା ବେଳେ, ଅନ୍ୟପଟେ ଏହାର ବଢୁଥିବା ଶକ୍ତି ଓ ଜଳ ଚାହିଦା ପରିବେଶ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ଏହା ଏମିତି ଏକ ସ୍ଥିତି ସୃଷ୍ଟି କରିପାରେ ଯେଉଁଠାରେ ପ୍ରଯୁକ୍ତିର ଲାଭ ଠାରୁ କ୍ଷତି ଅଧିକ ଦେଖାଯିବ।
ବିଶେଷଜ୍ଞମାନଙ୍କ ମତରେ, AIର ବ୍ୟବହାର ଓ ବିକାଶକୁ ନେଇ ଏବେଠାରୁ ସ୍ପଷ୍ଟ ନୀତି ଏବଂ ଆନ୍ତର୍ଜାତିକ ନିୟମାବଳୀ ପ୍ରସ୍ତୁତ କରିବା ଆବଶ୍ୟକ। ପରିବେଶ ସୁରକ୍ଷା, ସ୍ୱଚ୍ଛତା, ଜବାବଦେହିତା ଓ ନ୍ୟାୟକୁ ଗୁରୁତ୍ୱ ଦେଇ AI ପାଇଁ ଏକ ସ୍ଥାୟୀ ରୋଡମ୍ୟାପ୍ ତିଆରି ନ କରାଗଲେ ଆଗାମୀ ଦିନରେ ଏହା ବିଶ୍ୱ ଜଳବାୟୁ ଓ ଜଳ ସଙ୍କଟକୁ ଆହୁରି ଗମ୍ଭୀର କରିପାରେ।
ପ୍ରଯୁକ୍ତିର ଅଗ୍ରଗତି ନିଶ୍ଚିତ ଭାବେ ଆବଶ୍ୟକ, କିନ୍ତୁ ଏହା ପରିବେଶ ସହ ସନ୍ତୁଳନ ରକ୍ଷା କରି ଆଗକୁ ବଢ଼ିବା ହିଁ ମାନବ ସମାଜ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
