Explore

Search

September 22, 2026 9:07 pm

ଏସିଆନ ଗେମ୍ସରେ ଭାରତର ସ୍ୱର୍ଣ୍ଣିମ ଗର୍ଜନ : ଶ୍ରୀଲଙ୍କାକୁ ହରାଇ ଇତିହାସ ରଚିଲା ମହିଳା ଦଳ

ଜାପାନର ନିଶିନର କୋରୋଗି ସ୍ପୋର୍ଟ୍ସ ପାର୍କରେ ଖେଳାଯାଇଥିବା ଏସିଆନ ଗେମ୍ସ ମହିଳା କ୍ରିକେଟ ଫାଇନାଲରେ ଭାରତ ଏକ ଐତିହାସିକ ବିଜୟ ହାସଲ କରିଛି । ଶ୍ରୀଲଙ୍କାକୁ ୧୪୭ ରନର ବିଶାଳ ବ୍ୟବଧାନରେ ପରାସ୍ତ କରି ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ପ୍ରଥମ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛି। ଏହି ବିଜୟ ସହ ଭାରତ ଏସିଆନ ଗେମ୍ସରେ ନିଜର ପ୍ରଭାବଶାଳୀ ଅଭିଯାନର ଶୁଭାରମ୍ଭ କରିଛି । ଫାଇନାଲରେ ପରାଜିତ ହୋଇ ଶ୍ରୀଲଙ୍କା ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିବା ବେଳେ ପାକିସ୍ତାନ ବାଂଲାଦେଶକୁ ହରାଇ କାଂସ୍ୟ ପଦକ ଜିତିଛି ।

ଫାଇନାଲ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ଦଳ ୨୧୬ ରନର ବିଶାଳ ସ୍କୋର ଗଢ଼ିଥିଲା। ଏହାର ଜବାବରେ ଶ୍ରୀଲଙ୍କା ଦଳ ଭାରତୀୟ ବୋଲରମାନଙ୍କ ସାମ୍ନାରେ ସମ୍ପୂର୍ଣ୍ଣ ଭାବେ ଅସହାୟ ଦେଖାଯାଇଥିଲା। ମାତ୍ର ୧୫.୪ ଓଭରରେ ୬୯ ରନ କରି ସମସ୍ତ ୱିକେଟ ହରାଇ ଦଳ ପରାଜୟ ବରଣ କରିଥିଲା।

ଏହି ବିଜୟ କେବଳ ସ୍ୱର୍ଣ୍ଣ ପଦକ ନୁହେଁ, ବରଂ ଭାରତୀୟ ମହିଳା କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି । ଅନ୍ତର୍ଜାତୀୟ ଟି-20 କ୍ରିକେଟରେ ରନ ବ୍ୟବଧାନ ଦୃଷ୍ଟିରୁ ଏହା ଭାରତୀୟ ମହିଳା ଦଳର ସବୁଠାରୁ ବଡ଼ ବିଜୟ ଭାବେ ରେକର୍ଡ ହୋଇଛି ।

ଭାରତର ଏହି ବିଶାଳ ସ୍କୋର ପଛରେ ଓପନର ସ୍ମୃତି ମନ୍ଧାନା ଓ ଶେଫାଳୀ ବର୍ମାଙ୍କ ଧମାକେଦାର ବ୍ୟାଟିଂ ବଡ଼ ଭୂମିକା ନେଇଥିଲା । ଦୁହେଁ ପ୍ରଥମ ୱିକେଟ ପାଇଁ ୯୯ ରନର ଚମତ୍କାର ଭାଗୀଦାରୀ ଗଢ଼ି ଦଳକୁ ମଜବୁତ ଭିତ୍ତି ପ୍ରଦାନ କରିଥିଲେ। ବିଶେଷକରି ସ୍ମୃତି ମନ୍ଧାନା ନିଜର ଆକ୍ରମଣାତ୍ମକ ଶୈଳୀରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସେ ୪୫ ବଲରେ ୭୯ ରନର ବିସ୍ଫୋରକ ପାଳି ଖେଳିଥିବା ବେଳେ ୫ଟି ଚୌକା ଓ ୭ଟି ଛକା ମାରି ଶ୍ରୀଲଙ୍କା ବୋଲିଂ ଆକ୍ରମଣକୁ ଧ୍ୱସ୍ତ କରିଦେଇଥିଲେ ।

ବ୍ୟାଟିଂରେ ବିସ୍ଫୋରଣ ଏବଂ ବୋଲିଂରେ ଘାତକ ପ୍ରଦର୍ଶନ ସହ ଭାରତୀୟ ମହିଳା ଦଳ ଫାଇନାଲକୁ ଏକପାଖିଆ କରିଦେଇଥିଲା। ଏହି ଦମଦାର ବିଜୟ ସହ ଭାରତ ଏସିଆନ ଗେମ୍ସରେ ସ୍ୱର୍ଣ୍ଣିମ ଆରମ୍ଭ କରି ସମଗ୍ର ଦେଶକୁ ଗର୍ବିତ କରିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score