Explore

Search

September 28, 2026 9:37 pm

ୱେଷ୍ଟଇଣ୍ଡିଜକୁ ହରାଇ ଦିନିକିଆ ସିରିଜରେ ଭାରତର ଶୁଭାରମ୍ଭ

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଦମଦାର ବିଜୟ ହାସଲ କରିଛି। ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୮ ୱିକେଟରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ।

ମ୍ୟାଚରେ ଟସ ଜିତି ଭାରତୀୟ ଅଧିନାୟକ ଶୁବମନ ଗିଲ୍ ପ୍ରଥମେ ୱେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ପଠାଇଥିଲେ। ଭ୍ରମଣକାରୀ ଦଳ ଆରମ୍ଭରୁ ଭଲ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୯୫ ରନ କରି ଭାରତ ସମ୍ମୁଖରେ ୨୯୬ ରନର ଲକ୍ଷ୍ୟ ରଖିଥିଲା।

ୱେଷ୍ଟଇଣ୍ଡିଜର ଇନିଂସରେ ଓପନର ଜନ କ୍ୟାମ୍ପବେଲ ଓ ଜଷ୍ଟିନ ଗ୍ରୀଭ୍ସ ଭଲ ଭିତ୍ତି ତିଆରି କରିଥିଲେ। କ୍ୟାମ୍ପବେଲ ୬୦ ବଲରୁ ୬୨ ରନ କରିଥିବା ବେଳେ ଗ୍ରୀଭ୍ସ ୧୦୮ ବଲରେ ୧୦୧ ରନର ଶତକୀୟ ପାଳି ଖେଳିଥିଲେ। ତାଙ୍କ ଇନିଂସ ୱେଷ୍ଟଇଣ୍ଡିଜର ସ୍କୋରକୁ ମଜବୁତ କରିଥିଲା।

ତେବେ ମଧ୍ୟକ୍ରମରେ ୱେଷ୍ଟଇଣ୍ଡିଜକୁ ବଡ଼ ଝଟକା ଲାଗିଥିଲା। କାର୍ସି କାର୍ଟି ୧୩ ରନ୍ କରି ଆଉଟ ହୋଇଥିବା ବେଳେ ଅଧିନାୟକ ସାଇ ହୋପ ମାତ୍ର ୧୨ ରନ କରିଥିଲେ। ରୋଷ୍ଟନ ଚେସ ମଧ୍ୟ ୨୪ ରନରେ ନିଜ ଇନିଂସ ଶେଷ କରିଥିଲେ।

ଭାରତୀୟ ବୋଲିଂରେ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରି ୪ଟି ୱିକେଟ ନେଇଥିଲେ। ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ୨ଟି ୱିକେଟ ମିଳିଥିଲା। ଏହି ଦୁଇ ବୋଲର ୱେଷ୍ଟଇଣ୍ଡିଜ୍‌ର ରନ ଗତିକୁ ନିୟନ୍ତ୍ରଣରେ ରଖିବାରେ ବଡ଼ ଭୂମିକା ନେଇଥିଲେ।

ଗିଲ୍‌ଙ୍କ ଶତକରେ ଭାରତର ବିଜୟ

୨୯୬ ରନର ଲକ୍ଷ୍ୟ ନେଇ ଭାରତୀୟ ଦଳ ପଡ଼ିଆକୁ ଓହ୍ଲାଇଥିଲା । ଓପନର ରୋହିତ ଶର୍ମା ଓ ଶୁବମନ ଗିଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ରୋହିତ ୩୫ ବଲରେ ୩୨ ରନ କରିଥିଲେ । ତାଙ୍କ ପାଳିରେ ୨ଟି ଚୌକା ଓ ୩ଟି ଛକା ରହିଥିଲା ।

ଅନ୍ୟପଟେ ଅଧିନାୟକ ଶୁବମନ ଗିଲ୍ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ସେ ୧୦୮ ବଲ୍‌ରେ ୧୧୦ ରନ୍ କରିଥିଲେ। ତାଙ୍କ ଇନିଂସରେ ୧୩ଟି ଚୌକା ଓ ଗୋଟିଏ ଛକା ରହିଥିଲା।

ଗିଲ୍ ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ଉପରେ ଚାପ ବଢ଼ାଇଥିଲେ। ତାଙ୍କ ଶତକୀୟ ପାଳି ଭାରତୀୟ ଇନିଂସକୁ ମଜବୁତ କରିଥିଲା।

କୁଲଦୀପ ଯାଦବଙ୍କ ୱିକେଟ୍ ଶିକାର, ଗିଲ୍‌ଙ୍କ ଶତକ ଏବଂ ଭାରତୀୟ ବ୍ୟାଟିଂର ଦୃଢ଼ ପ୍ରଦର୍ଶନ ଫଳରେ ଭାରତ ମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତି ନେଇଥିଲା। ଏହି ବିଜୟ ସହ ଦିନିକିଆ ସିରିଜ୍‌ର ଆରମ୍ଭ ଭାରତ ପାଇଁ ସଫଳ ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score